ବିଧାୟକଙ୍କ ପାଇଁ ତିଆରି ହେବ ଆଲିସାନ ବଙ୍ଗଳା
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ବିଧାୟକ କଲୋନୀକୁ ଭାଙ୍ଗି ନୂଆ ପ୍ରାସାଦ ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କଲୋନୀରେ ଥିବା ୪୨ଟି କ୍ବାର୍ଟର୍ସ ସମ୍ପୂର୍ଣ୍ଣ ମାଟିରେ ମିଶିବ। କ୍ବାର୍ଟର୍ସ ଭଙ୍ଗାଯିବା ପରେ ନୂଆଦିଲ୍ଲୀରେ ସାଂସଦଙ୍କ ବାସଭବନ ଢ଼ାଞ୍ଚାରେ ୧୦ମହଲାର ଏକ ସୁଉଚ୍ଚ ପ୍ରାସାଦ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୪୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ୨୦୨୦ ଜାନୁଆରୀ ସୁଦ୍ଧା କ୍ବାର୍ଟର୍ସ ଭଙ୍ଗା କାର୍ଯ୍ୟ ଶେଷ ହେବାପରେ ନୂତନ ବାସଭବନର ଶୁଭ ପଡିବ। ନୂତନ ଭାବେ ନିର୍ମାଣ ହେବାକୁ ଥିବା କ୍ବାର୍ଟର୍ସଗୁଡିକ ୭-ଆର୍ ଢ଼ାଞ୍ଚାରେ ନିର୍ମାଣ ହେବ। ଯାହାଦ୍ବାରା ବିଧାୟକମାନଙ୍କ ପକ୍ଷରୁ ପରବର୍ତ୍ତୀ ସମୟରେ ଆଉ ଅଭିଯୋଗ ଉଠିବ ନାହିଁ। ବିଧାୟକମାନଙ୍କୁ କ୍ବାଟର୍ସ ଛାଢ଼ିବାକୁ ନିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ପ୍ରାୟ ୨୫ଜଣ ବିଧାୟକ କ୍ବାର୍ଟର୍ସ ଛାଡି ଦେଇଛନ୍ତି। ଅବଶିଷ୍ଟ ବିଧାୟକମାନଙ୍କୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି। ଭାଙ୍ଗିବା ସମୟ ଭିତରେ ସେମାନେ ମଧ୍ୟ ଘର ଖାଲି କରିଦେବେ ବୋଲି ଡ. ପାତ୍ର କହିଛନ୍ତି। ସେ କହିଛନ୍ତି ଯେ ନିର୍ମାଣ ହେବାକୁ ଥିବା ନୂତନ ବିଧାୟକ କଲୋନୀରେ ପାର୍କିଂ. ସୁଇମିଂପୁଲ୍, ରନିଂ ଟ୍ରାକ୍, ମେଡିକାଲ ସୁବିଧା, ପୋଷ୍ଟ ଅଫିସ, ଜିମ୍ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏହି କଲୋନୀରେ ପ୍ରାୟ ୧୧୦ଜଣ ବିଧାୟକ ରହିବେ। ଅବଶିଷ୍ଟ ବିଧାୟକ ଓ ମନ୍ତ୍ରୀମାନେ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ବାସଭବନରେ ରହିବେ। ବିଧାୟକ କଲୋନୀ ଭାଙ୍ଗିବାପାଇଁ ପ୍ରଥମ ପର୍ଯ୍ୟାୟରେ ୨କୋଟି ଟଙ୍କା ଅନୁମୋଦନ ହୋଇଛି। ଏହାପରେ ଯାହା ଅର୍ଥ ଖର୍ଚ୍ଚ ହେବ ଯୋଗାଇ ଦିଆଯିବ।