ବିନ୍ଧାଣୀ

ଜୀଵନ ଆରପାରିରେ କଣ ଅଛି ଉତ୍ତରରେ ମନକୁ ଆସେ ଯମପୁରୀ. ସେହି ଯମପୁରୀ ଖାଲି ଯନ୍ତ୍ରଣା ଆଉ କ୍ଲୀଷ୍ଟ ପ୍ରଦାନ କରିଥାଏ କିନ୍ତୁ ସତରେ କଣ ଜୀଵନ ଆରପାରିରେ ଯମପୁରୀ ଅଛି ଓ ତା ସହିତ ଯମଯନ୍ତ୍ରଣା? ଏମିତି ଅନେକ କଥା ମନକୁ ଆସେ ସ୍ୱପ୍ନା ଦ୍ବିବେଦୀଙ୍କର. କର୍ମଫଳ ଅନୁଯାଇ ଯମଦଣ୍ଡ ମିଳେ ବୋଲି ବିଶ୍ୱାସ କରୁଥିବା ସ୍ୱପ୍ନା ତେଣୁ ନିଜ କର୍ମକୁ ସୁଚାରୁ ରୂପେ କରିବାକୁ ଯାଇ ଭିଜିଲାନ୍ସ ଡିପାର୍ଟମେଣ୍ଟରେ ଚାକିରୀ କରୁଥିବା ବେଳେ କେଡେ କେଡେ କୋଠା ସିଜ କରିବା ସହ କେଵେ କେବେ କେତେ ଲୋକଙ୍କୁ ରାଜାରୁ ଭିକାରୀ କଲାବେଳେ ତାଙ୍କ ଲୁହ ନିଶ୍ୱାସ ପଡୁଥିବ କି ଭାବି ଡରିଯାଆନ୍ତି ଥରେ ଥରେ ସ୍ୱପ୍ନା. ପୁଣି ନିଜ କର୍ତ୍ତବ୍ୟ କରିବାକୁ ଯାଇ ଯଦି କିଛି ନିଷ୍ଠୁର କାମ କରିବାକୁ ପଡୁଛି ତେବେ ସେଥିରେ ତାଙ୍କର କି ଭୁଲ ବୋଲି ଭାବି ଠିକ ଠାକ କର୍ତ୍ତବ୍ୟ କରୁ କରୁ କେଵେ କିଏ ଲାଞ୍ଚ ଦିଏ ତ କେଵେ କିଏ ଗୋଡ଼ତଳେ ପଡି ଅନୁରୋଧ କରେ ଛାଡ଼ିଦେବା ପାଇଁ. ପୁଣି କେଵେ କିଏ ଧମକାଇ ଥାଏ ତ କେଵେ କିଏ ଟେଲିଫୋନରେ ଡର ଭୟ ଦେଖାଇଥାଏ. ସେସବୁକୁ ଭ୍ରୁକ୍ଷେପ ନକରି କର୍ତ୍ତବ୍ୟ ପଥରେ କଣ୍ଟା ଆସିଲେ କଣ୍ଟାକୁ କଣ୍ଟାରେ କାଢି ଆଜିଯାଏଁ ନିଜ ରାସ୍ତାରେ ଚାଲୁ ଚାଲୁ ବେଳେ ବେଳେ ସେସବୁ ବଡ଼ ବଡ଼ ଘରର କେହି ବୟସ୍କ ବା ବୟସ୍କା ଅର୍ଥାତ ବୃଦ୍ଧ ବା ବୃଦ୍ଧାଙ୍କ ଆକ୍ରୋଶ ମୂଳକ କଥାରେ ଜୀଵନର କାଚଘର ଝଣ ଝଣ କରି ଭାଙ୍ଗିଗଲା ପରି ମନେହୁଏ. କିଏ କହୁଥାଏ ସେଇଥିପାଇଁ ପରିବାର ସୁଖ ନାହିଁ ତୁମ ଭାଗ୍ୟରେ ତ କିଏ କହେ ନାରୀ ହୋଇ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧିନଥିବା କି ସନ୍ତାନ ସୁଖ ପାଇନଥିବା ସ୍ତ୍ରୀ ଲୋକ କୁଆଡୁ ବୁଝିବ ବେଘର ହେବାର ଦୁଃଖ! ଘର ଖାନତଲାସୀ ପରି ଅମର୍ଯ୍ୟଦା ପୁଣି ଘର ସିଜ ହେଲେ କେମିତି ଲାଗେ ର ଅନୁଭବ!ଯାହାର ନିଜର ଘର ନାହିଁ, ପରିବାର ନାହିଁ, ପିଲାଛୁଆ ନାହିଁ ସେ ନାରୀ ଭିତରେ ମମତାର ନଈରେ ସ୍ନେହ ସରାଗର ଫଲ୍ଗୁ ଆଶା କରିବା ବୃଥା କହି କିଏ କେତେ କଥା କହିଲେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ ସ୍ୱପ୍ନା.
ସେଦିନ ଯେଉଁ ବଡ଼ବ୍ୟବସାୟୀଙ୍କ ଘରେ ପଶିଲେ ସ୍ୱପ୍ନା ମ୍ୟାଡାମ, ଆଗରୁ ଏମିତି ବଡଘର ଦେଖିନଥିଲେ ଜୀବନରେ କେଵେ କୋଉଠି. ଟ୍ୟାକ୍ସ ଫାଙ୍କି, ଖଜଣା ନଦେବା ଇତ୍ୟାଦି ସଂଗୀନ ଦଫା ଭିତରେ ଘରକୁ ପଶି ଗଲା ବେଳକୁ ଅନା ବନା ଗଛ ସାଙ୍ଗକୁ କାନ୍ଥରେ ବରଗଛ ଓସ୍ତଗଛ ଉଠି କାନ୍ଥ ଫାଟି ଯାଇଛି. ତା ଭିତରୁ ଚେମେଣୀମାନେ ଉଡିଆସି ଦେହ ମୁଣ୍ଡରେ ବାଜିଲେ ସ୍ୱପ୍ନାଙ୍କ ଟିମରେ ଥିବା ଟାଣୁଆ ଅଫିସରମାନଙ୍କ ଦେହ ମୁଣ୍ଡରେ ତ ସେମାନଙ୍କ ଭିତରୁ ପିଅନ ଉଦ୍ଧବ କହୁଥାଏ ଯୋଉଠି ଯେତେ ଧନ ସମ୍ପତ୍ତି ଗଛିତ ଥାଏ ସେଇଠି ସେତେ ଚେମେଣୀ. ଦେଖିଲେନି ପୁରୀ ବଡ଼ ମନ୍ଦିର ରତ୍ନଭଣ୍ଡାର ଚାବି ଫିଟିଲା ବେଳେ କେତେ ଚେମେଣୀ ଚଟିଆ!ଉଦ୍ଧବ କଥାକୁ ଗୁରୁତ୍ୱ ନଦେଇ ଜୋତା ମଚ ମଚ ଶବ୍ଦରେ ଫାଟି ପଡୁଥିଲା ସୁଉଚ୍ଚ ତ୍ରିତଳ ପ୍ରସାଦ. କିନ୍ତୁ ଏତେ ବଡ଼ ଘରେ ପୁରୁଣା ଆସବାସ ଛଡା ମଣିଷ ନଥିଲେ କେହି . ଶେଷରେ ଜଣାଅପଡ଼ିଲା ଭିଜିଲାଆନ୍ସ ଚଢ଼ଉ ହେବାର ଶୁଣି ନିଶ୍ଚୟ ସମସ୍ତେ ଆତ୍ମଗୋପନ କରିଛନ୍ତି. ରିପୋର୍ଟ ଲେଖା ସରିଲା ବେଳକୁ ଉଦ୍ଧବ ଆସି ଜଣେଇଲା ସବା ଉପର ଘରେ ବୁଢ଼ୀ ବସିଛି. ଚାବି ପଡି ଥିବା ସିନ୍ଦୁକକୁ ଫିଟେଇବା ଦୂରର କଥା ଛୁଆଇଁ ଦେଲାନି ବୁଢ଼ୀ. ସବୁ ମାଲମତ୍ତା ନିଶ୍ଚୟ ସେଇଠି ଅଛି. ଦୌଡିଲେ ଖେପା ମାରି ସ୍ୱପ୍ନା ମ୍ୟାଡାମ ଓ ତାଙ୍କ ପଛେ ପଛେ ଟିମ ଅଫିସରମାନେ . ବୁଟ ମାଡରେ ଦୁଆର ଖୋଲିଗଲା. ଅଧା ନିଦ୍ରିତ ଅବସ୍ଥାରୁ ଯେଉଁ ବୃଦ୍ଧା ଉଠିଲେ ତାଙ୍କୁ ଦେଖି ସ୍ୱପ୍ନା ଭାବିଲେ କିଛି ଚେମେଣୀଙ୍କ ସମଷ୍ଟିରେ ଏହି ବୃଦ୍ଧାଙ୍କ ଶରୀର ଅବସ୍ଥା ଯେମିତି . କେତେ ବୟସ ହେବ ଆଙ୍କୁ? ବୃଦ୍ଧା କିନ୍ତୁ ସ୍ପଷ୍ଟ ଜଣେଇ ଦେଇଥିଲେ ଅନ୍ୟମାନେ ଫେରିଯାଆନ୍ତୁ ସେ ସ୍ୱପ୍ନା ମ୍ୟାଡାମଙ୍କୁ ତାଙ୍କ ସିନ୍ଦୁକ ଖୋଲି ଦେଖେଇଦେବେ. ସେୟା ହେଲା. ଭିତରପଟୁ ଦୁଆର ଦେଇ ବୃଦ୍ଧା ସିନ୍ଦୁକ ଖୋଲିବାକୁ ଅନୁମତି ଦେଲେ କିନ୍ତୁ ଏ କଣ ଦେଖୁଛନ୍ତି ସ୍ୱପ୍ନା!କିଛି ପୁରୁଣା ଛୀର୍ଣ୍ଣ ପାଟ ଶାଢ଼ୀ, କାଗଜ, ଚିଠି ଭିତରେ ଟିଫିନରେ କିଛି ରୁଟି. ବୃଦ୍ଧା କହୁଥିଲେ ସମସ୍ତଙ୍କୁ ହରାଇ ସାରିବା ପରେ ଏଇ ମୋର ଶେଷ ସମ୍ବଳ. ପାରୁଛନ୍ତି ତ ସିନ୍ଦୁକଟିକୁ ନେଇଯିବେ ଯଦି ନେଇଯାଆନ୍ତୁ. ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲେ ମଧ୍ୟ କିଛି ନପଚାରି ଫେରିଆସିଥିଲେ ସ୍ୱପ୍ନା ତଳକୁ. ଅଫିସରମାନେ ବେଢ଼ିଯାଇ ପଚାରୁଥିଲେ ସୁନା ରୂପା ହୀରା ଲୀଳା କଣ କେତେ ଅଛି? ଆଜି ସ୍ୱପ୍ନାଙ୍କ ଆଖିରେ ଆଷାଢ଼ୀ ଓ ଶ୍ରାବଣୀ ଧାର ଦେଖି କେହି କିଛି ବୁଝିନପାରି ପୁଣି ପଚାରୁଥିଲେ ସିନ୍ଦୁକ ଭିତରେ ଚେମେଣୀ ମାଡ଼ ହେଲାକି ମ୍ୟାଡ଼ାମ?ତଥାପି ସ୍ୱପ୍ନା ନିରୁତ୍ତର ନରହି କହୁଥିଲେ ଜୀଵନ ଆରପାରିରେ.. ହଁ ମ୍ୟାଡାମ କୁହନ୍ତୁ କୁହନ୍ତୁ ଜୀଵନ ଆରପାରିରେ ବି ବୃଦ୍ଧାଙ୍କର ଲୋଭ ଛାଡ଼ିନି ନା?ସ୍ୱପ୍ନା ଏଥର ଭୋ ଭୋ କାନ୍ଦି ପକେଇଥିଲେ ତ କେହି କିଛି ବୁଝି ପାରୁନଥିଲେ.
ଦୁଇ ତିନି ଦିନ ଜ୍ୱର ହେଲା, ଔଷଧ ଖାଇ ନ ଥିଲେ ମଧ୍ୟ ଚଳି ଥାଆନ୍ତା, କିଛିଦିନ ମଧ୍ୟରେ ସୁସ୍ଥ ହୋଇପାରିଥାଅନ୍ତେ, କିନ୍ତୁ ଆପଣ ଡାକ୍ତରଙ୍କ ପାଖକୁ ଗଲେ.ଡାକ୍ତରବାବୁ ଟିକିଏ ପଚରା ଉଚୁରା କରି ଆଗ ତିନୋଟି ପରୀକ୍ଷା କରିବାପାଇଁ କହିଲେ .
ରିପୋର୍ଟରେ ଜ୍ଵରର କାରଣ ବୁଝା ନ ଗଲେ ମଧ୍ୟ କୋଲେଷ୍ଟ୍ରାଲ ଏବଂ ବ୍ଲଡ଼ ସୁଗାର ଲେବୁଲ ଟିକିଏ ଅଧିକ ଦେଖାଗଲା, ଯାହା ସାମାନ୍ୟ ଏପଟ ସେପଟ ବି ହୋଇପାରେ, କିଛିଦିନ ଜ୍ଵର ହେବା ପରେ.ବର୍ତ୍ତମାନ କିନ୍ତୁ ଆପଣ ଆଉ ଜ୍ଵରର ରୋଗୀ ନୁହନ୍ତି. ଡାକ୍ତରବାବୁ ବୁଝାଇଲେ ଯେ କୋଲେଷ୍ଟ୍ରଲ ଟିକିଏ ଅଧିକ ଅଛି ଏବଂ ଆପଣଙ୍କର ଡ଼ାଇବେଟିସ ଆରମ୍ଭ ହୋଇଯାଇଛି.ଆପଣଙ୍କୁ ଏବେଠାରୁ କୋଲେଷ୍ଟ୍ରାଲ ନିୟନ୍ତ୍ରଣ କରିବା ପାଇଁ ଔଷଧ ଖାଇବାକୁ ହେବ, ଏବଂ ଅନେକ କିଛି ଖାଦ୍ୟ ଖାଇବାରେ ସଂଯମ ରକ୍ଷା କରିବାକୁ ହେବ.ଖାଇବାର ନିଷେଧାଜ୍ଞା ନ ମାନିଲେ ମଧ୍ୟ ରୀତିମତ ଔଷଧ ଖାଇବାରେ ଯେପରି ବ୍ୟତିକ୍ରମ ନ ହୁଏ.ଏହିପରି ତିନିମାସ ବିତିଯିବା ପରେ ପୁଣିଥରେ ଟେଷ୍ଟ .ଏବେ ଦେଖାଗଲା ଯେ କୋଲେଷ୍ଟ୍ରାଲ ମାତ୍ରା କିଛିଟା କମିଛି, କିନ୍ତୁ ରକ୍ତଚାପ କିଛିଟା ବଢି ଯାଇଛି. ଯାହାକୁ ନିୟନ୍ତ୍ରଣ କରିବାପାଇଁ ଆଉ ଗୋଟିଏ ଔଷଧ ଖାଇବାକୁ କହିଲେ.ଏବେ ଆପଣଙ୍କ ଔଷଧର ସଂଖ୍ୟା ହେଲା ଦୁଇଟି.କେତେବେଳେ କ’ଣ ହେଇଯିବ.ଏବେସୁଧା କିଛି ଠିକ୍ ଠାକ୍ କରା ଯାଇପାରିନାହିଁ- ସମସ୍ତ ଦାୟିତ୍ୱ ଶେଷ ହୋଇନାହିଁ.ଏହି ଦୁଃଶ୍ଚିନ୍ତାରେ ରାତିରେ ଠିକ୍ ନିଦ ମଧ୍ୟ ହେଉନାହିଁ.ଫଳରେ ଡାକ୍ତରବାବୁଙ୍କ ପରାମର୍ଶ କ୍ରମେ ଏବେ ନିଦପାଇଁ ଔଷଧ ଖାଇବାକୁ ଆରମ୍ଭ ହେଲା.ଏବେ ଆପଣଙ୍କ ଔଷଧର ସଂଖ୍ୟା ହେଲା ତିନି.ଏତେଗୁଡିଏ ଔଷଧ ଖାଇବାରେ ଆପଣଙ୍କର ପେଟ ଓ ଛାତିରେ ଜଳାପୋଡା ଆରମ୍ଭ ହେଲା. ଡାକ୍ତରବାବୁ କହିଲେ, ଚିନ୍ତା କରିବାର କିଛି ନାହିଁ, ଖାଇବା ପୂର୍ବରୁ ଖାଲିପେଟରେ ଦୁଇବେଳା ଦୁଇଟି ଲେଖାଏଁ ଗ୍ୟାସର ଔଷଧ ଖାଇବାକୁ ହେବ.ଏବେ ଆପଣଙ୍କ ଔଷଧର ସଂଖ୍ୟା ହେଲା ଚାରି.
ଏହିପରି ପ୍ରାୟ ବର୍ଷଟିଏ ଯିବା ପରେ ଆପଣ ଛାତିରେ ଯନ୍ତ୍ରଣା ଅନୁଭବ କରିବାରେ ପରିବାର ଲୋକମାନେ ଆପଣଙ୍କୁ ଡାକ୍ତରଖାନାରେ ଜରୁରୀକାଳୀନ ଭିତ୍ତିରେ ଭର୍ତ୍ତି କରାଇଲେ. ଡାକ୍ତରବାବୁ ସବୁକିଛି ପରୀକ୍ଷା ନିରୀକ୍ଷା କରିବାପରେ କହିଲେ, “ଠିକ୍ ସମୟରେ ଆସିଯାଇଥିବାରୁ ବିରାଟ ବଡ ବିପଦକୁ ଏଡାଇ ଦେଇହେଲା, ନଚେତ ଟିକିଏ ଡେରି ହୋଇଥିଲେ ସର୍ବନାଶ ଯାଇଥାଆନ୍ତା.”ଏହାପରେ କିଛି ବିଶେଷ ପରୀକ୍ଷା କରିବାକୁ ପରାମର୍ଶ ଦେଲେ .ଅନେକ ଗୁଡିଏ ଦାମୀ ଦାମୀ ପରୀକ୍ଷା କରିବାପରେ ଡାକ୍ତରବାବୁ କହିଲେ ଯେ, “ଯେଉଁ ଯେଉଁ ଔଷଧ ଆଗରୁ ଖାଉଛନ୍ତି ସେ ଗୁଡିକ ସହିତ ହାର୍ଟ ପାଇଁ ଆଉ ଦୁଇଟି ଔଷଧ ଖାଇବାକୁ ହେବ ଏବଂ ଅବିଳମ୍ବେ ଜଣେ ଏଣ୍ଡ୍ରୋକୋନୋଲୋଜିଷ୍ଟ ବା ହରମୋନ ସ୍ପେସିଆଲିଷ୍ଟଙ୍କ ସହିତ ପରାମର୍ଶ କରିବାକୁ ହେବ.ଏବେ ଆପଣଙ୍କ ଔଷଧର ସଂଖ୍ୟା ବଢିକରି ହେଲା ଛଅ.ଆପଣ ଜଣେ ହର୍ମୋନେ ସ୍ପେସିଆଲିଷ୍ଟଙ୍କ ସହିତ ଦେଖାକରିବାପରେ ସେ ପୂର୍ବ ସମସ୍ତ ଔଷଧ ସହିତ ଡାଇବେଟିସ ପାଇଁ ଗୋଟିଏ ଔଷଧ ଏବଂ ଥାଇରଏଡ଼ ପାଇଁ ଗୋଟିଏ ଔଷଧ ଖାଇବାକୁ କହିଲେ.ବର୍ତ୍ତମାନ ଆପଣଙ୍କ ଔଷଧର ସଂଖ୍ୟା ବଢିକରି ହେଲା ଆଠ.ଏବେ ଆପଣ ମନେ ମନେ ଜାଣିଲେ ଏବଂ ଭାବିଲେ ଯେ ଆପଣ ଜଣେ ରୋଗାକ୍ରାନ୍ତ ବ୍ୟକ୍ତି.ଆପଣ ହୃଦ୍ ରୋଗ, ମଧୁମେହ, ଅନିଦ୍ରା, ଗ୍ୟାଷ୍ଟ୍ରିକ,ଥାଇରଏଡ଼ , କିଡ଼ନୀ ଇତ୍ୟାଦି ରୋଗରେ ରୋଗଗ୍ରସ୍ଥ.ଆପଣଙ୍କୁ ସମସ୍ତ ଔଷଧ ସହିତ ମନୋବଳ ବଢାଇ ଓ ଜୀଇଁ ରହିବାର ଶକ୍ତି ଧରି ବଞ୍ଚିବା ପାଇଁ ପରାମର୍ଶ ଦିଆଗଲା ଏବଂ ଶିଖାଇ ଦିଆଗଲା ଯେ ଆପଣ ଜଣେ ରୋଗାକ୍ରାନ୍ତ, ଅସୁସ୍ଥ, ଅକର୍ମଣ୍ୟ ବ୍ୟକ୍ତି ଯାହାର ଜୀବନର କୌଣସି ଭରଷା ନାହିଁ.
ଏହିପରି ପାଞ୍ଚ ଛଅ ମାସ ଯିବା ପରେ ଏତେଗୁଡିଏ ଔଷଧର କୁପ୍ରଭାବରେ ପରିସ୍ରା ଜନିତ ସମସ୍ୟା ଦେଖାଦେଲା। ଡାକ୍ତରବାବୁ ସମସ୍ତ ରୁଟିନ ପରୀକ୍ଷା କରିବା ପାଇଁ କହିଲେ ଏବଂ ଜଣାଅପଡ଼ିଲା ଆପଣଙ୍କର କିଡ଼ନୀରେ ସାମାନ୍ୟ ସମସ୍ୟା ଅଛି.ଏଣୁ ବିଭିନ୍ନ ରକମର କିଡ଼ନୀ ଫଁକ୍ସନ ଟେଷ୍ଟ କରିବାକୁ ହେବ. ରିପୋର୍ଟ ଦେଖିବାପରେ ଡାକ୍ତର କହିଲେ ଯେ ସିରିଆସନିନେ ଟିକିଏ ଅଧିକ ଅଛି, ତେବେ ନିୟମିତ ଔଷଧ ଖାଇଲେ ବିଶେଷ କିଛି ଚିନ୍ତା କରିବାର ନାହିଁ। କିଡ଼ନୀ ପାଇଁ ସେ ଆଉ ଦୁଇଟି ଔଷଧ ଯୋଗ କରିଲେ।ଫଳତଃ ଆପଣଙ୍କ ଔଷଧର ସଂଖ୍ୟା ହୋଇଗଲା ଦଶ.ଏବେ ଆପଣ ପାଇଁ ଖାଦ୍ୟ ଅପେକ୍ଷା ଔଷଧ ହୋଇଗଲା ଅଧିକ ଏବଂ ବିଭିନ୍ନ ଔଷଧର ପାର୍ଶ୍ୱପ୍ରତିକ୍ରିୟା କାରଣରୁ ଖୁବ ଦ୍ରୁତ ଗତିରେ ଆପଣ ମୃତ୍ୟୁମୁଖକୁ ଆଗେଇ ଚାଲିଲେ.ଅଥଚ, ଯେଉଁ ଜ୍ୱରପାଇଁ ଆପଣ ଡାକ୍ତରଙ୍କ ପାଖକୁ ଯାଇଥିଲେ, ସେତେବେଳେ ସେ ଯଦି କହିଥାଆନ୍ତେ, “ଏହି ସାମାନ୍ୟ ଜ୍ୱର ପାଇଁ କିଛି କରିବାକୁ ହେବନି, କେବଳ କିଛି ଦିନ ବିଶ୍ରାମ କରନ୍ତୁ, ଅଧିକରୁ ଅଧିକ ପାଣି ପିଅନ୍ତୁ, ଖାଦ୍ୟରେ ଅଧିକାଧିକ ତଟକା ପନିପରିବା ଓ ଫଳ ଯୋଗ କରନ୍ତ. ଶରୀର ସୁସ୍ଥ ରଖିବା ପାଇଁ ସକାଳୁ ଉଠି କିଛି ସମୟ ବାହାରେ ଚଲାବୁଲା କରନ୍ତୁ.ବାସ୍, ତା’ହେଲେ ଆପଣଙ୍କ ଶରୀର ସୁସ୍ଥ ଏବଂ ନିରୋଗ ରହିବ”.ତା ଛଡା ସୁସ୍ଥ ନିରାମୟ ଜୀଵନ ପାଇଁ ତଥା ଶାରୀରିକ ଓ ମାନସିକ ବଳ ପାଇଁ ନିଜ ଲୋକଙ୍କ ସ୍ନେହ ଶ୍ରଦ୍ଧା ଏକାନ୍ତ ଆବଶ୍ୟକ.ତେବେ ରୋଗୀ ବୋଲି ଭାବି ନିଜକୁ ମୃତ୍ୟୁ ପରର ଆରପାରି ଜୀଵନ ପାଇଁ ହତାଶ ହେବାକୁ ପଡ଼ିନଥାନ୍ତା. ଏସବୁ ପାଇଁ ମଣିଷର ମଣିଷପଣିଆ ଲୋଡ଼ା. ସେହି ଆବଶ୍ୟକତାକୁ କେବଳ ରକ୍ତସମ୍ପର୍କୀୟ ବା ବନ୍ଧୁବାନ୍ଧବ ବା ଚିହ୍ନାଜଣା ମଣିଷ କରିପାରିବ ତା ନୁଁହଁ ବରଂ ହୃଦୟବାନ ମଣିଷ ଏସବୁ କରି ବଞ୍ଚିଥିବା ମଣିଷକୁ ବଞ୍ଚିଥିବା ଯାଏଁ ଅନ୍ତତଃ ସୁଖରେ ବଞ୍ଚିବାକୁ ଦେଇପାରିବ.
ସେଇଥିପାଇଁ ଏ ତ୍ରିତଳ ପ୍ରସାଦର ସମସ୍ତ ସରକାରୀ ବାକି ପୈଠ ଜମାକରି ମୁଁ ସ୍ୱପ୍ନା ଦ୍ବିବେଦୀ ଏ ଘରଟିକୁ ଉପଯୁକ୍ତ ଅର୍ଥ ଦେଇ ଏଠି ବାସ କରୁଥିବା ଏକମାତ୍ର ବୃଦ୍ଧାଙ୍କୁ ତାଙ୍କ ପାଉଣା ଦେବା ସହ ଘରଟିକୁ ଅନାଥାଶ୍ରମ କରି ବୃଦ୍ଧ ବୃଦ୍ଧାଙ୍କ ସମ୍ମାନାର୍ଥେ ଏହି ଘରଟିକୁ ସରକାରୀ ନିୟମ ଅନୁଯାୟୀ କିଣିନେଉଛିର ରିପୋର୍ଟ ସହ ଓକିଲନାମା ଓ ଚୁକ୍ତିପତ୍ର ସହ ନିଜ ରିଜାଇନ ଲେଟର ଦେଇ ସ୍ୱପ୍ନା ସେହି ଅଟ୍ଟାଳିକାର ମରାମତି କରାଇବା ସହ ସେହି କୋଠାର ମାଲିକାଣୀ ସେହି ଚେମେଣୀ ପରି ବୃଦ୍ଧାଙ୍କ ସହ ଶହ ଶହ ସହସାଥି ଏକାଠି କରାଇ ଜୀବନର ଆରପାରିର ଚିନ୍ତାରୁ ଯନ୍ତ୍ରଣା ମୁକ୍ତ ହେବାପାଇଁ ଐଶ୍ଵରିକ ଚିନ୍ତା, ଚେତନା ଓ ଚୈତନ୍ୟ ଉଦ୍ରେକ କରି ଖୁବ ଖୁସିରେ ରଖିଥିଲେ. ଡାକ୍ତରଙ୍କ ଔଷଧ ନୁହେଁ କି ଟେଷ୍ଟ ରିପୋର୍ଟ ନୁହେଁ ବରଂ ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଓ ସର୍ବୋପରି ଐଶ୍ଵରିକ ଶକ୍ତି ଉପରେ ବିଶ୍ୱାସ ଓ ଭରସା ସେମାନଙ୍କୁ ନୂତନ ଜୀଵନ ଦେଇଥିଲା. ସ୍ବପ୍ନାଙ୍କ ଏ ପଦକ୍ଷେପ କେତେ ସୁଦୂରପ୍ରସାରୀ ଥିଲା ସେ ନିଜେ ଜାଣିନଥିଲେ ମଧ୍ୟ ଜୀଵନ ଆରପାରିରେ ଯମଯନ୍ତ୍ରଣା ନାହିଁ ବୋଲି କାହିଁକି କେଜାଣି ସ୍ୱପ୍ନାଙ୍କର ହୃଦବୋଧ ହେଉଥିଲା ଏଣିକି. ସହକର୍ମୀମାନେ ବୁଝିପାରୁନଥିଲେ ସ୍ୱପ୍ନାଙ୍କ ମାନସିକତା ଦୁସ୍ଥ ନା ସୁସ୍ଥ!
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ