ବିଧାନସଭା ସମ୍ମୁଖରେ ନବନିର୍ମାଣର ରଣହୁଙ୍କାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାଷୀ ପେନସନ ଓ ଟାଟା ପାୱାରର ଆଖିବୁଜା ବିଦ୍ୟୁତ ଗ୍ରାହକ ଶୋଷଣ ନେଇ ଗର୍ଜିଛନ୍ତି ଚାଷୀମାନେ । ନବନିର୍ମାଣ କୃଷକ ସଂଗଠନ ବ୍ୟାନରରେ ଆଜି ହଜାର ହଜାର ଚାଷୀ ହାତରେ ବ୍ୟାନର, ପ୍ଲାକାର୍ଡ଼ ଓ ଜାତୀୟ ପତାକା ଧରି ଏକ ସୁସଜ୍ଜିତ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲେ । ଟାଟା ପାୱାରର ଗ୍ରାହକ ଶୋଷଣରେ ଓଡ଼ିଶା ସରକାର ନୀରବ କାହିଁକି? ଟାଟା ପାୱାରର ଗ୍ରାହକ ଶୋଷଣ ଆଉ କେତେଦିନ? ସମସ୍ତଙ୍କ ଦବମା, ପେନସନ ଓ ବୋନସ ବଢାଉଥିବା ବେଳେ ଚାଷୀ ପେନସନ ମାସକୁ ୫ ହଜାର କହିଁକି ଲାଗୁ କରୁନ ଜବାବ ଦିଅ ସ୍ଲୋଗାନରେ ପିଏମ୍‌ଜିକୁ ପ୍ରକମ୍ପିତ କରିଥିଲେ । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଆହୂତ ସଭାକୁ ସମ୍ବୋଧିତ କରି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ରାଜ୍ୟ ସରକାର ଚାଷ ଓ ଚାଷୀର ସ୍ୱାର୍ଥରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏଥର ଓଡ଼ିଶାର ଚାଷୀମାନେ ଜନଆନ୍ଦୋଳନ ଓ ରଣନୀତି ବଦଳାଇବେ । ଏଥର ଆଉ ଆବେଦନ ଓ ନିବେଦନ ଫର୍ମୁଲାରେ ଚାଷୀମାନେ ନ ଯାଇ ନିଜେ ସରକାର ଗଢିବାକୁ ରାଜ୍ୟରେ ଉଦ୍ୟମ କରିବେ । ସେ ସମବେତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆପଣଙ୍କର ପାର୍ଟିର ସରକାର ଦରକାର ନା କୃଷକ ସରକାର ଦରକାର । ସଭାସ୍ଥଳରୁ ସମସ୍ୱରରେ ଆବାଜ ଆସିଥିଲା ଆମେ ଚାଷୀ ସରକାର ଚାହୁଁ । ଅକ୍ଷୟ କୁମାର ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ଓଡ଼ିଶାରେ ଏକ କୃଷକ ସରକାର ପ୍ରତିଷ୍ଠା କରିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ ହେବ । ବିଜେପି, ବିଜେଡ଼ି ଆଗାମୀ ଦିନରେ ସରକାର ଗଢିପାରିବେ ନାହିଁ । ଆମେ ସେଭଳି ନେତୃତ୍ୱ ଓ ମଡ଼େଲ ନେତାଙ୍କ ପାଖରେ ପହଞ୍ôଚଛୁ ଯେଉଁମାନେ କି ଚାଷୀଙ୍କ ପାଇଁ ମଡ଼େଲ ଭାବେ କାମ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ସେମାନଙ୍କ ମଧ୍ୟରେ ଅନ୍ୟତମ । ମୋ ସରକାର କୃଷକଙ୍କ ସରକାର ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୌଣସି ପ୍ରକାର ସୁରକ୍ଷା ଦେଉନାହାଁନ୍ତି । କେବଳ ପ୍ରଚାର ସରକାର ଚାଲିଛି । ସେହିଭଳି ଟାଟା ପାୱାର ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ଗ୍ରାହକମାନଙ୍କୁ ଶୋଷଣ କରୁଛନ୍ତି । ବିଧାନସଭା ଭିତରେ ଓ ବାହାରେ ଲଢେଇ ହେଲେ ବି ସରକାର ନିଦାବିଷ୍ଣୁ । ଏଭଳି ସରକାର ତୁରନ୍ତ ବଦଳାଇବାକୁ ଚାଷୀମାନଙ୍କୁ ଶ୍ରୀ କୁମାର ଆହ୍ୱାନ ଦେଇଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଚାଷୀଙ୍କୁ ଅବହେଳା କରିବା ରାଜ୍ୟ ସରକାରଙ୍କର ଅଭ୍ୟାସ ହୋଇଗଲାଣି । ରାଜ୍ୟର ସଂଗଠିତ ବର୍ଗ ପାଟିତୁଣ୍ଡ କରି ରାଜକୋଷରୁ ଲୁଟ କରୁଛନ୍ତି, ଅଥଚ ଗୋଟେ କୃଷିପ୍ରଧାନ ରାଜ୍ୟରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ଟଳି ପଡୁଛି । ଏହି ଅହଂକାର ଓ ଅବିଚାର ବିରୁଦ୍ଧରେ ଚାଷୀମାନେ ଏକଜୁଟ ହୋଇଛନ୍ତି । ଏହାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର ହେବ । ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ ଓ ରଶ୍ମୀରଞ୍ଜନ ସ୍ୱାଇଁ କୃଷି ଭିତ୍ତିଭୂମି, କୃଷିଲୋନ, ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଗତ ୨୪ ବର୍ଷ ଭିତରେ ବିଜେଡ଼ି ସରକାର ଚାଷୀଙ୍କ ପାଇଁ କଳା ଶାସନର ଯୁଗ ବୋଲି ଅଭିହିତ କରିଥିଲେ । ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ବିଶିଷ୍ଟ ଆଡ଼ଭୋକେଟ କ୍ଷୀରୋଦ ରାଉତ, ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ, ଯୁବନେତା ବିଶ୍ୱକେଶରୀ ମହାନ୍ତି, ରଣଜିତ ପଟ୍ଟନାୟକ, ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ମଧୁମିତା ସାମଲ, ତ୍ରିଲୋଚନ ପଣ୍ଡା, ଦୀନେଶ ଦାସ, ଅଶ୍ୱିନ ଜେନା, ଅକ୍ରୁର ପଲେଇ, ସତ୍ୟ ନାୟକ, ପ୍ରସନ୍ନ ପ୍ରଧାନ, ବିଚିତ୍ର ପଣ୍ଡା, ବିଳାସିନୀ ମହନ୍ତ, ହୃଷିକେଶ ପ୍ରଧାନ, ଇଂ ବିକାଶ ଚନ୍ଦ୍ର ମହାକୁଡ଼, ଦୁର୍ଗାଚରଣ ସ୍ୱାଇଁ, ସୁରେଶ ଚନ୍ଦ୍ର ମାନସିଂହ, ନିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ