ବିଧାୟକଙ୍କ ବିଦ୍ୟାଳୟ ପରିଦର୍ଶନ, ନିମ୍ନମାନର ମଧ୍ୟାହ୍ନ ଭୋଜନ ପାଇଁ ଅସନ୍ତୋଷ
ହାଟଡ଼ିହି, : ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ହାଟଡିହି ବ୍ଲକ କୁରାଢ଼ିଘସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚନକ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନବ୍ୟବସ୍ଥାର ତଦାରଖ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଛନ୍ତି । ଅତିନମ୍ନମାନର ମଧ୍ୟାହ୍ନ ଭୋଜନ ସହିତ ପିଲାମାନଙ୍କୁ ଅଣ୍ଡା ଦିଆଯାଉ ନଥିବାରୁ ଅସନ୍ତୋଷ ବ୍ୟକ୍ତକରି ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଇଓଙ୍କୁ ପରାମର୍ଶ ଦେଇଛନ୍ତି । ଛୁଆ ମାନଙ୍କୁ କେବଳ ପାଣିଚିଆ ତରକାରୀ ସହିତ ଟିକେ ଟିକେ ସାଗ ଦିଆଯାଇଥିବାବେଳେ ତାହା ଖାଇବା ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହୋଇଥିଲା । ସବୁଦିନେ ନୁହଁ ଆଜି କେବଳ ସାଗ ଦିଆଯାଇଥିଲା ନଚେତ ସବୁଦିନେ ଏହିପରି ପାଣିଚିଆ ଡାଲି ଓ ତରକାରୀ ଦିଆଯାଉଛି ବୋଲି ଜଣାପଡିଥିଲା । ଯେଉଁମାନେ ମଧ୍ୟାହ୍ନ ଭୋଜନ ଖାଉ ନାହାନ୍ତି ସେମାନଙ୍କୁ ବିସ୍କୁଟ ଓ ଫଳ ଦେଉଛୁ ବୋଲି ପ୍ରଧାନ ଶିକ୍ଷକ କହିଥିଲେବି ତାହା ଦେଖାଇ ପାରିନଥିଲେ । କାର୍ତ୍ତିକ ମାସ ବୋଲି ପିଲାମାନେ ଅଣ୍ଡା ଖାଉ ନାହାନ୍ତି ତେଣୁ ସେମାନଙ୍କୁ କଞ୍ଚା ଅଣ୍ଡା ଦିଆଯାଉଛି ବୋଲି ପ୍ରଧାନ ଶିକ୍ଷକ କହିଥିବାବେଳେ ବାସ୍ତବରେ ପିଲାମାନଙ୍କୁ ଅଣ୍ଡା ଦିଆଯାଉ ନଥିବା ଜଣାପଡିଥିଲା । ଏହାକୁନେଇ ବିଧାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ସହିତ ଏବିଇଓ ସୁରଥ କୁମାର ସାହୁ ଉପସ୍ଥିତ ଥିଲେ ।