ବିପତ୍ତି ସମୟରେ ଲୋକଙ୍କ ନିକଟରେ ଶ୍ରମ ମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ଅଗଷ୍ଟ ୧୨ ତାରିଖ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନି ପରିବାରର ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛି। ଖୋଳଖାଳି ଗ୍ରାମର ଏହି ଅଗ୍ନିକାଣ୍ଡରେ ମଶାଣି ସାହିର ଗଦାଧର ଗୌଡ଼, ନାରାୟଣ ଗୌଡ଼ ଓ ଗୁରୁମୁର୍ତ୍ତୀ ସାହୁ ଙ୍କ ଘର ପୋଡିଥିବା ବେଳେ ଗଦାଧର ଗୌଡ଼ଙ୍କ ସର୍ବସ୍ୱ ପୋଡି ପାଉଁଶ ହୋଇଯାଇଥିବା ଓ ବନ୍ଧା ହୋଇଥିବା ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘରିଥିଲା। ଖବର ପାଇ ଓଡିଶା ସରକାରଙ୍କ ଶ୍ରମ ଓ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଞ୍ଚି ଆଶ୍ୱାସନା ଦେବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ମଙ୍ଗଳବାର ଦିନ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ କହିଥିଲେ। ଏଥି ସହ ବିଜୁ ପକ୍କା ଘର ଯୋଜନାରେ ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ସହିତ ଯାଇଥିବା ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ରାସନ ସାମଗ୍ରୀ ଓ ବସ୍ତ୍ର ସହ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ସରପଞ୍ଚ ପ୍ରତିନିଧି ତିନି ପରିବାରଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରନ୍ଧା ଖାଦ୍ୟ ଯୋଗାଇ ଥିଲେ। ସମିତି ସଭ୍ୟ ପ୍ରତିନିଧି କାର୍ତ୍ତିକ ସାହାଣୀ ଅଧିକ କ୍ଷତିଗ୍ରସ୍ତ ଗଦାଧର ପରିବାରଙ୍କୁ ୧୫ ଶହ ଓ ଅନ୍ୟ ଦୁଇ ପରିବାରଙ୍କୁ ୫ ଶହ ଟଙ୍କା ସହ ବସ୍ତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଓ ନାଏବ ସରପଞ୍ଚ ପ୍ରମୋଦ କୁମାର ପଣ୍ଡା ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ଅକାଳ ମୃତ୍ୟୁ ବରଣ କରିଥିବା ବୁଗୁଡା ବ୍ଲକର ଏକଡାଳ ଗ୍ରାମର ପୀତବାସ ନାୟକ ଓ ବିଷ୍ଣୁଚକ୍ର ଗ୍ରାମର ବାଞ୍ଛାନିଧି ପରିଡା ଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ। ବିଧାୟକଙ୍କ ସହ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଟୁକୁନା ସ୍ବାଇଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ