ବିଧାନସଭା ସମ୍ମୁଖରେ ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କର, ଜନ ବିରୋଧୀ ପ୍ରି-ପେଡ୍ ସ୍ମାର୍ଟ ମିଟର ସଂଯୋଗ ବର୍ଜନ କର, ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପ୍ରତି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଅ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ମାଗଣାରେ ବିଦ୍ୟୁତ୍ ଯୋଗାଅ, ଇଆରସି ଏବଂ ଟାଟା କମ୍ପାନୀର ଶୋଷଣ ଓ ଜୁଲମ ବନ୍ଦ କର, ବିଦ୍ୟୁତ୍‌ର ଘରୋଇକରଣ ବନ୍ଦ କର, ଓଡ଼ିଆ ଭାଷାରେ ବିଦ୍ୟୁତ୍ ବିଲ୍ ପ୍ରଦାନ କରିବା ଦାବିରେ ଶୁକ୍ରବାର ବିଧାନସଭା ସମ୍ମୁଖରେ ବିଶାଳ ପଟୁଆର ଏବଂ ଗଣବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି ।ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ସତ୍ତ୍ୱେ ବିଦ୍ୟୁତ୍ ୟୁନିଟ୍ ପ୍ରତି ମୂଲ୍ୟ ଅନ୍ୟ ରାଜ୍ୟଠାରୁ କାହିଁକି ଅଧିକ? ଓଡ଼ିଶାରେ କାହିଁକି ନିରବଚ୍ଛିନ୍ନ, ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ଦିଆଯାଇ ପାରୁନାହିଁ । ବିଦ୍ୟୁତ୍ ସରବରାହ କ୍ଷତିକୁ କାହିଁକି ରୋକାଯାଇ ପାରୁନାହିଁ । ଓଡ଼ିଶା ବିଦ୍ୟୁତ୍ ବୋର୍ଡ଼କୁ ଭାଙ୍ଗି ବିଦ୍ୟୁତ୍ କ୍ଷେତ୍ରରେ ତଥାକଥିତ ସଂସ୍କାର ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିଲା । ଏହି ସଂସ୍କାର ପ୍ରକ୍ରିୟାରେ ଆମ ରାଜ୍ୟ ସରକାର ଏବଂ ରାଜ୍ୟବାସୀଙ୍କର କିଛି ଲାଭ ହୋଇଛି କି ବୋଲି ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପ୍ରଶ୍ନ ଉଠାଇଛି । ରିଲାଏନ୍ସ ପାୱାର ଠାରୁ ଆରମ୍ଭ କରି ଟାଟା ପାୱାର କମ୍ପାନୀ ପର୍ଯ୍ୟନ୍ତ ଓଡ଼ିଶାରୁ ବିଦ୍ୟୁତ୍ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା କେବଳ ଲୁଣ୍ଠନ କରିଛନ୍ତି । ବିଦ୍ୟୁତ୍ ଉପଭୋକ୍ତାମାନେ ସମସ୍ତ କ୍ଷତିର ବୋଝକୁ ମୁଣ୍ଡାଇଛନ୍ତି । ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଅସଂଗଠିତ, ଅସ୍ଥାୟୀ ଏବଂ ଆଉଟ ସୋର୍ସିଂ ଶ୍ରମିକ କର୍ମଚାରୀ ମାନଙ୍କର ଯନ୍ତ୍ରଣା ଜର୍ଜରିତ ଅବସ୍ଥା କହିଲେ ନସରେ । ବିଦ୍ୟୁତ୍ ସଂସ୍କାର ପ୍ରକ୍ର୍ରିୟା ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଚାଲିଥିବା ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ରାଜ୍ୟବାସୀ ଅଶେଷ କ୍ଷତି ସହିଛନ୍ତି । ପୁଣି କାହା ସ୍ୱାର୍ଥରେ ବଳ ପ୍ରୟୋଗ କରି ପ୍ରି-ପେଡ୍ ସ୍ମାର୍ଟ ମିଟର ସଂଯୋଗ କରିବା ପାଇଁ ଯୋଜନା ଚାଲିଛି । ଓଡ଼ିଶା ବିଦ୍ୟୁତ୍ ନିୟମାଙ୍କ ଆୟୋଗ ପ୍ରସ୍ତାବ ଅନୁସାରେ ବିଦ୍ୟୁତ୍ ୟୁନିଟ୍ ପ୍ରତି ୯୧ ପଇସା ବୃଦ୍ଧି ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଇଛି । ଡବଲ ଇଞ୍ଜିନ ବିଜେପି ସରକାର ନିର୍ବାଚନ ସମୟରେ ପ୍ରତ୍ୟେକ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ମାସକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରତିଶ୍ରୁତିକୁ କେବେ କାର୍ଯ୍ୟକାରୀ କରିବେ ବୋଲି ଉପଭୋକ୍ତା ମହାସଂଘ ପ୍ରଶ୍ନ କରିଛି । କୃଷି ପ୍ରଧାନ ଗରିବ ରାଜ୍ୟ ଓଡ଼ିଶାରେ କୃଷି କ୍ଷେତ୍ର ପାଇଁ ମାଗଣାରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଉପଭୋକ୍ତା ମହାସଂଘ ଦାବି କରିଛି ।ଓଡ଼ିଶାରେ ମୋଟ ବିଦ୍ୟୁତ୍ ଉତ୍ପାଦନ ୪୩,୯୮୯ ମିଲିୟନ ୟୁନିଟ୍ ଥିବାବେଳେ ରାଜ୍ୟରେ ମୋଟ ବିଦ୍ୟୁତ୍ ବ୍ୟବହାର ୩୮,୮୧୪ ମିଲିୟନ ୟୁନିଟ୍ ହେଉଛି । ମୋଟ ବଳକା ବିଦ୍ୟୁତ୍ ୫,୧୩୫ ମିଲିୟନ ୟୁନିଟ ରହିଛି । ୨୦୧୯ରେ ହୋଇଥିବା ନିୟମ ଅନୁସାରେ ଜଣେ ଉପଭୋକ୍ତାଙ୍କୁ ମାସକୁ ୧୦ ଘଣ୍ଟା ଓ ୧୫ ଥର ବିଦ୍ୟୁତ୍ କାଟ ସହିବାକୁ ପଡ଼ିବ । ୨୦୧୯ ପୂର୍ବରୁ ଏହିଭଳି କୌଣସି ନିୟମ ନଥିଲା । ବର୍ତ୍ତମାନ ୨୦୨୩-୨୪ ତଥ୍ୟ ଅନୁସାରେ ମାସରେ ହାରାହାରି ୨୩ ଜଣ୍ଟା ଓ ୧୫ଥର ପରିବର୍ତ୍ତେ ୩୪ଥର ବିଦ୍ୟୁତ୍ କାଟ ହୋଇଛି ବୋଲି ବିତରକ କମ୍ପାନୀ ସତ୍ୟପାଠ ଜରିଆରେ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ଓଡ଼ିଶାର ଉତ୍ତରାଞ୍ଚଳ ମାସକୁ ୨୯ ଘଣ୍ଟା ଓ ୪୮ ଥର ବିଦ୍ୟୁତ୍ କାଟ ହୋଇଛି । ଓଡ଼ିଶାର ପଶ୍ଚିମାଞ୍ଚଳରେ ମାସକୁ ୨୫ ଘଣ୍ଟା ଓ ୩୬ ଥର, ଦକ୍ଷିଣାଞ୍ଚଳରେ ମାସକୁ ୨୨ ଘଣ୍ଟା ଏବଂ ୨୭ ଥର ଓ କେନ୍ଦ୍ରାଞ୍ଚଳରେ ମାସକୁ ୧୫ ଘଣ୍ଟା ଏବଂ ୨୬ ଥର ଏପରି ବିଦ୍ୟୁତ୍ କାଟ ହୋଇଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିଦ୍ୟୁତ୍ କାଟ ସର୍ବାଧିକ । ଘରୋଇ ବ୍ୟବହାର ପାଇଁ ବିଦ୍ୟୁତ୍ ୟୁନିଟ ପ୍ରତି ସର୍ବନିମ୍ନ ମୂଲ୍ୟ ଓଡ଼ିଶାରେ ୫.୮୮ଟଙ୍କା, ପଞ୍ଜାବରେ ୩.୬୯ ଟଙ୍କା, ମଧ୍ୟପ୍ରଦେଶରେ ୩,୭୭ ଟଙ୍କା, ରାଜସ୍ଥାନରେ ୩.୭୯ ଟଙ୍କା, ଝାଡ଼ଖଣ୍ଡରେ ୪.୩୭ ଟଙ୍କା, ବିହାରରେ ୪.୪୪ ଟଙ୍କା, ହରିୟାଣାରେ ୪.୮୩ ଟଙ୍କା, ତାମିଲନାଡୁରେ ୫.୮୧ ଟଙ୍କା ରହିଛି । ସୁତରାଂ ବର୍ତ୍ତମାନ ପୁଣି ବିଦ୍ୟୁତ୍ ମୂଲ୍ୟ ବୃଦ୍ଧିର କୌଣସି ଯଥାର୍ଥତା ନାହିଁ ।ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ତରଫରୁ ଉପସ୍ଥାପିତ କରାଯାଇଥିବା ସମସ୍ତ ନ୍ୟାୟ ସଙ୍ଗତ ଦାବିଗୁଡ଼ିକୁ ରାଜ୍ୟ ସରକାର ପୂରଣ ନକଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଘୋଷଣା କରାଯାଇଛି । ଆଜିକାର ଏହି ପଟୁଆର ଏବଂ ବିକ୍ଷୋଭ ସଭାରେ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସଭାପତିତ୍ୱ କରି ବକ୍ତବ୍ୟ ରଖିଥିଲେ । ମହାସଂଘର ଆବାହକ ରବି ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆନ୍ଦୋଳନକୁ ବରିଷ୍ଠ ବାମପନ୍ଥୀ ନେତା ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସଂଯୋଜନା କରି ବକ୍ତବ୍ୟ ରଖିଥିଲେ । ବାମପନ୍ଥୀ ନେତା ସର୍ବଶ୍ରୀ ନାରାୟଣ ରେଡ୍ଡି, ପ୍ରଦୀପ୍ତ ନାୟକ, ମହେନ୍ଦ୍ର ପରିଡ଼ା ଏବଂ ଜ୍ୟୋତି ରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରି ବକ୍ତବ୍ୟ ରଖିଥିଲେ । ଏହି ବିକ୍ଷୋଭ ସମାବେଶରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସନ୍ତୋଷ ଦାସ, ଯୁଧିଷ୍ଠିର ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ, ପ୍ରଣତୀ ମିଶ୍ର, ପୁଷ୍ପା ଦାଶ, ଶିବାନନ୍ଦ ରାୟ, ଦୁଷ୍ମନ୍ତ କୁମାର ଦାସ, ଶିଶିର ହୁଇ, ନର୍ମଳ ନାୟକ, ରବି ଦାସ, ମନ୍ମଥ ରାଉତରାୟ, ରାଧାକାନ୍ତ ସେଠି, ହେମନ୍ତ କୁମାର, ପ୍ରମିଳା, ବଦ୍ରି ନାରାୟଣ ଦାଶ ଜୟ ସିଂ, ଲକ୍ଷ୍ମୀ ଦୋରା, ବଂଶୀଧର ପରିଡ଼ା, ପ୍ରସନ୍ନ କୁମାର ବିଷୋୟୀ, ମୀର ଅହମ୍ମଦ ଅଲ୍ଲୀ, ଅଶୋକ ପ୍ରଧାନ, ଭୀମସେନ ପରିଡ଼ା, ସ୍ୱାଧୀନ କୁମାର ପଣ୍ଡା, ସରୋଜ ଶତପଥୀ, ପ୍ରଭାତ ପାଣିଗ୍ରାହୀ, ନୀଳକଣ୍ଠ ଦାସ, ବହୁ ରାଜନେତା ଏବଂ ସାମାଜିକ ଆନ୍ଦୋଳନର କର୍ମକର୍ତ୍ତା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ବିଜେପି ବ୍ୟତୀତ ସମସ୍ତ ବିିରୋଧୀ ରାଜନୈତିକ ଦଳର ନେତୃବୃନ୍ଦ ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଆନ୍ଦୋଳନ ପ୍ରତି ସମର୍ଥନ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ