ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ପ୍ରତାରଣା ଅଭିଯୋଗ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ଙ୍କୁ ଶଙ୍କର ରଣା ନାମକ ଜଣେ ଯୁବକ ଭଲ ପାଇବା ସହ ବିବାହର ପ୍ରତିଶୃତି ଦେଇ ଅପହରଣ କରିବା ପରେ ବର୍ଷାଧିକ କାଳ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି।ନାବାଳିକା ଙ୍କ ମା’ ଘଟଣା ସମ୍ପର୍କରେ ମଙ୍ଗଳବାର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତ ଙ୍କ ବିରୋଧରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତି କରି ଥାନା ଆଇଆଇସି ଦିପ୍ତିରଞ୍ଜନ ବେହେରା ମାମଲା ନଂ. ୧୭୬/୨୩ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଏସଆଇ ଗୌତମ ସାହୁଙ୍କୁ ନିର୍ଦ୍ଦେଶ ଦେବାପରେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଥାନାରେ ଅଟକ ରଖାଯିବା ସହ ପଚରାଉଚରା ଚାଲିଥିବା ଜଣାପଡିଛି। ୨୦୨୧ ଜାନୁୟାରୀ ୧୫ ତାରିଖରେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ସେଠାରେ ପହଞ୍ଚି ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ କୌଶଳକ୍ରମେ ଅପହରଣ କରି ନେଇଥିଲା।ଅପହରଣ ପରେ କିଛିଦିନ ଦିଗପହଣ୍ଡିର ଏକ ଭଡ଼ା ଘରେ ରଖିବା ପରେ ଅଭିଯୁକ୍ତ ନାବାଳିକା ଙ୍କୁ ନେଇ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଚାଲିଯାଇଥିଲା।ଅଭିଯୁକ୍ତ ଯୁବକଙ୍କ ସମ୍ପର୍କୀୟ ଲୋକେ ବର୍ତ୍ତମାନ ତାଙ୍କୁ ଅନ୍ଯତ୍ର ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ସେ ନାବାଳିକାଙ୍କୁ ବିଜୟ ୱାଡା ରେ ଛାଡି ଫେରାର ହୋଇଯାଇଥିଲେ।ନାବାଳିକା ଜଣକ ଏହା ଜାଣିବା ପରେ ବହୁ କଷ୍ଟରେ ଘରକୁ ଫେରି ମା’ଙ୍କ ଆଗରେ ସମସ୍ତ କଥା କହିଥିଲେ।ଅପହରଣ ପରେ ତାଙ୍କ ନାବାଳିକା ଝିଅ ସହ ଅଭିଯୁକ୍ତ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖିଥିବା ନେଇ ନାବାଳିକାଙ୍କ ମା’ ତାଙ୍କ ଏତଲାରେ ଦର୍ଶାଇଥିବା ଜଣାପଡିଛି।