ବିପିଏଲ୍ ପରିବାର ୨୦୦ କୋଟି ଟଙ୍କାର ଜମି ମାଲିକ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦ ଅମରାବତୀରେ ଆହୁରି ରୋଚକ ମୋଡ଼ ନେଇଛି । ରାଜ୍ୟ ସିଆଇଡି କହିଛି ଯେ ଅମରାବତୀରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରାୟ ୭୦୦ ରୁ ଅଧିକ ଲୋକ ୨୦୦ କୋଟିରୁ ଅଧିକ ଟଙ୍କାର ଜମି କିଣିଛନ୍ତି । ସିଆଇଡି ତଦନ୍ତରୁ ଏହା ଜଣାପଡ଼ିଛି ଯେ ଅମରାବତୀରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୭୯୭ ଜଣ ୨୦୧୪-୧୫ ରେ ପ୍ରାୟ ୨୦୦ କୋଟି ଟଙ୍କା ବିନିମୟରେ ୭୦୦ ଏକର ଜମି କିଣିଛନ୍ତି । ଏହି ବ୍ୟକ୍ତିଙ୍କ ମାସିକ ରୋଜଗାର ୫,୦୦୦ ଟଙ୍କାରୁ ମଧ୍ୟ କମ୍ । ଏତେ କମ୍ ଟଙ୍କା ରୋଜଗାରରେ ସେମାନେ ଏତେ ବିପୁଳ ଟଙ୍କାରେ ଜମି କେମିତି କିଣିଲେ ତାହା ସବୁଠୁ ବଡ଼ ପ୍ରଶ୍ନ ବୋଲି ସିଆଇଡି ଏଡିଜି ପିଭି ସୁନୀଲ କୁମାର କହିଛନ୍ତି । ୨୦୧୪ ଏବଂ ୨୦୧୫ ରେ ଅମରାବତୀରେ ଏହି ଜମି ଗୁଡ଼ିକ ପଞ୍ଜୀକରଣ ହୋଇଥିଲା । ସିଆଇଡି ଏବେ ଏହି ଘଟଣା ସମ୍ଭାବ୍ୟ ମନ ଲଣ୍ଡି୍ରଂ ଏବଂ ଟିକସ ଫାଙ୍କି ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ଆୟକର ବିଭାଗର ସହଯୋଗ ନେବ ।


