ବିପଦରେ ଗଣମାଧ୍ୟମ

ସୁବାଷ କୁମାର ତାରଣିଆଁ
ଗଣତନ୍ତ୍ରକୁ ସୁଦୃଢ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ । ଆଉ ଗଣମାଧ୍ୟମକୁ ସଠିକ୍ ଭାବରେ ପରିଚାଳନା କରିବାରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭଳି ଉଭା ହୋଇଥାନ୍ତି । ଯେଉଁ ଦେଶରେ ଗଣତନ୍ତ୍ରର ସ୍ୱର ଯେତେ ପ୍ରଖର, ସେ ଦେଶ ସେତେ ଉନ୍ନତ । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାରେ ଗଣତନ୍ତ୍ର ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ । ସେଥିପାଇଁ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ମିଳିଛି । ଗଣମାଧ୍ୟମ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ଘଟଣାବଳୀକୁ ନେଇ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା ହିଁ ଗଣମାଧ୍ୟମ ଉପରେ ବିଶ୍ୱାସନୀୟତା ବଢିଥାଏ । କଲମ ମୁନରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନର ସହ ବଞ୍ଚାଇ ରଖିବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣମାଧ୍ୟମର ମୂଳ ଲକ୍ଷ୍ୟ । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମକୁ ନେଇ ଚାରୋଟି ସ୍ତମ୍ଭ କାର୍ଯ୍ୟକାରୀ ହୋଇଥିଲା । ଦେଶର ସାମଗ୍ରିକ ବିକାଶ ଦିଗରେ ଗଣମାଧ୍ୟମର ଭୂମିକା ରହିଛି । ସେହିପରି ଗଣତନ୍ତ୍ରକୁ ସୁପରିଚାଳନା କରିବା ଦିଗରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ହେଉଥିବା ଘଟଣାବଳୀ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ । ସେହି ଦୃଷ୍ଟିରୁ ଚାରିସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସମାଜର ପରଦା ପଛରେ ଲୁଚି ରହିଥିବା ଅବହେଳିତ, ନିଷ୍ପେସିତ ପ୍ରତିଭାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମଧ୍ୟ ଗଣମାଧ୍ୟମର ଯଥେଷ୍ଟ ଅବଦାନ ରହିଛି । ଗଣମାଧ୍ୟମକୁ ସଠିକ୍ ଭାବେ ପରିଚାଳନା କରିବାକୁ ହେଲେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିନରାତି, ଶୀତ କାକର, ଖରା, ବର୍ଷା ଓ ଭୋକ ଉପାସକୁ ଖାତିର ନକରି ବର୍ଷକ ୩୬୫ ଦିନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଗଣମାଧ୍ୟମ ଓ ସାମ୍ବାଦିକ ସର୍ବଦା ସମାଜରେ ସୁନାମ କମାଇ ଥାଆନ୍ତି । ଦେଶ ସ୍ୱାଧୀନତାପ୍ରାପ୍ତିର ୧୯ ବର୍ଷ ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ଓ ସଫଳ କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରେସ୍ କାଉନ୍‌ସିଲ୍ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲା ଓ ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଗଲା । ଏକ ନିର୍ଭୀକ, ନିରପେକ୍ଷ, ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ପ୍ରେସ୍ କାଉନ୍‌ସିଲ୍ ଏକ ନୈତିକ ପ୍ରହରୀ । ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା । ପ୍ରଥମ ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ । ଦ୍ୱିତୀୟ ଏହାକୁ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ । କାହାକୁ ଭ୍ରୁକ୍ଷେପ ନକରି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରିଚାଳନା କରିବାରେ ଅବହେଳା ନ କରିବା ଏହାର ପ୍ରାଥମିକତା ଅଟେ । ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ । ଦର୍ନୀତିରେ ସମ୍ପୃକ୍ତ ଥିବା ରାଜନେତା ଓ ପୋଲିସ୍ ପ୍ରଶାସନମାନଙ୍କ ଖୋଲି ଦେବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଯଥେଷ୍ଟ ଅବଦାନ ରହିଛି । ବର୍ତ୍ତମାନ ଗଣମାଧ୍ୟମ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି । ଗଣମାଧ୍ୟମ ୧୯୬୬ରେ ସ୍ୱାଧୀନତା ପାଇଲା ଏବଂ ଜାତୀୟ ମାନ୍ୟତା ପାଇଲା । କିନ୍ତୁ ଯେଉଁ ଗଣମାଧ୍ୟମ ଦିନେ ସତ୍ୟ ଓ ନିର୍ଭୀକ ଖବର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉଥିଲା, ଆଜି ତାର କଣ୍ଠରୋଧ କରିଦିଆଯାଉଛି ଯାହା ଏକ ଉଦ୍‌ବେଗଜନକ ବିଷୟ । ଏହାର ସୁଯୋଗ ନେଇ ଛତୁ ଫୁଟିଲା ଭଳି ନୂଆ ନୂଆ ଖବର କାଗଜ ଓ ୱେବପୋର୍ଟାଲ ଗଢିଉଠୁଛି । ଏହିସବୁ ୱେବ୍‌ପୋର୍ଟାଲ, ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ କିଛି ରାଜନୈତିକ ଓ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ରହୁଥିବାରୁ, ଏଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଗଣମାଧ୍ୟମର ମୂଲ୍ୟବୋଧକୁ ଜଳାଞ୍ଜଳି ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କୁ ଧମକାଇ ଟଙ୍କା ଆଦା କରୁଥିବାର ଖବର ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ଯାହା ଗଣମାଧ୍ୟମ ପ୍ରତି ଏକ ଶକ୍ତ ଆଘାତ । ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ଗଣମାଧ୍ୟମ ଏବେ ନିଜ ନିଜ ଭିତରେ କାଦୁଆ ଫିଙ୍ଗାଫିଙ୍ଗିରେ ଜଡ଼ିତ ରହୁଛନ୍ତି । ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଦଳୀୟ ସାମ୍ବାଦିକ ବୋଲି କୁତ୍ସାରଟନା କରାଯାଉଛି ଯାହା ସାମ୍ବାଦିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି । ଜଣେ ସାମ୍ବାଦିକ କାଉ କଳା ବୋଲି କହୁଥିବା ବେଳେ ଅନ୍ୟଜଣେ ସାମ୍ବାଦିକ କାଉକୁ ଧଳା ବୋଲି ପ୍ରମାଣିତ କରିବାକୁ ତତ୍ପର ହୋଇପଡ଼ୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଅନାମଧେୟ ଓ ଅସାମାଜିକ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ନିଜକୁ ସାମ୍ବାଦିକତାର ପରିଚୟ ଦେଇ ଗରିବ ଓ ସାଧାରଣ ଜନତାଙ୍କୁ ବ୍ଲାକ ମେଲିଂ କରି ଅର୍ଥ ଉପାର୍ଜନ କରୁଛନ୍ତି ଯାହା ସାମ୍ବାଦିକ ଓ ଗଣମାଧ୍ୟମ ନାମରେ କଳଙ୍କ । ସେହିପରି ସମ୍ବାଦିକମାନଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କ ଉପରେ ଅକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ, ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି । ଯେଉଁଥି ପାଇଁ ଗଣମାଧ୍ୟମ ଆଜି ଗଣତାନ୍ତ୍ରିକ ଶାସକ କଳର ବ୍ୟବସ୍ଥା ମଧ୍ୟରେ ପେଶି ହୋଇଯାଇଛି । ଦେଶ ସ୍ୱାଧୀନ ହେଲା, ଅଥଚ ପରାଧୀନତାର ଆଢୁଆଳରେ, ସ୍ଥିତି ମଧ୍ୟରେ ଛନ୍ଦିହୋଇ ରହିଗଲା ଗଣମାଧ୍ୟମ, ଯାହା ନିଶ୍ଚିତରୂପେ ଏହା ଅଶୁଭ ସଙ୍କେତ ଅଟେ । ଗଣମାଧ୍ୟମକୁ ଅଣନିଶ୍ୱାସୀ କରି ରଖାଯାଇଛି, କଣ୍ଠରୋଧ କରାଯାଉଛି ଏହାର ସ୍ୱାଧୀନତାର ମାନେ କିଛି ନାହିଁ । ଗଣମାଧ୍ୟମର ସ୍ୱାଭିମାନ ଆଜି ରସାତଳଗାମୀ । ବହୁମୁଖୀ ମୂଲ୍ୟବୋଧ ସମସ୍ୟାକୁ ଜଳାଞ୍ଜଳି ଦେବାକୁ ବାଧ୍ୟ ହେଉଛନ୍ତି ଯାହା ଆମର ବିଶ୍ୱାସଘାତକ ଭଳି ପରିଚୟ ସୃଷ୍ଟି କରି ଚାଲିଛି । ବଦନାମର ଆଖ୍ୟା ପାଉଛି ଏବଂ ଗଣଙ୍କର ବିଶ୍ୱାସଭାଜନ ହରାଇବାରେ ଲାଗିଛି । ବର୍ତ୍ତମାନ ସମୟ ଆସିଛି, ଏହି ଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଗଣମାଧ୍ୟମକୁ ଆହୁରି ଦୃଢତାର ସହିତ ଶକ୍ତିଶାଳୀ କରିବାକୁ ହେଲେ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ । ସାମ୍ବାଦିକ ବୃତ୍ତି ପ୍ରତି ସାମାନ୍ୟତମ ଜ୍ଞାନ ନଥାଇ, ସାମ୍ବାଦିକତାର ପରିଚୟ ଦେଇ ସାଧାରଣ ଜନତାଙ୍କୁ ଠକୁଥିବା ନକଲି ସାମ୍ବାଦିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । କଥାରେ ଅଛି ଗୋଟିଏ ହାତରେ ପାଞ୍ଚୋଟି ଆଙ୍ଗୁଳି କେହି ନୁହେଁ କାହା ଭଳି, ପାଞ୍ଚଜଣ ଯାକ ଏକାଠି ହୋଇଲେ ପରବତ ଦେବେ ଟାଳି । ତେଣୁ ସମୟ ଆସିଛି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଏକାଠି ହେବାକୁ ପଡ଼ିବ । ଗଣମାଧ୍ୟମର କଣ୍ଠରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ । ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ସଭିଏଁ ଏକତ୍ରିତ ଭାବେ ପ୍ରତିରୋଧ କରିବାକୁ ପଡ଼ିବ । ଏଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ନିହାତି ଜରୁରୀ । ପ୍ରତ୍ୟେକ ସାମ୍ବାଦିକ ଓ ଗଣମାଧ୍ୟମଗୁଡ଼ିକ ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହିତ ଦଳମତରୁ ଉର୍ଦ୍ଧ୍ୱରେ ରହି କୌଣସି ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ନହୋଇ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆଗେଇ ଆସିବାକୁ ପଡ଼ିବ । ତେବେ ଯାଇ ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ନିଜର ମୂଲ୍ୟବୋଧକୁ ବଜାୟ ରଖିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ