ବିପୁଳ ପରିମାଣର ପୋଚ ନଷ୍ଟ ଓ ଦେଶୀ ମଦ ଜବତ
ସୋରଡ଼ା (ଜୁଗାବ୍ଦ ନ୍ୟୁଜ୍): ସୋରଡ଼ା ବ୍ଲକ୍ର ବିଭିନ୍ନ ଜାଗରେ ବିପୁଳ ପରିମାଣର ବେଆଇନ ଭାବେ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗ, ପଲିସ ଓ ତହସିଲଦାର ଅମର କୁମାର ବସନ୍ତରାୟଙ୍କ ତତ୍ତ୍ୱାବଧାନରେ ଏକ ଚଢ଼ାଉ କରାଯାଇ ୬ହଜାର ଲିଟର ପୋଚ ନଷ୍ଟ କରିବାସହ ୪ ଲିଟର ବିଦେଶୀ ମଦ ଏବଂ ୩୮୦ ଲିଟର ଦେଶୀ ମଦ ଜବତ କରିଛି । ଏଥିସହ ଏଥିରେ ଜଡ଼ିତ ଥିବା ଦୁଇଜଣଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ଦୁଇଜଣ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି । ଢ଼େପାପଲ୍ଲି, ଭାଲିଆପଲ୍ଲୀ,ମଝିପଲ୍ଲୀ ଆଦି ଅଞ୍ଚଳରେ ଏହି ମଦ ପ୍ରସ୍ତୁତ କରାଯାଉଥିଲା । ସୋରଡ଼ା ଥାନା ଅଧିକାରୀ ପ୍ରଭାତ ସାହୁ, ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ଅଭିରାମ ବେହେରା, ଗୁଇନ୍ଦା ମୁଖ୍ୟ ସ୍ମୃତିକାନ୍ତ ରାଉତ, ସୋରଡ଼ା ଅବକାରୀ ଅଧିକାରୀ ମୋହନ ପ୍ରଧାନଙକ ସମେତ ଧୀରେନ ବେହେରା, ଦୁର୍ଯ୍ୟୋଧନ ଦିଗାଲ, ସନ୍ତୋଷ ପାଢ଼ୀ ପ୍ରମୁଖ ଏହି ଚଢ଼ାଉରେ ସାମିଲ୍ ହୋଇଥିଲେ । ଉପରୋକ୍ତ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପାଖାପାଖି ୨ କିମି ଅଞ୍ଚଳରେ ଏହିମଦ ପ୍ରସ୍ତୁତ କରାଯାଉଥିଲା । ଛୋଟ ଛୋଟ ଚୁୁଆଁ ଖୋଲି ସେଥିରୁ ପାଣି ବାହାର କରି ବେରେଲ ଗୁଡ଼କୁ ମାଟି ଭିତରେ ପୋତି ଖୁଲମଖୁଲା ଚାଲିଥିଲା ଏହି ବେପାର । ଏ ସଂକ୍ରାନ୍ତରେ ଗାଙ୍ଗପୁର ଥାନାରେ ଗୋଟିଏ ମାମଲା,ସୋରଡ଼ା ଅବକାରୀ ବିଭାଗରେ ଦୁଇଟି ମାମଲା ଓ ସୋରଡ଼ା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି । ଏହି ମଦ କାରବାରରେ ସମ୍ପୃକ୍ତ ଭୋଳାଶଙ୍କର ଗୁରୁକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ତେବେ ସୋରଡ଼ାର ଅନେକ ଜାଗାରେ ଏହିପରି ଆହୁରି ମଦ ପ୍ରସ୍ତୁତ ହେଉଥିବା ସନ୍ଦେହ କରାଯାଉଥିବାରୁ ଚଢ଼ାଉ ଜାରି ରହିବ ବୋଲି ବିଭାଗ କହିଛି ।