ବିନା ଟେଣ୍ଡରରେ ଉପକରଣ କିଣା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଶ୍ୱ ବ୍ୟାଙ୍କ ଅନୁଦାନରେ ୨କୋଟି ଟଙ୍କାର ବିଭିନ୍ନ ଉପକରଣ କିଣିବାକୁ ଯୋଜନା କରିଥିବା ଉଚ୍ଚଶିକ୍ଷା ବିଭାଗ ନିକଟରେ ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତିି । ଗତ କିଛିଦିନ ତଳେ ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ନୂତନ ଏକାଡେମିକ ବିଲଡିଂ(ଗାନ୍ଧୀ ଭବନ) ୫କୋଟି ଟଙ୍କାର ବିଶ୍ୱବ୍ୟାଙ୍କ ଅନୁଦାନରେ ନିର୍ମିତ ହୋଇଛି । ବିଶ୍ୱବ୍ୟାଙ୍କ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମୋଟ ୭କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବା ବେଳେ ସେଥି ମଧ୍ୟରୁ ୫କୋଟି ଟଙ୍କା ବ୍ୟୟରେ ନୂତନ ଏକାଡେମିକ ବିଲଡିଂ(ଗାନ୍ଧୀ ଭବନ) କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ହୋଇସାରିଛି । ଆଉ ୨କୋଟି ଟଙ୍କାର ଅନୁଦାନରେ ମହାବିଦ୍ୟାଳୟ ପାଇଁ ଡେସ୍କ, ବେଂଚ, ଚେୟାର, ଟେବୁଲ, ବିଜ୍ଞାନ ଲାବୋରଟୋରୀ ନିମନ୍ତେ ଉପକରଣ ସମେତ ଅନ୍ୟାନ୍ୟ ଉପକରଣ କିଣିବା ପାଇଁ ବ୍ୟବସ୍ଥା ରହିଛି । ମହାବିଦ୍ୟାଳୟ କତ୍ତୃପକ୍ଷ ସେହି ୨କୋଟି ଟଙ୍କାର ଅନୁଦାନ ଅର୍ଥରେ ବିନା ଟେଣ୍ଡରରେ ଏକଶହ ପେୟାର ଡେସ୍କ ଓ ବେଂଚ କିଣି ସାରିଥିବା ବେଳେ ଅନ୍ୟାନ୍ୟ ଉପକରଣ କିଣିବା ପାଇଁ ପ୍ରୟାସ ଚଳାଇଥିବା ଅଭିଯୋଗ ହୋଇଛି । ଏଥିରେ ପ୍ରାୟ ୩୦ରୁ ୪୦ପ୍ରତିଶତ ପିସି କାରବାର ହେବାର ଯଥେଷ୍ଟ ସୁଯୋଗ ରହିଥିବା ଅଭିଯୋଗ ହୋଇଛି । କାରଣ ପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ଏଭଳି ଭାବେ ଡେସ୍କ ଓ ବେଂଚ ବିନା ଟେଣ୍ଡରରେ କିଣାଯାଇଥିବା ବେଳେ ବିଲରେ ପଡିଥିବା ଜିନିଷର ମାପ ଠାରୁ ଢେର କମ୍ ମାପର ଓ ନିମ୍ନମାନର ଜିନିଷ କିଣାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇସାରିଛି । କେଉଁ ନିୟମ ବଳରେ ବିନା ଟେଣ୍ଡରରେ ଇପିଏମ ପ୍ରାଇସରେ ଏଭଳି ୨କୋଟି ଟଙ୍କାର ଅନୁଦାନରେ କଲେଜ ଉପକରଣ କିଣାଯିବାକୁ କିଏ ନିଷ୍ପତ୍ତି ନେଇଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ଇ.ପି.ଏମ. ପ୍ରାଇସରେ ୧୦ହଜାର ବା ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜିନିଷପତ୍ର କିଣାଯାଇପାରେ । କିନ୍ତୁ ୨କୋଟି ଟଙ୍କାର ଅନୁଦାନରେ ଏପରି ବେଆଇନ ଭାବେ ବିନା ଟେଣ୍ଡରରେ ମହାବିଦ୍ୟାଳୟର ଶ୍ରେଣୀଗୃହ ନିମନ୍ତେ ବିଭିନ୍ନ ଉପକରଣ କିଣିବା ଘଟଣା ମହାବିଦ୍ୟାଳୟ କତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଥିବା ଅଭିଯୋଗ ହୋଇଛି । ଏଥିପୂର୍ବରୁ ମହାବିଦ୍ୟାଳୟ ଅନ୍ତରୀଣ ରାସ୍ତା ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ ପୁରାତନ ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକମାନଙ୍କ ମନରୁ ଲିଭି ନଥିବା ବେଳେ ଏବେ ୨କୋଟି ଟଙ୍କାରେ ମହାବିଦ୍ୟାଳୟ ପାଇଁ ବିଭିନ୍ନ ଉପକରଣ କିଣାଯିବା ଘଟଣା ପୁନର୍ବାର ଦୁର୍ନୀତି ଲିପ୍ତ ଥିବାର ଅଭିପ୍ରାୟକୁ ପ୍ରମାଣିତ କରୁଛି । ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ମହାବିଦ୍ୟାଳୟର କତ୍ତୃପକ୍ଷଙ୍କ ସମେତ ଜଣେ ଅର୍ଥନୀତି ବିଭାଗ ଅଧ୍ୟାପକ ଓ ଜଣେ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ମିଳିତ ଭାବେ ଏଭଳି ବାରମ୍ବାର ଦୁର୍ନୀତି ଉପାୟରେ ଅର୍ଥ ଉପାର୍ଜ୍ଜନ କରିବାରେ ଜଡିତ ଅଛନ୍ତି । ଏହି ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ବିଧିବଦ୍ଧ ତଦନ୍ତ କରାଯିବାକୁ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ମହାବିଦ୍ୟାଳୟର ପୁରାତନ ଛାତ୍ର ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ଅଭିନାଶ ମଲିକ, ମଳୟରଞ୍ଜନ ପରିଡା, ଶରତ ସିଂ, ଚିନ୍ମୟ ବଳ, ସତ୍ୟରଞ୍ଜନ ସେନାପତି, ଦୈତାରୀ ସେଠୀ, ପ୍ରଦୀପ ସାହୁ, ବରଦାପ୍ରସନ୍ନ ମହାନ୍ତି, ବିଶ୍ୱଜିତ ଦାସ, ମନୋରଞ୍ଜନ ପାତ୍ର ପ୍ରମୁଖ ଅଭିଯୋଗ କରିବା ସହ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ