ବିବାହରେ ବାଧକ ସାଜିଛନ୍ତି ମାଙ୍କଡ଼
ବିବାହ ନେଇ ଯୁବକଯୁବତୀଙ୍କ ମନରେ ଥାଏ ଅସୁମାରୀ ସ୍ୱପ୍ନ । ତେବେ ବିହାର ଭୋଜପୁରରେ ଯୁବକଯୁବତୀମାନେ ବିବାହ ବୟସ ହେଲେ ମଧ୍ୟ ବିବାହ କରିପାରୁ ନାହାଁନ୍ତି । ସେମାନଙ୍କର ବିବାହରେ ବାଧକ ସାଜିଛନ୍ତି ଏହି ଅଞ୍ଚଳରେ ଥିବା ମାଙ୍କଡ଼ । ଏଠାରେ ମାଙ୍କଡ଼ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେମାନେ ଲୋକଙ୍କ ଘରଦ୍ୱାରା ସବୁଠାରେ ବୁଲୁଛନ୍ତି । ଏଠାରେ କୌଣସି ପୂଜାପାଠ କିମ୍ବା ଉତ୍ସବରେ ଫିଙ୍ଗାଫୋପଡ଼ା, ଭଙ୍ଗାରୁଜା ଆଦି ମାଙ୍କଡ଼ କରିଥାନ୍ତି । ଫଳରେ ଏହି ଅଞ୍ଚଳରେ କନ୍ୟାଘରକୁ ବରଯାତ୍ରୀ ଆସିବାକୁ ଭୟ କରୁଛନ୍ତି । ବରପକ୍ଷ ତଥା କନ୍ୟାପକ୍ଷ ବିବାହ ଉତ୍ସବ ଆୟୋଜନ ଲାଗି ଅରାଜି ହେଉଛନ୍ତି । ଏହା ଦ୍ୱାରା ବୟସ ଗଡ଼ିଗଲେ ମଧ୍ୟ ଅନେକ ଯୁବକଯୁବତୀ ବିବାହ ନ କରି ପାରି ଅବିବାହିତ ରହିଯାଉଛନ୍ତି । ପ୍ରଶାସନ ପକ୍ଷରୁ ମାଙ୍କଡ଼ଧରା କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲେ ମଧ୍ୟ ଏତେ ସଂଖ୍ୟକ ମାଙ୍କଡ଼ଙ୍କୁ ଧରିବା କଷ୍ଟକର ହୋଇପଡୁଛି ।


