ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା: ଉତ୍ତର ବାଲେଶ୍ୱରରେ ଶହ ଶହ ଗାଁ’ଜଳବନ୍ଦୀ

ବାଲେଶ୍ୱର, (ସରୋଜ ପଣ୍ଡା): ଲଗୁଚାପ ଜନିତ ଲଗାଣ ବର୍ଷା ବନ୍ଦ ହୋଇଯାଇଥିଲେ ବି ନଦୀମାନଙ୍କରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି । ଜିଲାର ବୁଢ଼ାବଳଙ୍ଗ ନଦୀର ଜଳପତ୍ତନ ଏବେ ବିପଦ ସଙ୍କେତ ନିମ୍ନରେ ୭.୨୨ ମିଟରରେ ପ୍ରବାହିତ ହେଉଥିବା ବେଳେ ଜଳକା ବିପଦ ସଙ୍କେତ ଉପରେ ୬.୪୪ରେ ସ୍ଥିର ରହିଛି । ଅନ୍ୟପକ୍ଷରେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସୂଚନା (୧୦.୩୬ ମି.) ର ଉପରେ ଅର୍ଥାତ ୧୦.୬୬ ମିଟରେ ପାଣି ପ୍ରବାହିତ ହେଉଥିଲା । ମାତ୍ର ଅପରାହ୍ନଠାରୁ ଜଳପତ୍ତନ ହ୍ରାସ ପାଇବା ସହ ସଂଧ୍ୟା ସୁଦ୍ଧା ୧୦.୬୩ ମିଟରେ ପହଞ୍ଚିଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାଲିଆପାଳ, ଜଳେଶ୍ୱର, ଭୋଗରାଇ ପ୍ରଭୃତି ବ୍ଲକ ତଳିଆ ଅଞ୍ଚଳର ଶହଶହ ଗାଁ’ର ଲୋକେ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମି ଏବେ ପାଣିରେ ବୁଡ଼ି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଥିବା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ ଟିମ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଶନିବାର ମଧ୍ୟାହ୍ନ ସୁଦ୍ଧା ଜିଲାର ସବୁନଦୀର ଜଳସ୍ତର ସତର୍କ ସୂଚନାଙ୍କ ନିମ୍ନକୁ ଖସିବ ବୋଲି ଅନୁମାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ