ବିନା ଅନୁମତିରେ ଛୁଟିରେ ରହିଲେ ଦରମା ନାହିଁ

ଭୁବନେଶ୍ବର: ବିଧାନସଭା ଚାଲିଥିବା ବେଳେ କୌଣସି ସଂଗଠନ ଆନ୍ଦୋଳନ କରୁଥାଆନ୍ତୁ ବା ନ ଥାଆନ୍ତୁ ଶିକ୍ଷକମାନେ କିନ୍ତୁ ଆନ୍ଦୋଳନ ଚଲାଇଥିବା ଦେଖିବାକୁ ମିଳିଥାଏ। ବିଧାନସଭା ଆରମ୍ଭ ହେବା କ୍ଷଣି ନିଜର ଦାବି ପୂରଣ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇ ପଡ଼ନ୍ତି ବିଭିନ୍ନ ଶିକ୍ଷକ ସଂଗଠନ। ଏପରିକି ଦୀର୍ଘଦିନ ଧରି ଲୋୟର ପିଏମ୍‌ଜି ମଧ୍ୟ ବସିରହିଥାନ୍ତି। ଏହି କ୍ରମରେ ଏବେ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଏହି ସମୟରେ ଦାବି ହାସଲ ପାଇଁ ରଜ୍ୟର ବିଭିନ୍ନ ଅଧ୍ୟାପକ ଓ କର୍ମଚାରୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ତେବେ ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ ଦିଆଯାଇଛି ଚେତାବନୀ। ଯଦି ଛୁଟି ମଞ୍ଜୁର ନ ହୋଇ ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଛୁଟିରେ ରୁହନ୍ତି ତେବେ ନୋ ୱାର୍କ ନୋ ପେ’ନିୟମ ଲାଗୁ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି କଡ଼ା ନିର୍ଦେଶ ଆସିଛି। ଏହି ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ବୋଲି ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚେତାବନୀ ଦେଇଛନ୍ତି।
କେବଳ ଉକ୍ତ କଲେଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ଥିଲେ ହିଁ ଅଧ୍ୟାପକ ଛୁଟି ନେଇ ପାରିବେ ବୋଲି ଚିଠିରେ ଉଲ୍ଲେଖ ଅଛି। ଏଥିସହ ଚିଠିରେ ଉଲ୍ଲେଖ କରାଯାଇଛି, ଅଧ୍ୟାପକ କିମ୍ବା କର୍ମଚାରୀମାନେ ଛୁଟି ନେଇ ରାଲି ବା ଆନ୍ଦୋଳନରେ ଭାଗ ନେଇ ପାରିବେ ନାହିଁ। ସେହିପରି କାର୍ଯ୍ୟରେ ଯୋଗ ନ ଦେଇ ରାଲି, ଧାରଣା, ହରତାଳରେ ସାମିଲ୍‌ ହେଲେ ‘ନୋ ଓ୍ୱାର୍କ ନୋ ପେ’ ନିୟମ ଲାଗୁ ହେବ। କୌଣସି ଅଧ୍ୟାପକ ଯେପରି ଛୁଟି ନେଇ ଆନ୍ଦୋଳନରେ ସାମିଲ ହେଉ ନ ଥିବେ ସେନେଇ ଅଧ୍ୟକ୍ଷ ସୁନିଶ୍ଚିତ କରିବେ। ଆନ୍ଦୋଳନରେ ସାମିଲ ପାଇଁ ଅଧ୍ୟକ୍ଷ ଛୁଟି ଦେଇଥିଲେ, ଅଧ୍ୟକ୍ଷ ଦାୟୀ ରହିବେ ବୋଲି ଚିଠିରେ ନିର୍ଦେଶ ରହିଛି। ଏପରି କ୍ଷେତ୍ରରେ ସରକାରୀ ଅଧ୍ୟାପକ ହୋଇଥିଲେ ଆଗୁଆ ଅବସର ପାଇଁ କୁହାଯିବ। ସେହିଭଳି ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ, ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର ହେବ। ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ତୃଣମୂଳସ୍ତରରୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶିକ୍ଷକ ନେତାମା‌ନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ