ବିନାନୁମତିରେ ଅଭୟାରଣ୍ୟ ଅଞ୍ଚଳ ଭିତରେ ଚାଲିଛି ପାଣିଟାଙ୍କି ନିର୍ମାଣ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକର କେ ବାଲିପାଳ ପଞ୍ଚାୟତର ସିଆଡି ମାଳିଆ (ଖ) ଓ ରାଇଘାଟିରେ ପାଣିଟାଙ୍କି ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରେ ଜଂଗଲ ବିଭାଗର ବିନାନୁମତିରେ ଏହି ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ଏବେ ମେଗା ୱାଟର ପ୍ରୋଜେକ୍ଟ ଯୋଜନାରେ ବିଭିନ୍ନ ସ୍ଥାନରେ ପାଣିଟାଙ୍କି ନିର୍ମାଣ କରାଯାଉଥିବା ବେଳେ ଏଠାରେ ମଧ୍ୟ ପାଣିଟାଙ୍କି ନିର୍ମାଣ ପାଇଁ ଦୁଇଟି ସ୍ଥାନରେ ବିରାଟ ବିରାଟ ଗାତ ଖୋଳା ଯାଇଛି । ଗତକାଲି ତିନିଦିନ ହେଲା ଏକ ମେସିନି ସାହାଯ୍ୟରେ ଗାତ ଖେଳା ଯାଉଥିବାବେଳେ ସ୍ଥାନୀୟ ଲୋକେ ପଚାରିବାରୁ ଏହା ପାଣିଟାଙ୍କି ପାଇଁ ଖେଳା ଯାଉଛି ବୋଲି ମେସିନି ଅପରେଟର କହିଥିଲେ । ଏହା ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରେ ବୋଲି କୁହାଯାଉଛି । ଯଦି ଅଭୟାରଣ୍ୟ ଭିତରେ କୌଣସି ନିର୍ମାଣ କାର୍ଯ୍ୟ ହେବ ତେବେ ଗ୍ରାମ ସଭା କରାଯାଇ ଜଂଗଲ ବିଭାଗ ପକ୍ଷରୁ ଅନୁମତି ଆଣିବାର ଆବଶ୍ୟକତା ଥିବାବେଳେ ଏଠାରେ ତାହା କରାଯାଇ ନାହିଁ ବୋଲି କୁହାଯାଉଛି । ତେଣୁ କିପରି ଓ କାହା ଇଙ୍ଗିତରେ ଏପରି କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତିଙ୍କୁ ପଚାରିବାରେ ସେ ଏ ବାବଦରେ ଜାଣି ନଥିବା କହିଛନ୍ତି । ସେହିପରି ଆନନ୍ଦପୁର ଡିଏଫଓ ଅଜିତ ସତପଥିଙ୍କୁ ପଚାରିବାରେ ତାଙ୍କ ପାଖରେ କୌଣସି ଖବର ନାହିଁ ସେ ଏବାବଦରେ ବୁଝିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ