ବିନୋଦିନୀ ବିଜ୍ଞାନ କଲେଜରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠସ୍ଥ ପଦ୍ମପୁର ଠାରେଥିବା ବିନୋଦିନୀ କନିଷ୍ଠ ବିଜ୍ଞାନ କଲେଜ ଠାରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଏକ ବିଷୟ ଆଧାରିତ ସଚେତନତା ଓ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନେହେରୁ ଯୁବକେନ୍ଦ୍ର ଗଜପତି ଶାଖାର ଯୁବ ଅଧିକାରୀ ବିଜୟକୁମାର ମହାପାତ୍ର ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କୁ ବିଭିନ୍ନ ବିଷୟ ପ୍ରତି କିପରି ସଚେତନତା ହେବା ଆବଶ୍ୟକ ସେ ବିଷୟରେ ବୁଝାଇଥିଲେ । ମୁଖ୍ୟତଃ ଛାତ୍ର ସମାଜ ବିଭିନ୍ନ ବିଷୟବସ୍ତୁ ପ୍ରତି ସଚେତନତା ହାସଲ କରି ସେମାନଙ୍କର ଶିକ୍ଷାର ଉନ୍ନତି ହେବା ସହ ଏକ ସୁସ୍ଥ ସମାଜ ଗଠନ ହେବାପାଇଁ ବାଟଫିଟିବ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ଆଜିର ସମାଜରେ ଛାତ୍ରମାନେ ଏବଂ ଯୁବକମାନେ ଯେଉଁପରି ଖରାପ ରାସ୍ତା ଚୟନକରି ନିଜକୁ ଏବଂ ଅନ୍ୟମାନଙ୍କୁ ଅସୁବିଧା ସୃଷ୍ଟି କରୁଛନ୍ତି ସେମାନେ ପ୍ରଥମେ ସଚେତନତା ହେବା ଆବଶ୍ୟକ ବୋଲି କୁହାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାୟ ୮୦ରୁ ଉର୍ଦ୍ଧ ଯୁବକମାନେ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଯୋଗଦେଇଥିବାବେଳେ ଜି.ମୂରଲୀକ୍ରିଷ୍ଣା, ଶ୍ରୀକାନ୍ତ ଚୌଧୁରୀ, ବିନୋଦ ଚନ୍ଦ୍ର ରଥ, ସୀତାରାମ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।