ବିଧାୟକଙ୍କୁ ପାଠ ପଢ଼ାଇଲେ ନବୀନ
ଭୁବନେଶ୍ୱର: ଶୁକ୍ରବାର ବିଧାୟକଙ୍କୁ ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକଙ୍କୁ ଶାଳୀନତାର ପାଠ ପଢାଇଛନ୍ତି ନବୀନ । ଶାଳୀନତା ଓ ସରଳ ଜୀବନଯାପନ କରିବାକୁ ନବୀନ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ କାମ କରିବାକୁ ମଧ୍ୟ କହିଛନ୍ତି । ବିଧାୟକଙ୍କ ଉଦ୍ଦେଶ୍ୟରେ ନବୀନ କହିଛନ୍ତି ଯେ, ଲୋକଙ୍କୁ ଆଖି ଆଗରେ ସେମାନଙ୍କ ଉନ୍ନତି କରିବା ଶିଖ । ଗଣତନ୍ତ୍ରର ସଫଳତା ଲାକଙ୍କ ଉପରେ ନିର୍ଭର କରେ । ଜନତା ରିଅଲ ମାଷ୍ଟର ଅଫ୍ ଡେମୋକ୍ରାସି । ଲୋକଙ୍କ ନିକଟତର ହୁଅ, ସେମାନଙ୍କ ଯାବତୀୟ ସମସ୍ୟା ବୁଝ । ଯେତେ ବଡ଼ ପଦବୀରେ ଥିଲେ ମଧ୍ୟ ଲୋକଙ୍କ ହିତ ପାଇଁ କାମ କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ କହିଛନ୍ତି । ପ୍ରକାଶ ଯେ, ବିଧାନସଭା କମିଟି ବ୍ୟବସ୍ଥା ଓ ବୈଧାନିକ ଉପରେ ବିଧାୟକ/ବିଧାୟିକାଙ୍କ ଟ୍ରେନିଂ ଦିଆଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଚସ୍ପତି ଓ ବିରୋଧୀ ଦଳ ନେତା ଉପସ୍ଥିତ ଅଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ ଓ ବିଧାୟିକାଙ୍କୁ ଫୋକସ୍ କରାଯାଇଛି । ଲୋକସଭା ସଚିବାଳୟ ଅଧିକାରୀମାନଙ୍କ ଦ୍ୱାରା ସେମାନଙ୍କୁ ଟ୍ରେନିଂ ଦିଆଯାଉଛି ।ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲାକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି ।
ଆଜି ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏଥିସହ ସଂସଦୀୟ ବିଶେଷାଧିକାର ପ୍ରଥା, ପରମ୍ପରା ଓ ଶିଷ୍ଟାଚାର ସମ୍ପର୍କରେ ବିଧାୟକ ଓ ବିଧାୟିକାମାନେ ତାଲିମ ନେବେ । ସେହିପରି ଆସନ୍ତାକାଲି ଦ୍ୱିତୀୟ ଦିନରେ ବିଧାନସଭାର ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଗୃହରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶ୍ନ ଉପସ୍ଥାପନର ପ୍ରକ୍ରିୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି ।