ବିବାଦ ଘେରରେ ବେଲଗୁଣ୍ଠା ସ୍ଵାସ୍ଥ୍ୟକେନ୍ଦ୍ର : ଚିକିତ୍ସା ଅବହେଳାରୁ ଚାରି ବର୍ଷର ଶିଶୁ ମୃତ୍ୟୁ ଅଭିଯୋଗ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବିବାଦ ପିଛା ଛାଡ଼ୁନି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର I ଏଠାରେ ଡାକ୍ତରଙ୍କ ବେପରୁଆ ମନୋଭାବ ଯୋଗୁଁ ମାତ୍ର ସପ୍ତାହେ ତଳେ ଇଞ୍ଜେକ୍ସନ ପାର୍ଶ୍ଵ୍ ପ୍ରତିକ୍ରିୟାରୁ ବେଲଗୁଣ୍ଠା ଏନ୍ଏସିର ଜଣେ କନିଷ୍ଠ ଯନ୍ତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବୁଧବାର ଏଠାରେ ପୁଣି ଜଣେ ଶିଶୁ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେବା ସହ ମେଡିକାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମର ବୁଡୁ ପାତ୍ର ଏବଂ ନମି ପାତ୍ରଙ୍କ ପୁଅ ତ୍ରିପତି ପାତ୍ର ବେଲଗୁଣ୍ଠା ଗୋଲା ସାହିରେ ଥିବା ଅଜା ଏ ତାଣ୍ଡିଆ ଘରେ ରହୁଥିଲା I ବୁଧବାର ସକାଳ ଆଠ ଘଣ୍ଟା ସମୟରେ ଅଜା ତାଣ୍ଡିଆଙ୍କ ସହ ତ୍ରିପତି ଏବଂ ଅନ୍ୟଜଣେ ଛୁଆ ଶିବ ମନ୍ଦିର ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ I ଏଠାରେ ତ୍ରିପତି ଗାଧୋଇ ସାରିବା ପରେ ତାଣ୍ଡିଆଙ୍କ ଅଜାଣତରେ ପୁଣି ଥରେ ପୋଖରୀକୁ ଖସିଯାଇ ପାଣିରେ ବୁଡ଼ିଯାଇଥିଲା I କିନ୍ତୁ ଏକଥା ତାଣ୍ଡିଆ ଜାଣି ନପାରି ସେଠାରେ ତ୍ରିପତିକୁ କିଛି ସମୟ ଖୋଜାଖୋଜି ପରେ ଘରକୁ ଫେରି ଆସି ଘରେ ଏବଂ ସାହିରେ ଖୋଜିଥିଲେ I କିନ୍ତୁ ତ୍ରିପତିର ଖୋଜଖବର୍ ନପାଇ ସାହି ଲୋକେ ଯାଇ ପୋଖରୀ ଭିତରେ ଖୋଜିଥିଲେ I ସେଠାରେ ଅନ୍ୟ ଏକ ତୁଠରୁ ତ୍ରିପତିକୁ ବେହୋସ ଅବସ୍ଥାରେ ପାଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଡ଼ାକ୍ତର କେହି ନଥିବାରୁ ତ୍ରିପତିର ପ୍ରାଥମିକ ଚିକିତ୍ସାରେ ଚରମ ଅବହେଳା ହୋଇଥିଲା ଏବଂ ମେଡିକାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା I ପରବର୍ତ୍ତୀ ସମୟରେ ଡ଼ାକ୍ତର ଆସି ତ୍ରିପତିକୁ ମୃତ ଘୋଷଣା କରିଥିଲେ I ଏନେଇ ଅଞ୍ଚଳ ବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏହି ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପାଟିତୁଣ୍ଡ କରିଥିଲେ I କେବଳ ମେଡିକାଲ୍ କୁ ପଞ୍ଚତାରକା ହୋଟେଲ୍ ଭଳି ଚକାଚକ୍ କରି ପୁରସ୍କାର ପଛରେ ଗୋଡାଇବା ଅପେକ୍ଷା ଅଞ୍ଚଳ ବାସୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସରକାରଙ୍କ ପକ୍ଷରୁ ଏଠାରେ ତୁରନ୍ତ ଆବଶ୍ୟକ ଡାକ୍ତର ପଦବୀ ପୂରଣ କରାଯିବା ସହିତ ବାରମ୍ବାର ନିଜ କର୍ତ୍ତବ୍ୟରେ ଅବହେଳା କରୁ୍ଥିବା ମେଡିକାଲ୍ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି I ଖୁବ୍ ଶୀଘ୍ର ଡ଼ାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥାକୁ ନସଜାଡିଲେ ଅଞ୍ଚଳବାସୀ ଡ଼ାକ୍ତରଖାନାରେ ତାଲା ପକାଇଦେବା ସହ ଆଇନ୍ କୁ ମଧ୍ୟ ହାତକୁ ନେବାକୁ ପଛାଇବେ ନାହିଁଁ ବୋଲି ଧମକଦେଇଛନ୍ତି I


