ବିପିନି ବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ଳାଟିନମ୍ ଜୁବୁଲି ସମାରୋହ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବିପିନି ବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ଳାଟିନମ ଜୁବୁଲି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅତିତରେ ବିଦ୍ୟାଳୟର ଭିତିଭୂମି ଏତେ ସୁଦୃଢ ନଥିଲା କିନ୍ତୁ ଶିକ୍ଷକ ଓ ଛାତଛାତ୍ରୀମାନଙ୍କ ମଧ୍ୟରେ ଏକ ସୁସଂପର୍କ ଥିଲା । ବର୍ତମାନ ଶିକ୍ଷାର ଭିତିଭୂମିର ପରିବର୍ତନ ହୋଇଛି । ପୂର୍ବଠାରୁ ଶିକ୍ଷାର ମାନ ବୃଦ୍ଧି ପାଇଛି କିନ୍ତୁ ପୂର୍ବ ଭଳି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସଂପର୍କର ଅଭାବ ରହିବା ପରି ମନେ ହେଉଛି ବୋଲି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ୭୫ବର୍ଷ ତଳେ ଯେଉଁ ବ୍ୟକ୍ତିତ୍ୱମାନଙ୍କ ପାଇଁ ଏହି ଅନୁଷ୍ଠାନ ଗଢି ଉଠିଥିଲା ସେହିମାନଙ୍କ ଯୋଗୁ ଆଜି ଉକ୍ତ ଅଂଚଳରେ ଶିକ୍ଷାର ବିକାଶ ଘଟିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ଲାଟିନମ୍ ଜୁବୁଲି ସମାରୋହ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ଅତିଥି ଭାବେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ଗୋଠଦା ମଠାଧୀଶ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ସମ୍ମାନୀତ ଅତିଥି ଭାବେ ପଂଚୟାତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଇଂ. ଅକ୍ଷୟ ସାହାଣୀ, ଚୌଧୁରୀ ବିରଂଚି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ଳାଟିନମ୍ ଜୁବୁଲି ସମାରୋହ କମିଟିର ସଂପାଦକ ତଥା ପ୍ରାକ୍ତନ ଅଧ୍ୟାପକ ସରୋଜ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ନାୟକ ମଂଚ ପରିଚାଳନା କରିଥିଲେ । ପ୍ରଥମେ ଅତିଥିମାନେ ବିଦ୍ୟାଳୟର ପ୍ରତିଷ୍ଠାତା ବିପିନି ବିହାରୀ ଦାସଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହିତ ସମାରୋହର ଫଳକ ଉନ୍ମୋଚନ କରିଥିଲେ । ପରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ସ୍ମୃତିଗ୍ରନ୍ଥ ଲୋକାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ସମସ୍ତ ପୁରାତନ ଓ ବର୍ତମାନର ଛାତ୍ରଛାତ୍ରମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ