ବିଧାୟକ ଓ ଅଧ୍ୟକ୍ଷଙ୍କ ସହ ଧାରଣାରେ ବସିଲେ ବିଜେଡି କର୍ମୀ

ବାଲେଶ୍ୱର, (ସରୋଜ ପଣ୍ଡା) :ସଦର ବ୍ଲକରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ବେଳେ କସିପଦା ପଞ୍ଚାୟତର ମହିଳା ସରପଞ୍ଚଙ୍କ ଅଶାଳୀନ ବ୍ୟବହାରକୁ ନେଇ ବାଲେଶ୍ୱର ବିଧାୟକ ନିଜର ସହଯୋଗୀଙ୍କ ସହ ବିଡିଓଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ଘଟଣା ଏବେ ସବୁଠି ଆଲୋଚନାର ବିଷୟବସ୍ତୁ ହୋଇଛି । ପୂର୍ବରୁ ମନୋନୟନ ହୋଇଥିବା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବ୍ଲକ କର୍ତ୍ତୃପକ୍ଷ ଗୁରୁବାର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ସେହିକ୍ରମରେ ପୂର୍ବାହ୍ଣରେ ସଦର ବ୍ଲକ ସଭାଗୃହରେ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ । ଏହି ସମୟରେ କସିପଦା ପଞ୍ଚାୟତର ମହିଳା ସରପଞ୍ଚ ଅନୀତା ବେହେରା ସେଠାରେ ପହଞ୍ଚି ତାଙ୍କୁ ଏହି କାର୍ଯ୍ୟକ୍ରମକୁ କାହିଁକି ଆମନ୍ତ୍ରଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ । ବ୍ଲକର ବିଭାଗୀୟ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ବିଧାୟକଙ୍କୁ ବି ସେ ନାନା ପ୍ରକାର ଅପଶବ୍ଦ ବ୍ୟବହାର କରି ଗାଳି ଦେଇଥିଲେ । ଭତ୍ତା ପ୍ରଦାନ ସମ୍ପର୍କରେ ସୂଚନା ଦେବାରେ ଯଦିଚଃ ବିଳମ୍ବ ହୋଇଥିଲା, ତେବେ ଏଠି ତ କେବଳ ୨୦ ଜଣଙ୍କୁ ଦେଇ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ପଞ୍ଚ।।ୟତୱାରୀ ସରପଞ୍ଚମାନେ ସେମାନଙ୍କ ଅଞ୍ଚଳର ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବେ ବୋଲି ବିଧାୟକ ଶ୍ରୀ ଦାସଙ୍କ ସମେତ ବ୍ଲକର ବିଭାଗୀୟ ଅଧିକାରୀ ସରପଞ୍ଚ ଶ୍ରୀମତୀ ବେହେରାଙ୍କୁ କହି ବୁଝାଇଥିଲେ । ମାତ୍ର ସେ ଆହୁରି ଉତକ୍ଷିପ୍ତ ହୋଇ ପୁଣିଥରେ ସମସ୍ତଙ୍କୁ ଗାଳିଗୁଲଜ କରିବା ସହିତ ବେକରେ ଗାମୁଛା ପକାଇ ଘୋସାରିବ ବୋଲି ଚେତବନୀ ଦେଇଥିବା ବିଧାୟକ ଓ ତାଙ୍କ ସହଯୋଗୀମାନେ ଆରୋପ କରିଛନ୍ତି । ଏହି ଘଟଣାର ପ୍ରତିବାଦ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାୟକ ଶ୍ରୀ ଦାସ ବିଡିଓଙ୍କ ଅଫିସ ଆଗରେ ଧାରଣା ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ତାଙ୍କ ସହ ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ବିଜେଡି ବ୍ଲକ ସଭାପତି ବସନ୍ତ ପଣ୍ଡା, ଜିଲା ବିଜେଡି କର୍ମକର୍ତ୍ତା ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଏହି ଗଣଧାରଣାରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ବିଧାୟକ ଶ୍ରୀ ଦାସ ଓ ତାଙ୍କର ସହଯୋଗୀମାନେ ଚେତାବନୀ ଦେଇଥିଲେ । ଅନ୍ୟପକ୍ଷରେ ବିଧାୟକଙ୍କ ଆରୋପକୁ ଖଣ୍ଡନ କରିିଛନ୍ତି କସିପଦା ସରପଞ୍ଚ ଅନୀତା ବେହେରା । ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବ୍ଲକ କର୍ତ୍ତୃପକ୍ଷ ସର୍ବଦା ଉପେକ୍ଷା କରୁଥିବା ନେଇ ସେ ଅଭିଯୋଗ ଉଠାଇଛନ୍ତି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସୂଚନା ନ ଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କାହିଁକି କରାଗଲା ବୋଲି ଶ୍ରୀମତୀ ବେହେରାଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ବିଜେପି ସମର୍ଥିତ ସରପଞ୍ଚ ଓ ସମିିତି ସଭ୍ୟ/ସଭ୍ୟାମାନେ ଅନୁରୂପ ଭାବେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାନ୍ତରାଳ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ବିଡିଓ ନରେନ୍ଦ୍ର କୁମାର ଖମାରୀ ତାଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଆଗାମୀ ଦିନରେ ଯେପରି ଏଭଳି ତ୍ରୁଟି ନହୁଏ ସେଥିପ୍ରତି ସେ ଗୁରୁତ୍ୱ ଦେବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ