ବିବାହ ନିର୍ବନ୍ଧ ସାରି ଫେରୁଥିବା ମିନିବସ ଘାଟିରୁ ୨୦ ଫୁଟ ତଳକୁ ଖସିଲା ଜଣେ ମୃତ ୩୪ ଆହତ ୧୦ ଗୁରୁତର
ପାରଳାଖେମୁଣ୍ଡି, -(ତାରିଣୀ ପ୍ରଶାଦ ପଣ୍ଡା) ବିବାହ ନିର୍ବନ୍ଧ ସାରି ଫେରୁଥିବା ଏକ ମିନିବସ ଘାଟି ରାସ୍ତାରୁ ୨୦ ଫୁଟ ତଳକୁ ଖସି ପଡିଲା । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪ଜଣ ଆହତ ଓ ୧୦ଜଣ ଗୁରୁତର ହୋଇଥିବା ଖବର ମିଳିଛି । ଘଟଣାଟି ଗଜପତି ଜିଲ୍ଲାର ତପ୍ତପାଣି ଘାଟିରେ ମଙ୍ଗଳବାର ସଂଧ୍ୟାରେ ଘଟିଛି । ଘଟଣାରୁ ପ୍ରକାଶ ଗତ କାଲି ମଙ୍ଗଳବାର ସକାଳ ସମୟରେ ଗଞ୍ଜାମ ଜିଲ୍ଲାର ଦୁଆରଗାଁର ଧୋବା ଗୌଡଙ୍କ ପୁଅ ରଞ୍ଜନଙ୍କ ବିବାହ ନିର୍ବନ୍ଧ ପାଇଁ ଗଜପତି ଜିଲ୍ଲାର ଚାନ୍ଦିପୁଟ ଗ୍ରାମକୁ ଓଆର୦୭ଏନ୍ ୦୮୫୫ ନମ୍ବର ବିଶିଷ୍ଟ ଏକ ମିନିବସରେ ୩୪ଜଣ ପୁରୁଷ ଓ ମହିଳା ଆସିଥିଲେ । ନିର୍ବନ୍ଧ ସାରି ଭୋଜି ଖାଇ ଏମାନେ ଫେରୁଥିବା ସମୟରେ ମିନିବସଟି ତପ୍ତପାଣି ଘାଟି ଦେଇ ଯାଉଥିବା ବେଳେ ହଠାତ୍ ବ୍ରେକଫେଲ ହେବାରୁ ବସ୍ଟି ଭାରସାମ୍ୟ ହରାଇ ମୁଖ୍ୟରାସ୍ତାରୁ ୨୦ଫୁଟ ଘାଟି ତଳକୁ ଖସି ପଡିଥିଲା । ଏଥିରେ ବିବାହ ନିର୍ବନ୍ଧ ହୋଇଥିବା ଯୁବକର ମାମୁଁ ଗଡସାମନ୍ତପୁର ଗ୍ରାମର ରଘୁନାଥ ଗୌଡ (୪୪)ଙ୍କ ମୃତ୍ୟୁ ଘଟିଥିଲା । ମିନିବସରେ ଥିବା ୩୪ ଜଣ ଏଥିରେ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତରଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଗତ କାଲି ରାତିରେ ପଠାଯାଇଛି । ଦୁର୍ଘଣା ଘଟିଥିବା ମିନିବସ୍ର ଡ୍ରାଇଭର ଫେରାର ଥିବା ଜଣାପଡିଛି । ଘଟଣା ନେଇ ପାଟପୁର ଥାନାରେ କେସ ନଂ ୧୦୨ରେ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ରହିଛି ।