ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ ପୂର୍ବରୁ ଜିଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ୧୯ ତାରିଖରେ ସମଗ୍ର ରାଜ୍ୟରେ ଆୟୋଜିତ ହେବାକୁ ଯାଉଥିବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ସଚେତନତା ଭିତ୍ତିକ ମକଡ୍ରିଲ୍ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ୍ ସ୍ଥାନୀୟ ସଦଭାବନା ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା ସହ ଉପସ୍ଥିତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କ ସହ ବିପର୍ଯ୍ୟୟ ମୁକାବିଲା, ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାର ବନ୍ୟା ଓ ବାତ୍ୟାପ୍ରବଣ ଅଞ୍ଚଳର ଲୋକମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ମୁକାବିଲାର ବିଭିନ୍ନ ଉପାୟ, ଅନୁସନ୍ଧାନ, ଉଦ୍ଧାର ତଥା ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନ କରିବା ପାଇଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହାୟତାରେ ଏହି ମକଡ୍ରିଲ ଅନୁଷ୍ଠିତ ହେଉଛି । ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହେବ । ସେହିପରି ରେଡକ୍ରସ ଦ୍ୱାରା ପରିଚାଳିତ କେନ୍ଦ୍ରରେ ମଧ୍ୟ ଏହା ଅନୁଷ୍ଠିତ ହେବ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି ଅବସରରେ ଟେବୁଲ ଟପ ଏକ୍ସରସାଇଜର ଆବଶ୍ୟକତା ଓ ଅନୁପାଳନ ସମ୍ପର୍କରେ ଅବଗତ କରାଇଥିଲେ । ଓସଡାମା ଜିଲା ପ୍ରକଳ୍ପ ଅଧିକାରୀ ନିମାଇଁ ଚରଣ ଦାସ ଟେବୁଲ ଟପ ଏକ୍ସରସାଇଜ୍‌ର ଆଭିମୁଖ୍ୟ ଏବଂ ମକଡ୍ରିଲରେ କରାଯିବାକୁ ଥିବା ଅଭ୍ୟାସ ଉପରେ ଆଲୋକପାତ କରିଥିଲେ । ସେହିପରି ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ଓ ମକଡ୍ରିଲ ପାଇଁ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ଟେବୁଲ ଟପ ଏକ୍ସରସାଇଜ୍ ସମୟରେ ଅବଗତ କରାଇଥିଲେ । ମକଡ୍ରିଲରେ ଗ୍ରାମବାସୀମାନେ ଭାଗନେବାକୁ ଥିବା ବେଳେ ସ୍ଥାନୀୟ ତହସିଲଦାର, ବି.ଡି.ଓ. ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏହାର ତଦାରଖ କରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ପ୍ରମୁଖ ମଂଚାସୀନ ଥିବା ବେଳେ ଏନଡିଆରଏଫ, ଓଡ୍ରାଫ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଓସଡାମା ସିଷ୍ଟମ ଏକ୍ସପର୍ଟ ଅରବିନ୍ଦ ରାୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ୟୁନିସେଫ ଜିଲା ସଂଯୋଜକ ପ୍ରଦୀପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ