ବିପୁଳ ପରିମାଣରେ କାଠ ଓ ଟ୍ରାକ୍ଟର ଜବତ ଦୁଇ ଗିରଫ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ପ୍ରାୟ ୬୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କାର କାଠ ଜବତ ସହ ଦୁଇଟି ଟ୍ରାକ୍ଟର ଜବତ କରିଛନ୍ତି। ଏହି ଘଟଣାରେ ବନ କର୍ମଚାରୀ ମାନେ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଗତ ୧୭ ତାରିଖ ରାତିରେ ପେଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ କାଠ ଚାଲାଣ ଖବର ପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ଵରେ ବନପାଳ ମନ୍ତୋଷ ଦେ, ବନରକ୍ଷୀ ସରୋଜ ସ୍ୱାଇଁ, ବନରକ୍ଷୀ କୈଳାଶ ମହାରଣା ଓ ସ୍କ୍ୱାର୍ଡ କର୍ମଚାରୀ ପାଲକୋଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରିଥିଲେ। ସେଠାରେ ଦୁଇଟି କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଦେଖି ସେଗୁଡିକୁ ଅଟକାଇ ଉପସ୍ଥିତ ଦୁଇଜଣଙ୍କୁ କାଠ ଚାଲାଣର ବୈଧ ରସିଦ ମାଗିଥିଲେ। କିନ୍ତୁ କାଠ ନେବା ବାବଦରେ କୌଣସି ବୈଧ କାଗଜ ପତ୍ର ନଥିବାରୁ ଉଭୟ ଟ୍ରାକ୍ଟର କୁ ଜବତ କରି ଘଟଣାର ତଦନ୍ତ ପରେ ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇଜଣ ବ୍ୟକ୍ତି ହେଲେ ଏମଭି ୪୧ ଗ୍ରାମର ଧନୁର୍ଜୟ ଢାଲି ଓ ପାଲକୋଣ୍ଡା ଗ୍ରାମର ଗଙ୍ଗା ମାଡି। ତେବେ ଘଟଣା ସ୍ଥଳରୁ ଜବତ ହୋଇଥିବା କାଠ ଗୁଡିକର ମୂଲ୍ୟ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି।