ବିନାୟକ ଆଚାର୍ଯ୍ୟଙ୍କ ତିରୋଧାନ ଦିବସକୁ ରାଜ୍ୟ ସରକାର ପାଳନ ନ କରିବାନେଇ କ୍ଷୋଭ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୪୧ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ଆଜି ସକାଳୁ ବ୍ରହ୍ମପୁର ଆସିକା ରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ରହିଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟ ଫାଟକ ବନ୍ଦ ଥିଲା,ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କୁ ସମ୍ମାନର୍ଥେ କୌଣସି କାର୍ଯ୍ୟକ୍ରମ ନରହିବା ବ୍ରହ୍ମପୁରବାସୀଙ୍କ ମହଲରେ କ୍ଷୋଭ ସୃଷ୍ଟି କରିଛି l ବିନାୟକ ଆଚାର୍ଯ୍ୟଙ୍କ ଭଳି ଜଣେ ସଚ୍ଚୋଟ, ନିଷ୍କଳଙ୍କ, ଆଦର୍ଶବାନ ବ୍ୟକ୍ତିତ୍ୱ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସରକାରଙ୍କ ଏଭଳି ଅବହେଳାକୁ ପୂଜ୍ୟ ପୂଜା ସମିତି ଦୃଢ ନିନ୍ଦା କରିଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ବିନାୟକ ଆଚାର୍ଯ୍ୟ ଜଣେ ସାଧାରଣ ପରିବାରରୁ ଆସି ଜଣେ ଆଦର୍ଶବାନ ଶିକ୍ଷକ ଭାବେ ଅନେକ ଛାତ୍ରଙ୍କୁ ନିର୍ମାଣ କରିଯାଇଛନ୍ତି l ଦୁଇ ଦୁଇ ଥର ବ୍ରହ୍ମପୁରର ବିଧାୟକ ଭାବେ ନିର୍ବାଚିତ ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଥିଲେ ବି ବ୍ୟକ୍ତିଗତ ଜୀବନରେ କେବେ ଭି ଲୋଭ ଲାଳସା ପ୍ରଲୋଭନର ଶିକାର ହୋଇନାହାନ୍ତି l ସେ ଛାତ୍ର ଜୀବନରୁ କମ୍ୟୁନିଷ୍ଟ ଆନ୍ଦୋଳନରେ ଯୋଗ ଦେଇ ଗରିବ, ଚାଷୀ, ଶ୍ରମିକ ମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିଲେ l ଆଜିର ସ୍ମୃତି ସଭାରେ ସରକାରୀ ସ୍ତରରେ ତାଙ୍କ ଜୟନ୍ତୀ ଓ ତିରୋଧାନ ଦିବସକୁ ପାଳନ କରାଯିବା, ଗେଟ ବଜାର ଛକଠାରୁ ଫାଷ୍ଟ ଗେଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ବିନାୟକ ମାର୍ଗରେ ଘୋଷଣା କରିବା, ବିନାୟକ ଆଚାର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ କରିବା ଦାବୀ ହୋଇଛି l ଆଜିର ସ୍ମୃତିସଭାରେ ସମ୍ପାଦକ ଏସ.ସlମ୍ବଶିବା ରାଓ, ରବି ରଥ,ପ୍ରଦୀପ କୁମାର ସେଠୀ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅଶୋକ ଦଳାଇ, ମନୋଜ ତରାଇ, ଗୋବିନ୍ଦ ନାୟକ, ରାଜେନ୍ଦ୍ର ପଣ୍ଡା, ଶିବ ପ୍ରସାଦ ମିଶ୍ର,ଗଗନ ଚନ୍ଦ୍ର ମଲ୍ଲିକ, ଜଗନ୍ନାଥ ପାଢ଼ୀ,ସୁରେନ୍ଦ୍ର ନାଥ ପଣ୍ଡା, ଶିଶିର ଆଚାର୍ଯ୍ୟ, ଚିତ୍ତରଞ୍ଜନ ସାବତ, କାଳିଆ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ