ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତର-ନର୍ସଙ୍କ ରୁକ୍ଷ ବ୍ୟବହାରକୁ ନେଇ ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜ ହସପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ତଥା ଡାକ୍ତର ଓ ନର୍ସଙ୍କ ଦାୟିତ୍ୱରେ ଅବହେଳା ଅଭିଯୋଗ କରି ଯୁବ ସଂଗଠକ ରଘୁନାଥ ଲେଙ୍କା ଓ ସାଥୀମାନେ ସୋମବାର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ ଆଗରେ ସୋମବାର ଧାରଣା ଦେଇଥିଲେ । ସେମାନଙ୍କ ଆପତ୍ତି ଅନୁସାରେ ବାଲେଶ୍ୱରରେ ମେଡିକାଲ କଲେଜ ସ୍ଥାପନ ପରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ହେବ ବୋଲି ଜିଲାବାସୀ ଆଶା କରିଥିଲେ । ମାତ୍ର ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ଓ ଡାକ୍ତର-ନର୍ସଙ୍କ ଦାୟିତ୍ୱରେ ଅବହେଳା ଯୋଗୁଁ ଜନସାଧାରଣଙ୍କ ଆଶା ଆକାଂକ୍ଷା ଧୂଳିସାତ ହେବାରେ ଲାଗିଛି ବୋଲି ଶ୍ରୀ ଲେଙ୍କା କହିଛନ୍ତି । ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ପରିବାରଙ୍କ ପ୍ରତି ବୃଦ୍ଧି ପାଇଥିବା ଡାକ୍ତର ଓ ନର୍ସଙ୍କ ରୁକ୍ଷ ବ୍ୟବହାରରେ ସୀମା ଟପିଛି । ପ୍ରାୟ ପ୍ରତ୍ୟେକ ଦିନ ରୋଗୀ ଓ ସମ୍ପର୍କୀୟଙ୍କ ପ୍ରତି ଡାକ୍ତର ଓ ନର୍ସଙ୍କ ଦୁର୍ବ୍ୟବହାର ସମ୍ପର୍କିତ ଖବର ସମ୍ବାଦପତ୍ରରେ ପୃଷ୍ଠାମଣ୍ଡନ କରୁଛ । ଏଥିପ୍ରତି ହସପିଟାଲ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ କିମ୍ବା ଲୋକ ପ୍ରତିନିଧିମାନେ ଦୃଷ୍ଟି ନଦେବା ଅତ୍ୟନ୍ତ ଦୁଃର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଲେଙ୍କା ଆରୋପ କରିଛନ୍ତି । ନିକଟ ଅତୀତରେ ଲଙ୍ଗଳେଶ୍ୱରରୁ ଆସିଥିବା ନିଶିକାନ୍ତ ନାଥ ସଠିକ ଢଙ୍ଗରେ ମାସ୍କ ପିନ୍ଧି ନଥିବାରୁ ତାଙ୍କ ପତ୍ନୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଡାକ୍ତର ଶିବନାରାୟଣ ଜାଲି ଗାଲିଗୁଲଜ ସହ ପ୍ରେସକ୍ରିପସନ ଫୋପାଡି ଦେବା, ୱାର୍ଡ଼ରେ ଡିୁ୍ୟଟି କରୁଥିବା ଡାକ୍ତର ଓ ନର୍ସମାନଙ୍କ ଅବହେଳା ଯୋଗୁଁ ଭୋଗରାଇର ମହିଳା ତରୁଲତା ଦାସଙ୍କ ଅକାଳରେ ମୃତ୍ୟୁ ହେବା ଘଟଣାରୁ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟସେବାର ଅସଲ ଚିତ୍ର ପରିଲକ୍ଷିତ କରିଛି । ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଯେ କୌଣସି ସାଧାରଣ ରୋଗ ପୀଡ଼ିତ ଲୋକକୁ କଟକକୁ ରେଫର କରିବା ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଛି । ପୂର୍ବରୁ ଡାକ୍ତରମାନେ ୨ଥର ୱାର୍ଡ଼ ରାଉଣ୍ଡରେ ଯାଉଥିବା ବେଳେ ଏବେ କେବଳ ସକାଳ ଓଳିରେ ତାହା ସୀମିତ ହୋଇ ରହିଯାଇଛି । ଅପରାହ୍ଣରେ ଆସୁଥିବା ରୋଗୀଙ୍କୁ ତହିଁ ଆରଦିନ ଡାକ୍ତର ଆସିବା ଯାଏ ଭଗବାନଙ୍କ ଭରସାରେ ରହିବାକୁ ପଡୁଛି । ପ୍ରକୃତପକ୍ଷେ ପ୍ରାଇଭେଟ ପ୍ରାକ୍ଟିସକୁ ଡାକ୍ତରମାନେ ଅଧିକ ଗୁରୁତ୍ୱ ଦେବା ଯୋଗୁଁ ଡାକ୍ତରଖାନାର ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି । ଏହି ସବୁ ସମସ୍ୟାର ଆଶୁ ସମାଧାନ ଦିଗରେ ହସପିଟାଲ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ଦାବି କରିଛନ୍ତି । ନତୁବା ଆଗାମୀ ଦିନରେ ହସପିଟାଲରେ ସ୍ୱାସ୍ଥ୍ୟସେବାରେ ଅବହେଳା କରୁଥିବା ଡାକ୍ତର ଓ ନର୍ସଙ୍କୁ ଚିହ୍ନଟ ସହ ସେମାନଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି ନେଇ ଶ୍ରୀ ଲେଙ୍କା ଚେତାବନୀ ଦେଇଥିଲେ । ଅନ୍ତର୍ଯାମୀ ପ୍ରଧାନ, ଯଦୁନାଥ ସେଠୀ, ମହମ୍ମଦ ଇକବାଲ ଖାନ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଏହି ଧାରଣା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।