ବିପ୍ଲବିଣୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟର ପ୍ରଥମ ନାରୀ ରାଜବନ୍ଦୀ, ସର୍ବଭାରତୀୟ କଂଗ୍ରେସ କମିଟିର ଓଡ଼ିଶାରୁ ପ୍ରଥମ ମହିଳା ପ୍ରତିନିଧି, ବିଧାନ ସଭାର ପ୍ରଥମ ମହିଳା ବିଧାୟିକା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଲେଖିକା ଓ ବିପ୍ଲବିଣୀ ସରଳା ଦେବୀଙ୍କର ଏକ ପ୍ରତିମୂର୍ତ୍ତି ରାଜଧାନୀରେ / ବିଧାନସଭା ପରିସରରେ ସ୍ଥାପନ କରିବା ପାଇଁ ଦାବି କରି ଆଜି ତାଙ୍କର ୧୧୫ତମ ଜନ୍ମଜୟନ୍ତୀରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ବାଚସ୍ପତିଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ସେ କହିଛନ୍ତି ଯେ, ଆଜି ଓଡ଼ିଶା ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରୁଛି । ସମଗ୍ର ଭାରତବର୍ଷ ଲିଙ୍ଗଗତ ସମାନତାର କଥା କହୁଛି । କିନ୍ତୁ ଦୁଃଖର କଥା ୭୨ବର୍ଷ ସ୍ୱାଧୀନତା ପରେ ଏ ରାଜ୍ୟର ପ୍ରଥମ ନାରୀ ରାଜବନ୍ଦୀ ଯିଏ ନିଜର ସାମନ୍ତବାଦୀ ସୁଖ ସ୍ୱାଚ୍ଛନ୍ଦ୍ୟକୁ ବଳି ଦେଇ ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ତାଙ୍କର ଏକ ପ୍ରତିମୂର୍ତ୍ତିଟିଏ ଆମେ ରାଜଧାନୀ ବକ୍ଷରେ ସ୍ଥାପନ କରିପାରିଲେ ନାହିଁ କିମ୍ବା ତାଙ୍କର ତୈଳ ଚିତ୍ରଟିଏ ମଧ୍ୟ ଓଡ଼ିଶା ବିଧାନସଭା କେନ୍ଦ୍ରୀୟ ହଲ୍ରେ ରଖିପାରିଲେ ନାହିଁ, ତାହା ହିଁ ବିଡ଼ମ୍ବନା । ଆଜି ତାଙ୍କର ୧୧୫ତମ ଜନ୍ମ ଜୟନ୍ତୀରେ ତାଙ୍କର ଅବଦାନକୁ ସ୍ମରଣ କରି ରାଜ୍ୟ ସରକାର ତୁରନ୍ତ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କଲେ ତାହା ଆଗାମୀ ପିଢିର ନାରୀ ସଂଗ୍ରାମୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ରାଜ୍ୟର ମହିୟସୀ ମହିଳା ମା’ ରମାଦେବୀ, ବିପ୍ଲବିଣୀ ମାଳତୀ ଚୌଧୁରୀ, ସରଳା ଦେବୀଙ୍କ ଭଳି ମହିଳାମାନଙ୍କର ଜୀବନୀକୁ ପ୍ରମାଣିକ ଚିତ୍ର କରାଯାଇ ଆଗାମୀ ପିଢିର ବିଶେଷତଃ ମହିଳା କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରଦର୍ଶନ କରାଗଲେ ତାହା ଦେଶ ଗଠନରେ ସେମାନଙ୍କୁ ପ୍ରେରଣା ଦେବ ବୋଲି ଶ୍ରୀ ବେହେରା ଆଶାପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ