ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ନବୀନ ପଟ୍ଟନାୟକ
ହିଂଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ବାଜି ଉଠିଛି ଶୁଭ ଶଙ୍ଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଲଗାତାର ଭାବେ ୫ ମ ଥର ପାଇଁ ବିଜୟୀ ମୁକୁଟ ମୁଣ୍ଡାଇବା ସହ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ୨ୟ ପର୍ଯ୍ୟାୟ ନିର୍ବାଚନ ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ହିଂଜିଳି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହିଂଜିଳି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୮ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ ।ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ୬୦୧୬୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବା ସହ ବିଜୟ ମୁକୁଟ ପନ୍ଧିଛନ୍ତି । ହିଂଜିଳି ବିଧାୟକ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୯୪୦୬୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ୩୩୯୦୫ ଭୋଟ, କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ୭୨୬୫ ଭୋଟ, ବହୁଜନସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ଭାସ୍କର ଚୌଧୁରୀ ୯୯୪ ଭୋଟ. ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା ୯୧୮ ଭୋଟ, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ ୬୮୮ ଭୋଟ, ସ୍ୱାଧିନ ପ୍ରାର୍ଥୀ ବାବୁଲା ସାହୁ ୮୫୬ ଭୋଟ, ସି. ଲକ୍ଷ୍ମୀ ଆଚାରୀ ୮୬୫ , ଭୋଟ, ସୁକାନ୍ତ କିଶୋର ପଣ୍ଡା ୭୭୩ଭୋଟ ପାଇଥିବା ବେଳେ ନୋଟାରେ ୧୫୦୩ ଟି ଭୋଟ ପଡ଼ିଥିଲା ।
ପ୍ରକାଶ ଥାଉକି, ହିଂଜିଳି ବିଧାନସଭା ଆସନ ହିଂଜିଳି ବ୍ଳକର ସମୁଦାୟ ୨୧ ଟି ପଂଚାୟତ, ଶେରଗଡ଼ ବ୍ଳକର ୨୨ ଟି ପଂଚାୟତ ଓ ହିଂଜିଳିକାଟୁ ପୌରାଂଚଳର ୨୧ ଟି ୱାର୍ଡ଼କୁ ନେଇ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ହିଂଜିଳି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୦ ହଜାର ୨୬୫ ଭୋଟରଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ(୨ୟ ପର୍ଯ୍ୟାୟ ଏପ୍ରିଲ ମାସ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା) ୬୪.୯୧ ପ୍ରତିଶତ ମତଦାନ ହେବା ସହ ୧ ଲକ୍ଷ ୪୩ ହଜାର ୦୭୧ ଭୋଟର ମତଦାନ କରିଥିିବା ବେଳେ ଡ଼ାକଯୋଗେ ୩୪୮ ଜଣ ମତଦାନ କରିଥିଲେ ।
। (ହିଂଜିଳିକାଟୁ ପୌରାଂଚଳରେ ୨୧ ଟି ୱାର୍ଡ଼ରେ ୨୦ହଜାର ୦୪୩ ଭୋଟରଙ୍କ ମଧ୍ୟରୁ ୧୨ ହଜାର ୭୫୨, ହିଂଜିଳି ବ୍ଳକର ୨୧ ଟି ପଂଚାୟତରେ ୯୬ ହଜାର ୩୮୯ ଭୋଟରଙ୍କ ମଧ୍ୟରୁ ୬୨ ହଜାର ୫୧୫ ଓ ଶେରଗଡ଼ ବ୍ଳକରେ ୨୨ ଟି ପଂଚାୟତରେ ୧ ଲକ୍ଷ ୩ ହଜାର ୮୩୩ ଭୋଟରଙ୍କ ମଧ୍ୟରୁ ୬୭ ହଜାର ୮୦୪ ଜଣ ଭୋଟର ମତଦାନ କରିଥିଲେ ) । ସାଧାରଣ ନିର୍ବାଚନରେ ହିଂଜିଳି ବିଧାନସଭା ଆସନରେ ୨୨୪ ଟି ବୁଥ କରାଯାଇଥିଲା । ୨୨୪ ଟି ବୁଥରେ ୧୩୪୪ ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ବେଳେ । ୨୨୪ ଟି ବୁଥ ମଧ୍ୟରୁ ହିଂଜିଳିକାଟୁ ପୌରାଂଚଳରେ ୧୫ ଟି, ହିଂଜିଳିକାଟୁ ବ୍ଳକରେ ୧୦୩ ଟି ଓ ହିଂଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକରେ ୧୦୬ ଟି ବୁଥରେ ଭୋଟର ମାନେ ନିଜ ନିଜର ମତଦାନ କରିଥିଲେ । ୨୨୪ ଟି ବୁଥ ମଧ୍ୟରୁ ଗୋଟିଏ ବୁଥକୁ ପିଙ୍କ୍ ବୁଥ ଭାବେ ନିଆଯାଇଥିଲା । ସେଥି ମଧ୍ୟରୁ ୧୫ ଟି ସମ୍ବେଦନଶୀଳ ବୁଥ ଭାବେ ନିଆଯାଇଥିଲା । ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୦ ଟି ବୁଥରେ ୱେବ କାଷ୍ଟିଂଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ ଅବଶିଷ୍ଟ ୫ ଟି ବୁଥରେ ଭିଡ଼ିଓଗ୍ରାଫିର ବ୍ୟବସ୍ଥା କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହିଂଜିଳି ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୨୦ ହଜାର ୨୬୫ ଭୋଟରଙ୍କ ମଧ୍ୟରୁ ହିଂଜିଳି ବ୍ଳକର ୧ ଲକ୍ଷ ୧୬ ହଜାର ୨୬୫ ଭୋଟର ଥିବା ବେଳେ ଶେରଗଡ଼ ବ୍ଳକରେ ୧ ଲକ୍ଷ ୩ ହଜାର ୮୪୦ ଭୋଟର ରହିଛନ୍ତି ।
ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ଉଭୟ ହିଂଜିଳି ଓ ବିଜେପୁର ଆସନରୁ ବିଜୟ ଲାଭ କରିବା ପରେ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡ଼ିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନୂତନ ଭାବେ ଗଢି ଉଠିଥିବା ବିଜୁ ଜନତା ଦଳ ପକ୍ଷରୁ ଆସିକା ଲୋକସଭା ଆସନରୁ ବିଜୟୀ ହେବା ପରେ ପ୍ରଥମ ଥର ପାଇଁ ୨୦୦୦ ମସିହାରେ ହିଂଜିଳି ବିଧାନସଭା ଆସନରୁ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଏହାପରେ ଗତ ୨୦୦୪, ୨୦୦୯ ଓ ୨୦୧୪ ରେ ହିଂଜିଳି ବିଧାନସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଲଗାତାର ଭାବେ ୪ ଥର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ନବୀନ ପଟ୍ଟନାୟକ ବିଜୟୀ ହେବା ପରେ ହିଂଜିଳିକାଟୁ ପୌରାଂଚଳ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ପୁରପଲ୍ଲୀରେ ବାଣ ଫୁଟାଇ ଓ ମିଷ୍ଠାନ୍ନ ବଂଟନ କରି ବିଜେଡ଼ି କର୍ମୀ ମାନେ ଖୁସି ମନାଇଛନ୍ତି । ଶୁକ୍ରବାର ଦିନ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡ଼ି କର୍ମୀ ଭୂବନେଶ୍ୱର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ପଗୁ୍ଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିବା ଜଣାପଡ଼ିଛି ।