ବିପଦ ପୂର୍ଣ୍ଣ ଅବସ୍ଥାରେ ଗଂଗଦାହାଟ ଗୋବରୀ ନଦୀ ପୋଲ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଗଂଗଦାହାଟ ଗୋବରୀ ନଦୀ ପୋଲଟି ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପୋଲର ଉଭୟ ପାଶ୍ୱର୍ର ଗାର୍ଡ ୱାଲ ଗୁଡିକ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିବା ବେଳେ ପୋଲର ଉଭୟ ପଟ ସଂଯୋଗୀକରଣ ରାସ୍ତା ଦବୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏହି ପୋଲଟି ୧୯୮୮ ମସିହାରେ ତତ୍କାଳିନ ବାଲିକୁଦା ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ପ୍ରଚେଷ୍ଠାରେ ନିର୍ମାଣ କରାଯାଇଥିଲା । ଏହି ପୋଲ ନିର୍ମାଣ ହେବା ଦ୍ୱାରା ବ୍ଲକର ୬ଗୋଟି ପଂଚାୟତର ଜନସାଧାରଣଙ୍କର ଯାତାୟତରେ ସୁବିଧା ହେବା ସହିତ ଗଂଗଦାହାଟ ମଧ୍ୟକୁ ପରିବହନର ସୁବିଧା ମଧ୍ୟ ହୋଇଥିଲା । ଦେବୀନଦୀରେ ଶିଖରଘାଟ ପୋଲ ନିର୍ମାଣ ହେବା ପରେ ଏହି ପୋଲର ଗୁରୁତ୍ୱ ଗଢିଯାଇଛି । ଏହି ପୋଲ ଦେଇ ବିଭିନ୍ନ ସ୍ଥାନରୁ ଜନସାଧାରଣମାନେ ପୁରୀ, ଭୁବନେଶ୍ୱର,ପାରାଦ୍ୱିପ ଆଦି ସ୍ଥାନକୁ ମଧ୍ୟ ସୁବିଧାରେ ଯାତାୟତ କରିପାରୁଛନ୍ତି । ଏହି ପୋଲଟିର ନିର୍ମାଣ ହେବା ପାଖାପାଖି ୩୨ ବର୍ଷ ହୋଇଥିଲେ ମଧ୍ୟ କେବଳ ୬ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ଉପରେ ଢଳେଇ କାମ କରାଯିବା ସହିତ ଗାର୍ଡ ୱାଲ ଗୁଡିକୁ ମରାମତି କରାଯାଇଥିଲା । କିନ୍ତୁ ଏବେ ଉକ୍ତ ଗାର୍ଡ ୱାଲ ଗୁଡିକ ଭୁସୁଡି ପଡୁଥିବା ବେଳେ ଉପରେ ପଡିଥିବା ଢଳେଇ ଛାଡୁଥିବାରୁ ଖାଲଖମାରେ ପରିଣତ ହେଉଥିବା ଦେଖାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପୋଲ ଉପରେ ଦୈନିକ ଶହ ଶହ ହାଇୱା ଗାଡି ସହିତ ଅନ୍ୟ ଯାନବାହନ ଯାତାୟତ କରୁଛନ୍ତି । କିନ୍ତୁ ହାଇୱା ଗାଡିରେ ୪୦ରୁ ଉର୍ଦ୍ଧ ଟନର ବାଲି ଓ ପଥର ବୋଝେଇ ହୋଇ ଯାଉଥିବା ଦେଖାଯାଉଛି । ଯାହାଫଳରେ ଉକ୍ତ ପୋଲଟି କେଉଁ ମୂହୂର୍ତରେ ଭୁଷୁଡି ପଡିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ