ବିନା ଭକ୍ତ ଶ୍ରଦ୍ଧାଳୁରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଜାଗର ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ପବିତ୍ର ମହେନ୍ଦ୍ରଗିରି ଠାରେ ବିନା ଭକ୍ତ ବା ଶ୍ରଦ୍ଧାଳୁରେ ଜାଗର ଯାତ୍ରା ପାଳିତ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ କୋଭିଡର ପ୍ରଭାବ ଯୋଗୁଁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ପବିତ୍ର ମହେନ୍ଦ୍ରଗିରି ଠାରେ ଶିବରାତ୍ର ପୂର୍ବ ଦିନରୁ ଲକ୍ଷ ଲକ୍ଷ ଭକ୍ତ ବା ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ରାଜ୍ୟ ବାହାରୁ ବହୁ ଲୋକେ ଆସିଥାନ୍ତି । ବିଶେଷ କରି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରୁ ମଧ୍ୟ ଏହି ପବିତ୍ର ସ୍ଥାନକୁ ଆସୁଥିଲେ । ହେଲେ ଚଳିତ ଥର ପ୍ରଶାସନ ଫେବୃୟାରୀ ୨୭ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଦର୍ଶନକୁ ବାରଣ କରିଥିବା ଯୋଗୁଁ କେହି ଭକ୍ତ ବା ଶ୍ରଦ୍ଧାଳୁ ଯାଇପାରିନଥିଲେ । ମହେନ୍ଦ୍ରଗିରି ପ୍ରବେଶ ଦ୍ୱାର ଓ ଚତୁପାଶ୍ୱର୍ରେ ଗଜପତି ପୋଲିସ ବ୍ୟାପକ ମାତ୍ରାରେ ମୁତୟନ ରହିଥିବାର ଦେଖିବାକୁ ମିଳିଥିଲା । କେବଳ ରୀତିନୀତି ପୂଜାର୍ଚ୍ଚନା ପାଇଁ କେତେକ ପୂଜକ ତଥା ପାହାଡ ଦେଶର କିଛି ଗ୍ରାମବାସୀ ପ୍ରଶାସନର ଅନୁମତି କ୍ରମେ ଶିଖରକୁ ଯାଇଥିଲେ । ଏହି ପବିତ୍ର ମହେନ୍ଦ୍ରଗିରିରେ ଜାଗର ଯାତ୍ରା ବ୍ୟତୀୟ ପ୍ରାକୃତିକ ମନୋରମ ଦୃଶ୍ୟ ବିଶେଷ କରି ଶିବରାତ୍ର ଦିନ ଭୋର ସକାଳୁ ସୂର୍ଯ୍ୟଦେବଙ୍କ ଉଁଇବା ଦୃଶ୍ୟ ବେଶ ଆକୃଷ୍ଟ କରିଥାଏ । ତେଣୁ ଏଠାକୁ ଶିବରାତ୍ର ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିଲା । ଅନ୍ୟପକ୍ଷରେ ଏହି କଟକଣା ଖବରକୁ ଜାଣି ନ ପାରି ବାହାର ରାଜ୍ୟ ତଥା ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତବା ଶ୍ରଦ୍ଧାଳୁ ଆସି ଯାଇଥିଲେ ମଧ୍ୟ ସେମାନଙ୍କୁ ପୋଲିସ ପାଦଦେଶରୁହିଁ ପଠାଇଦେଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ