ବିନା ପବନ ବର୍ଷାରେ ଭାଙ୍ଗିଲା ଗଛର ଡାଳ : ଅଳ୍ପକେ ବର୍ତ୍ତିଲା ବହୁଧନଜୀବନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଟାଉନ ହଲ୍ ପରିସରରେ ଏକ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛି ବହୁ ଧନଜୀବନ । ବିନା ପବନ ବର୍ଷାରେ ଟାଉନ ହଲ ପରିସରରେ ଥିବା ଏକ ଗଛ ଭାଙ୍ଗି ପଡିଥିଲା । ଏହି ଗଛଟି ଭାଙ୍ଗିଯିବ ବୋଲି କେହି ଆକଳନ ମଧ୍ୟ କରିନଥିଲେ । ଘଟଣାରୁ ପ୍ରକାଶ ଯେ, ଟାଉନ ହଲ ପରିସରରେ ସ୍ୱାଭାବିକ ଭାବେ ଯାତାୟତ ଜାରି ରହିଥିଲା । ପୂର୍ବ ଭଳି ଏହି ପରିସରରେ ଥିବା କକ୍ଷରେ ଭତ୍ତା ପ୍ରଦାନ ଲାଗି ହିତାଧିକାରୀ ଏବଂ ଟାଉନହଲ ପରିସରରେ ଥିବା ପୌରପରିଷଦର କଲୋନୀକୁ ଲୋକେ ଯିବା ଆସିବା କରିବା ସହ ଟାଉନ ହଲରେ ବିବାହ ଭୋଜି ଭାତ ପାଇଁ ଭିଡ ଜମିଥିଲା । ଏଥିଲାଗି ଚଳପ୍ରଚଳ ଲାଗି ରହିଥିଲା । ତେବେ ହଠାତ୍ ଗଛଟି ଭାଙ୍ଗିପଡିଥିଲା । ଅତି ନିକଟରେ ଭତ୍ତା ବଣ୍ଟା ଯାଉଥିଲା । ଏହି ସମୟରେ ଭତ୍ତା ନେବାପାଇଁ ୧୦ରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ମଧ୍ୟ ଭିଡ ଜମାଇଥିଲେ । କେହି କିଛି ଭାବିବା ପୂର୍ବରୁ ଗଛଟି ଭାଙ୍ଗି ପଡିଥିଲା । ଭତ୍ତା ବାଣ୍ଟିବାକୁ ଆସିଥିବା ପୌର କର୍ମଚାରୀଙ୍କ ବାଇକ ଭାଙ୍ଗିରୁଜି ଯାଇଥିବା ବେଳେ ଉପସ୍ଥିତ ବୃଦ୍ଧ ବୃଦ୍ଧା ତଥା ଯାତାୟତ କରୁଥିବା ପଥଚାରୀ ଓ ଭୋଜିଭାତ ପାଇଁ ଯାଆସ କରୁଥିବା ଲୋକେ ସୌଭାଗ୍ୟ ବସତଃ ବର୍ତ୍ତିଯାଇଥିଲେ । କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।


