ବିପ୍ଳବୀ ଶହୀଦ୍ ପଦ୍ମନାଭ ଛୋଟ୍ଟରାୟଙ୍କ ୨୪୮ତମ ଜୟନ୍ତୀ
ଭୁବନେଶ୍ୱର : ବଡ଼ଗଡ଼ଠାରେ ଥିବା ବିିପ୍ଳବୀ ଶହୀଦ୍ ପଦ୍ମନାଭ ଛୋଟ୍ଟରାୟଙ୍କ ୨୪୮ତମ ଜୟନ୍ତୀ ତାଙ୍କ ପ୍ରତିମୂର୍ତ୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ଓ ସଫେଇ କାର୍ଯ୍ୟକ୍ରମ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ କହିଥିଲେ ଯେ, ଶହୀଦ୍ ଛୋଟରାୟ ପବିତ୍ର ଦୋଳପୂର୍ଣ୍ଣମୀ ଦିନ ଭୂମିଷ୍ଠ ହେବା ସହିତ ଦେଶମାତୃକାର ସେବା କରିବା ପାଇଁ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରିଥିଲେ । ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର ପ୍ରମୁଖ ଓଡ଼ିଶାର ସ୍ୱାଧୀନତା, ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ଆଗେଇ ଆସିଥିଲେ । ଓଡ଼ିଆ ଜାତି ଜଗନ୍ନାଥଙ୍କ ପାଖରେ ସମର୍ପିତ, ମାତ୍ର କୌଣସି ବିଦେଶୀ ଓ ଗୋରା ଶାସକମାନଙ୍କ ସମ୍ମୁଖରେ ନୁହେଁ ବୋଲି ସେ ଦୃଢ଼ତାର ସହିତ କହିଥିଲେ । ଆଜିର ଯୁବପୀଢ଼ୀ ତାଙ୍କର ଆଦର୍ଶ, ନିଷ୍ଠା ଓ କର୍ମକୁ ଆଚରଣ କଲେ ଓଡ଼ିଶାର ସ୍ଥାନ ଏକ ସ୍ୱତନ୍ତ୍ର ଭାବରେ ପରିଚିତ ହୋଇପାରିବ ବୋଲି ଅଧ୍ୟକ୍ଷ ମତ ରଖିଥିଲେ । ସ୍ମୃତିଚାରଣ ଓ ସଫେଇ କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ତଥା ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ଲଗ୍ନାଦୀପା ମିଶ୍ର, ଶହୀଦ୍ ଛୋଟ୍ଟରାୟଙ୍କ ଦାୟାଦ ଜତୀନ୍ଦ୍ର ମୋହନ ଛୋଟ୍ଟରାୟ, ଦିଲ୍ଲୀପ କୁମାର ବେହେରା, ନିରଞ୍ଜନ ସାହୁ, ବି. ମୂରଲୀଧର, ପ୍ର. ଶରତ ଚନ୍ଦ୍ର ବାରିକ, ତନ୍ମୟ ସାମନ୍ତରାୟ, ଲକ୍ଷ୍ମୀଧର ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।