ବିନା ମେଳାରେ ମକର ଉତ୍ସବ ପାଳିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କୋଭିଡ କଟକଣା ପାଇଁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ମକର ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଥିବା ଦେଖାଯାଇଛି । ବ୍ଲକର ପ୍ରସିଦ୍ଧ ଚେକାସାନ୍ତାଣୀ ପୀଠରେ ମଙ୍ଗଳଦୀପ ସହିତ ମାଆଙ୍କ ସ୍ନାନ, ଯଜ୍ଞ, ବାଲ୍ୟଭୋଗ ଅନୁଷ୍ଠିତ ହୋଇଥିଲା । ପୂଜାକାର୍ଯ୍ୟରେ ନିରାକାର ପଣ୍ଡା ପ୍ରତାପ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ପ୍ରଦୀପ ପଣ୍ଡା ଓ ପ୍ରଭାତ ପଣ୍ଡା ନିୟୋଜିତ ଥିବାବେଳେ ସ୍ଥାନୀୟ ବାହାଦଲପୁର ଓ ବଣସାହି ଗ୍ରାମବାସୀମାନେ ଏଥିରେ ସହଯୋଗ କରିଥିଲେ । ପୀଠକୁ ଆଖପାଖ ନଗୁଆଁ, ଦକ୍ଷିଣବାଡ, ଡଗରପଡା, ପାହିମହୁରା, ପାଟୁଳି, ଉତ୍ତରବାଡ, ହାଟଡିହୀ, ଅରେଇକଣା, ବୟାଁ, ସରସଦା, ପିରିପୁର ପ୍ରମୁଖ ଗ୍ରାମର ଶ୍ରଦ୍ଧାଳୁମାନେ ଆସି ଧୂପ ଦୀପ ନୈବିଦ୍ୟରେ ମାଆଙ୍କ ପୂଜାର୍ଚ୍ଚନା କରିଥିଲେ । କୋଭିଡ କଟକଣା ସକାଶେ ପ୍ରତ୍ୟକ ବର୍ଷ ପରି ଚଳିତବର୍ଷ ଦୋକାନ ବଜାର ପୀଠରେ ବସିନଥିଲା । ସେହିଭଳି ବାରିକପୁର ନିକଟ କାଳିତ୍ରାପୀଠ ଓ ବିଣ୍ଣୁପୁର ସ୍ଥିତ ଚିଙ୍ଗୁଡିପୁର ଠାରେ ମଧ୍ୟ ନିରାଡମ୍ବର ଭାବେ ମକର ଉତ୍ସବ ପାଳିତ ହୋଇଛି । ଏହାଛଡା ସାନଶାସନ ପଞ୍ଚାୟତର ଅଁଳାଶୁଣୀ ପୀଠରେ ଆଜି ମକର ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ଦୀଘ ୮ଦିନ ଧରି ମେଳା ଅନୁଷ୍ଠିତ ହୋଇ ଆସୁଥିବାବେଳେ ଚଳିତବର୍ଷ କରୋନା କଟକଣା ଯୋଗୁ ଏଠାରେ ଦୋକାନ ବଜାର ଦେଖିବାକୁ ମିଳିନଥିଲା । ମୋଟାମୋଟି ଭାବେ କରୋନା ମହାମାରୀ ପାଇଁ ସମସ୍ତ ପ୍ରସିଦ୍ଧ ମକରମେଲା ସ୍ଥାନ ଗୁଡିକ ଦୋକାନ ବଜାର ଶୂନ୍ୟ ଥିବାବେଳେ କେବଳ ବୈଦିକ ବିଧି ଅନୁଯାୟୀ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।


