ବିବାହ କାର୍ଡରେ ଚିରଞ୍ଜୀବୀ, ଆୟୁଷ୍ମତୀ ଲେଖାଯିବାର ରହସ୍ୟ
ସାଧାରଣତଃ ବିବାହ କାର୍ଡରେ ପୁଅ ନାମ ପୂର୍ବରୁ ଚିରଞ୍ଜୀବୀ, ଝିଅ ନାମ ପୂର୍ବରୁ ଆୟୁଷ୍ମତୀ ଲେଖାଯାଇଥାଏ। ଏହାକୁ ନେଇ କେତେକ ଲୋକକଥା ରହିଆସିଛି । ଜଣେ ବ୍ରାହ୍ମଣର କୌଣସି ସନ୍ତାନ ନଥିଲେ । ତେଣୁ ସେ ମହାମାୟାଙ୍କୁ ତପସ୍ୟା କରି ପୁତ୍ର ବରଦାନ ମାଗିଲେ । ମାତା କହିଲେ ମୋ ନିକଟରେ ଦୁଇ ପ୍ରକାରର ପୁତ୍ର ରହିଛି, ଗୋଟିଏ ୧୦ ହଜାର ବର୍ଷ ବଞ୍ଚିବ କିନ୍ତୁ ମୂର୍ଖ ହେବ, କିନ୍ତୁ ଦ୍ୱିତୀୟଟି ବିଦ୍ୱାନ ହେବ ମାତ୍ର ୧୫ ବର୍ଷ ବଞ୍ଚିବ । ତେଣୁ ତୁମକୁ କି ପ୍ରକାର ପୁତ୍ର ଦରକାର? ବ୍ରାହ୍ମଣ କହିଲା ମୋର ଦ୍ୱିତୀୟ ପ୍ରକାର ପୁତ୍ର ଦରକାର । ମାତା ତଥାସ୍ତୁ କହି ଚାଲିଗଲେ । ବ୍ରାହ୍ମଣୀ ଏକ ପୁତ୍ର ଜନ୍ମ କଲା । ତାକୁ ପାଞ୍ଚ ବର୍ଷ ବୟସ ହେବାରୁ ତା’ର ବିଦ୍ୟାରମ୍ଭ କରିବାକୁ କାଶୀ ପଠାଗଲା । ଧୀରେ ଧୀରେ ସମୟ ଗଡ଼ି ଚାଲିଲା । କାଶୀର ଜଣେ ସେଠ୍ ନିଜର କନ୍ୟା ସହ ଉକ୍ତ ପୁତ୍ରକୁ ବିବାହ କରାଇଲେ । ପତି ପତ୍ନୀଙ୍କର ମିଳନର ରାତ୍ରିଟି ଥିଲା ପୁତ୍ରଟି ପାଇଁ ଶେଷ ରାତ୍ରି। ତେଣୁ ଯମରାଜା ନାଗ ରୂପ ଧାରଣ କରି ପୁତ୍ରର ପ୍ରାଣ ନେଲେ । ପତିକୁ ଦଂଶନ କଲାବେଳେ ପତ୍ନୀ ନାଗକୁ ଧରି କମଣ୍ଡଳୁ ଭିତରେ ପୁରାଇ ମୁହଁବନ୍ଦ କରି ରଖିଲା । ସେହି ସ୍ୱୟଂ ଯମରାଜ ଥିଲେ, ତେଣୁ ମୃତ୍ୟୁଲୋକରେ ଚହଳ ପଡ଼ିଗଲା । ପୁତ୍ରର ପତ୍ନୀ ମହାମାୟାଙ୍କର ଜଣେ ବଡ଼ ଭକ୍ତ ଥିବାରୁ ତାଙ୍କର କେହି କିଛି କରିପାରିଲେନି । ସେ ନିଜ ପତିର ଜୀବନ ରକ୍ଷା ପାଇଁ ମହାମାୟାଙ୍କୁ ଆରାଧନା କଲେ । ଏଣେ ଦେବତାମାନେ ଯମଙ୍କୁ ଛାଡ଼ିବା ପାଇଁ ଦେବୀଙ୍କୁ ଆରାଧନା କଲେ । ଦେବୀ ପ୍ରକଟ ହୋଇ ଉକ୍ତ ଝିଅକୁ କହିଲେ- ଝିଅ ତୁ ଯାହାଙ୍କୁ ବନ୍ଦ କରି ରଖିଛୁ ସେ ସ୍ୱୟଂ ଯମରାଜା । ତେଣୁ ତାଙ୍କୁ ଛାଡ଼ିଦେ । ଝିଅଟି ମାତାଙ୍କ କଥା ଶୁଣି ଯମଙ୍କୁ ଛାଡ଼ିଦେଲା । ଯମରାଜା ଉକ୍ତ ଝିଅର ସତୀତ୍ୱକୁ ପ୍ରଣାମ କରି ତା’ର ପତିକୁ ଚିରଞ୍ଜିବୀ ରହିବାକୁ ବରଦାନ ଦେଲେ । ସେହିଦିନରୁ ବିବାହ କାର୍ଡରେ ପୁଅମାନଙ୍କ ନାମ ପୂର୍ବରୁ ଚିରଞ୍ଜୀବୀ ଲେଖା ହୋଇ ଆସୁଛି । ଠିକ୍ ସେମିତି ଆକାଶ ଧର ନାମକ ଜଣେ ରାଜା ଥିଲେ, ଯାହାଙ୍କର ସନ୍ତାନ କୌଣସି ନଥିଲା । ନାରଦ କହିଲେ ସୁନାହଳରେ ଜମିକୁ କର୍ଷଣ କରି ସେହି ଭୂମିରେ ଯଜ୍ଞ କଲେ ନିଶ୍ଚିତ ଭାବେ ସନ୍ତାନ ଲାଭ ହେବ । ରାଜା ସେଇଆ କରିବାରୁ ଭୂମିରୁ ଏକ କନ୍ୟା ପ୍ରାପ୍ତ କଲେ । ଏହି ସମୟରେ ରାଜମହଲରେ ଏକ ସିଂହ ଠିଆ ହୋଇଥିଲା । ଭୟରେ ରାଜାଙ୍କ ହାତରୁ କନ୍ୟା ଖସିଗଲା । କନ୍ୟାଟିକୁ ସିଂହ ନିଜ ପାଟିରେ ଧରିବାରୁ ତାହା ପଦ୍ମ ହୋଇଗଲା । ଏହି ସମୟରେ ବିଷ୍ଣୁ ପ୍ରକଟ ହୋଇ ପଦ୍ମ ପୁଷ୍ପଟିକୁ ନିଜ ହାତରେ ଧରିଲେ । ପୁଷ୍ପକୁ ସ୍ପର୍ଶ ମାତ୍ରେ ତାହା ଯମରାଜା ହୋଇଗଲା ଓ ଉକ୍ତ କନ୍ୟା ୨୫ ବର୍ଷର ଯୁବତୀ ବନିଗଲା । ରାଜା ସେହି କନ୍ୟାକୁ ବିଷ୍ଣୁଙ୍କ ସହିତ ବିବାହ କରାଇଲେ । ଯମରାଜା ଝିଅଟିକୁ ଆୟୁଷ୍ମତୀ କହି ଡାକିଲେ ଓ ଆୟୁଷ୍ମତୀର ବରଦାନ ଦେଲେ । ସେବେଠାରୁ ବିବାହ କାର୍ଡରେ କନ୍ୟା ନାମ ପୂର୍ବରୁ ଆୟୁଷ୍ମତୀ ଲେଖା ହୋଇଆସୁଛି।


