ବିପନ୍ନ ସୀମା ଓ ପଡ଼ୋଶୀ ରାଜ୍ୟରେ ଅବହେଳିତ ଆମ ଭାଷା : ଉତ୍କଳ ସମ୍ମିଳନୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଉତ୍କଳ ସମ୍ମିଳନୀ ପକ୍ଷରୁ ଗତକାଲି ଲୋହିଆ ଏକାଡ଼େମୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆମ ରାଜ୍ୟର ସୀମାକୁ ପଡ଼ୋଶୀ ରାଜ୍ୟ ସରକାରଙ୍କ ଦ୍ୱାରା କବଳିତ କରିବାର ଅପକୌଶଳ ତଥା ଝାଡ଼ଖଣ୍ଡ, ଛତିଶଗଡ ପଶ୍ଚିମବଙ୍ଗରେ ଆମ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ ପାଇଁ ସମ୍ମିଳନୀର ସଭାପତି ପ୍ରଫେସର ଅଦ୍ୱୈତ କୁମାର ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ବିଶେଷକରି କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣା ଅଞ୍ଚଳରେ ଆନ୍ଧ୍ରର ଅଯଥା ଅଧିକାର ଜାହିର ନିମନ୍ତେ ନାନା ପ୍ରକାର କୁତ୍ସିତ ପନ୍ଥା ଅବଲମ୍ବନକୁ ପ୍ରତିହତ କରିବା ପାଇଁ ଆମ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉତ୍କଳ ସମ୍ମିଳନୀ ତରଫରୁ ଅନୁରୋଧ କରାଯାଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶାନୁଯାୟୀ ସାଂସଦ ଭବନରେ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଶାର ସାଂସଦମାନେ ଏକ ହୋଇ ‘କୋଟିଆ’ ଓଡ଼ିଶାର ବୋଲି ସାବ୍ୟସ୍ତ କରନ୍ତୁ । ସେହିଭଳି ପଶ୍ଚିମବଙ୍ଗ ସରକାର ଦୀଘା ବେଳାଭୂମିକର ସମ୍ପ୍ରସାରଣ ପାଇଁ ଆମ ଉଦୟପୁର ବେଳାଭୂମିକୁ ଅକ୍ତିଆର କରିବାର ବୃଥା ଉଦ୍ୟମକୁ ପ୍ରତିରୋଧ କରିବା ସହ ‘ତାଳସାରୀ-ଉଦୟପୁର ବେଳାଭୂମି ଅଥରିଟି’ ପ୍ରକଳ୍ପ ଯଥାଶୀଘ୍ର କରିବା ପାଇଁ ସମ୍ମିଳନୀରେ ଦାବୀ କରାଯାଇଛି । ସାରା ରାଜ୍ୟରେ ୯୫ରୁ ଉର୍ଦ୍ଧ୍ୱ ଗ୍ରମାଞ୍ଚଳକୁ ପଡ଼ୋଶୀ ରାଜ୍ୟ ଦଖଲ କରିବାର ଉଦ୍ୟମରତ ଥିବା ସମୟରେ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ରାଜସ୍ୱ ବିଭାଗରେ ‘ସୀମା ସମସ୍ୟା ସମାଧାନ ପ୍ରକୋଷ୍ଠ’ ଗଠନ କରି ଆଗାମୀ ଛଅମାସ ମଧ୍ୟରେ ସଘନ ବ୍ୟବସ୍ଥା କରିବା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିସହିତ ‘ସୀମାନ୍ତ ଗ୍ରାମ ବିକାଶ ପରିଷଦ’ ଗଠନ କରାଯାଇ ୫ ବା୧୦ କିମି ଓସାର ଭିତରେ ଥିବା ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ବିକାଶ କରାଗଲେ ପଡ଼ୋଶୀ ରାଜ୍ୟମାନେ ଆମ ସୀମାନ୍ତ ଗ୍ରାମର ବାସିନ୍ଦାମାନଙ୍କୁ ପ୍ରଲୋଭିତ କରିବାର ଅବକାଶ ପାଇବେ ନାହିଁ ବୋଲି ଉତ୍କଳ ସମ୍ମିଳନୀର ଅଭିମତ । ପ୍ରଫେସର ପାତ୍ର ପଡ଼ୋଶୀ ରାଜ୍ୟରେ ଓଡ଼ିଆ ଭାଷାର ଅବହେଳା ସମ୍ବନ୍ଧରେ ଉଲ୍ଲେଖକରି ନିକଟରେ ଝାଡ଼ଖଣ୍ଡ ଏକାଡ଼େମିକ କାଉନସିଲ ଶିକ୍ଷକ ନିଯୁକ୍ତି ପରୀକ୍ଷାର ସପ୍ତମ ପତ୍ରରେ ଲେଖିବା ପାଇଁ ୧୨ଟି ଭାଷାର ସୁଯୋଗ ଦେଇଥିଲାବେଳେ ଓଡ଼ିଆ ଭାଷାକୁ ବଞ୍ôଚତ କରିଛନ୍ତି । ଯେଉଁଥିପାଇଁ ନିକଟରେ ଷଢେଇକଳାଠାରେ ଅବିଭକ୍ତ ସିଂହଭୂମିର ଓଡ଼ିଆମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେହିଭଳି ଜଣେ ଓଡ଼ିଆ ଅବସରପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ଆଗତ ମକଦ୍ଦମାର ରାୟରେ ଛତିଶଗଡ଼ର ବିଳାସପୁର ଉଚ୍ଚନ୍ୟାୟାଳୟ ଛତିଶଗଡ଼ ସରକାରଙ୍କୁ ଓଡ଼ିଆ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଓଡ଼ିଆ ପ୍ରାଥମିକ ଶିକ୍ଷାଦାନର ଆଦେଶ ଦେଇଥିଲେ ହେଁ ଏର୍ପ୍ୟନ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ । ଏଥିପାଇଁ ଉତ୍କଳ ସମ୍ମିଳନୀ, ଆମ ରାଜ୍ୟ ସରକାର, ବିଧାନସଭା ସଂଖ୍ୟାଲଘୁ ଭାଷି ଗୃହ କମିଟି ବାରବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ ଜଣାଇଥିଲେ ମଧ୍ୟ ଛତିଶଗଡ଼ ସରକାର ନୀରବ । ପଶ୍ଚିମବଙ୍ଗର କଲିକତା ନଗରୀ ଓ ଆଖାପାଖ ଜିଲ୍ଲାମାନଙ୍କରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ବିଦ୍ୟାଳୟଗୁଡ଼ିକର ଅନୁମତି ଓ ଅନୁଦାନ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସରକାର ଦେଉନାହାଁନ୍ତି କିମ୍ବା ବିଚ୍ଛିନ୍ନାଞ୍ଚଳ ଅବିଭକ୍ତ ମେଦିନୀପୁର ଜିଲ୍ଲାରେ ଉତ୍କଳ ସମ୍ମିଳନୀ ଦ୍ୱାରା ନିଯୁକ୍ତ ୧୩୬ଜଣ ଶିକ୍ଷକମାନଙ୍କୁ ପଶ୍ଚିମବଙ୍ଗ ସରକାର ତାଙ୍କ ସରକାରୀ ବିଦ୍ୟାଳୟ ଶିକ୍ଷାଦାନର ସୁଯୋଗ ନଦେବା ଫଳରେ ଆମ ଶିକ୍ଷୟିତ୍ରୀମାନେ ନିଜ ଘର ବାରଣ୍ଡାରେ ଚାଟଶାଳୀ କରିବାରେ ବାଧ୍ୟ ହେଉଛନ୍ତି । ପ୍ରକାଶଥାଉକି ଚାରୋଟି ପଡ଼ୋଶୀ ରାଜ୍ୟରେ ରାଜ୍ୟ ସରକାରଙ୍କ ଅନୁଦାନ କ୍ରମେ ଉତ୍କଳ ସମ୍ମିଳନୀ ଦ୍ୱାରା ୬୪୭ ଶିକ୍ଷକ/ଶିକ୍ଷୟିତ୍ରୀମାନେ ନିଯୁକ୍ତ ହୋଇ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ତିନୋଟି ରାଜ୍ୟରେ ପଡ଼ୋଶୀ ରାଜ୍ୟ ସରକାରଙ୍କ ସରକାରୀ ବିଦ୍ୟାଳୟ ଓଡ଼ିଶା ଶିକ୍ଷା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଉତ୍କଳ ସମ୍ମିଳନୀର ପ୍ରସ୍ତାବ ଆମ ରାଜ୍ୟ ସରକାର ଶିକ୍ଷକ ସଂଖ୍ୟା ଦ୍ୱିଗୁଣିତ କରି ମାସିକ ଦରମା ତିନି ହଜାରରୁ ପାଞ୍ଚ ହଜାର ପାରିଶ୍ରମିକ ଦିଅନ୍ତୁ ଏବଂ ପ୍ରଚଳିତ କେନ୍ଦ୍ରର ଶିକ୍ଷାନୀତି ଅନୁଯାୟୀ ଓଡ଼ିଆ ଭାଷୀ ଜିଲ୍ଲାମାନଙ୍କରେ ପଡ଼ୋଶୀ ରାଜ୍ୟମାନେ ଏକ ହଜାର ଲେଖାଏଁ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦିଅନ୍ତୁ । ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଉଭୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ବାଦଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉଷାରାଣୀ ମହାନ୍ତି, କୋଷାଧ୍ୟକ୍ଷ ବିମଳ ଷଡ଼ଙ୍ଗୀ, ସମ୍ପାଦକ ଭୀମସେନ ମହାପାତ୍ର, ଶିବସୁନ୍ଦର ପଟ୍ଟନାୟକ, ରବୀନ୍ଦ୍ର କୁମାର ମିଶ୍ର ଭୁବନେଶ୍ୱର ଶାଖା ସଭାପତି ଅଶୋକ ଦାସ, ଶାଖା କୋଷାଧ୍ୟକ୍ଷ ଶଶାଙ୍କ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ