ବିପଦପୂର୍ଣ୍ଣ ଅବସ୍ଥାରେ ଦେବୀନଦୀ ବନ୍ଧ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ପ୍ରବାହିତ ଦେବୀ ନଦୀର ଦୁର୍ବଳ ନଦୀ ବନ୍ଧକୁ ସୁଦୃଢ କରିବା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ପ୍ରତିବର୍ଷ ବନ୍ଧ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଏହି ନଦୀ ବନ୍ଧର ଅବସ୍ଥା ସୁଧୁରିବାରେ ନାଁ ଧରୁନି । ଫଳରେ ବନ୍ୟା ଆସିଲେ ଏହି ନଦୀ କୂଳିଆ ବାସୀ ଭୟଭୀତ ଅବସ୍ଥାରେ ରହୁଥିବା ଜଣାଯାଇଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଅଙ୍ଗେଶ୍ୱରପଡା ନଦୀବନ୍ଧ । ଏହି ବନ୍ଧ ପାଶ୍ୱର୍ରେ ଶିଖର ଓ ଅଙ୍ଗେଶ୍ୱରପଡା ବାଲିଘାଟ ରହିଛି । ଏହି ଘାଟରୁ ପ୍ରତ୍ୟେହ ଶତାଧିକ ଟ୍ରିପ ବାଲି ପରିବହନ କରାଯାଉଛି । ଏହି ବାଲି ପ୍ରତ୍ୟେହ ବିଭିନ୍ନ ଗ୍ରାମକୁ ଉକ୍ତ ବନ୍ଧ ବାଟ ଦେଇଯାଉଥିବାର ଦେଖାଦେଉଛି । ଯାହାଫଳରେ ବନ୍ଧର ଦୁଇ ପାଶ୍ୱର୍ ଖାଲ ହୋଇଯାଉଛି । କେବଳ ସେତିକି ନୁହେଁ ଉକ୍ତ ବନ୍ଧ ସାରା କେଉଁଠି ଖାଲ ତ କେଉଁଠି ବନ୍ଧ ଦୁଇ ପାଶ୍ୱର୍ ଖାଇଯାଇଛି । ବର୍ତମାନ ବର୍ଷା ଦିନ ହୋଇଥିବା ବେଳେ ନଦୀରେ ବର୍ଷା ପାଣି ଆସି ପହଂଚିଛି । ଧୀରେ ଧୀରେ ନଦୀର ଜଳ ପତନ ବୃଦ୍ଧି ପାଉଥିବା ବେଳେ ବିଭାଗ ପକ୍ଷରୁ ନଦୀ ବନ୍ଧ ମରାମତି କରାଯାଇନାହିଁ । ଏପରିକି ଗତବର୍ଷ ଦୁର୍ବଳ ନଦୀ ବନ୍ଧ ସ୍ଥାନରେ ବନ୍ୟା ଜଳକୁ ଅଟକାଇବା ପାଇଁ ବାଲି ବସ୍ତା ପ୍ୟାକିଂ କରାଯାଇଥିଲା । ହେଲେ ଚଳିତ ବର୍ଷ ଉକ୍ତ ଦୁର୍ବଳ ସ୍ଥାନକୁ ମରାମତି କରାଯାଇନଥିବାରୁ ନଦୀରେ ଯଦି ଅଧିକ ବନ୍ୟା ପାଣି ଆସେ ତାହା ହେଲେ ନଦୀ ବନ୍ଧ ପ୍ରତି ବିପଦ ରହିଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ଏହି ବନ୍ଧଟି ଜଳ ସମ୍ପଦ ବିଭାଗର ଅଲଣାହାଟ ସେକ୍ସନ ଅଧିନରେ ରହିଥିବା ବେଳେ ଦୀର୍ଘ ଦିନ ହେବ ଉକ୍ତ ନଦୀ ବନ୍ଧ କାର୍ଯ୍ୟ ହୋଇ ନଥିବା ଜଣାଯାଇଛି । ଯାହାଫଳରେ ନଦୀରେ ବନ୍ୟା ଆସିଲେ ନଦୀ କୂଳିଆବାସୀ ଆତଙ୍କିତ ଅବସ୍ଥାରେ ରହୁଥିବା ଜଣାଯାଇଛି । ନଦୀ ବନ୍ଧର ଅବସ୍ଥା ଏପରି ହୋଇଛି ଯେ ବନ୍ଧରେ ପାଦ ଚଲା ଲୋକ ଯିବା ଆସିବା କରିବା ସମ୍ଭବପର ନୁହେଁ । ଏ ସଂପର୍କରେ ଜଳ ସମ୍ପଦ ବିଭାଗର ଅଲଣାହାଟ ସେକ୍ସନର କନିଷ୍ଠ ଯନ୍ତ୍ରୀ ଦେବୀ ମିଶ୍ରଙ୍କୁ ପଚାରିବାରୁ ଏହି ବନ୍ଧ ଉପରେ ଶିଖରଘାଟ ଠାରୁ ସେକ୍ସନ ଶେଷ ପର୍ଯ୍ୟନ୍ତ ଦୁଇଟି ଟେଣ୍ଡର କରାଯାଇଛି । ଗୋଟିଏ ୪୦ ଲକ୍ଷ ଟଙ୍କାର ହୋଇଥିବା ବେଳେ ଅନ୍ୟଟି ୨୨ ଲକ୍ଷ ଟଙ୍କାର କରାଯାଇଛି । ଏବେ ମାଟିର ଅଭାବ ହେତୁ କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ । ଯେହେତୁ ଚଳିତ ବର୍ଷ ବର୍ଷା ଦିନ ଆରମ୍ଭ ହେଲାଣି ତେଣୁ ବନ୍ୟା ପାଣି ଆସିଲେ ଉକ୍ତ ବନ୍ଧରେ ପାଣି ଅଟକାଇବା ପାଇଁ ବାଲି ବସ୍ତା ପ୍ୟାକିଂ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ