ବିବାହ ପରର ବୁଝାମଣା
ଦାମ୍ପତ୍ୟ ଜୀବନର କଳହର ବୁଝାମଣା ସ୍ୱାମୀ ସ୍ତ୍ରୀ ନିଜେ କରିବା ଶ୍ରେୟସ୍କର । ଅନ୍ୟ କେହି ସେସବୁରେ ନିଜ ମତ ରଖିଲେ ବରଂ ପରିସ୍ଥିତି ଅଧିକ ଜଟିଳ ହୋଇଥାଏ । ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଅଧିକାଂଶ ଦମ୍ପତିଙ୍କ କଳହର ମୁଖ୍ୟ କାରଣ ହୋଇଥାଏ ପରକୀୟା ପ୍ରୀତି । ଅଧିକ କ୍ଷେତ୍ରରେ ପୁରୁଷମାନେ ହିଁ ଏହି କାମ କରୁଥିବାର ଦେଖାଯାଇଛି । ସମ୍ପର୍କରେ ଥରେ ଫାଟ ହେଲେ ତାହା ଯୋଡ଼ିବା କଷ୍ଟକର ହୋଇଥାଏ ବୋଲି କାଉନସେଲର ମୁକ୍ତା ଦ୍ୱିବେଦୀଙ୍କ ମତ । ମହିଳାମାନଙ୍କ ବିଚାର ଶକ୍ତି ଖୁବ ଭଲ । ଅନେକ କ୍ଷେତ୍ରରେ ଦେଖାଯାଇଛି ପୁରୁଷମାନେ ମଧ୍ୟ ଘର ଯୋଡ଼ିବାକୁ ଯଥାସାଧ୍ୟ ଚେଷ୍ଟା କରନ୍ତି । ସ୍ୱାମୀ ସ୍ତ୍ରୀ ପରସ୍ପରକୁ କୌଣସି କଥା ଲୁଚାଇବା ପରବର୍ତ୍ତୀ ସମୟରେ ଘଟଣାକୁ ଜଟିଳ ତର କରିଥାଏ । ଏଣୁ ନିଜ ସମ୍ପର୍କକୁ ସୁନ୍ଦର ରୂପ ଦେବା ନିମନ୍ତେ ମିଛ ଓ ଛଳନାଠାରୁ ଯଥାସାଧ୍ୟ ଦୂରେଇ ରୁହନ୍ତୁ । କୌଣସି କାରଣରୁ ମନୋମାଳିନ୍ୟ ହେବା ପରେ ମଧ୍ୟ ପରସ୍ପର ସହ ଅଧିକ ସମୟ ଅତିବାହିତ କଲେ ହିଁ ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଭିନ୍ନ ଅନୁଧ୍ୟାନରୁ ପ୍ରମାଣିତ ହୋଇପାରନ୍ତି । ସବୁବେଳେ ଧ୍ୟାନରେ ରଖିବେ ଯେ ପାରିବାରିକ କଳହରେ ଆପଣ ଯେପରି ଅନ୍ୟ ଦାୟିତ୍ୱକୁ ଭୁଲି ନଯାନ୍ତି । ଏ ସବୁ ଭିତରେ ନିଜ କ୍ୟାରିୟରକୁ ମଧ୍ୟ ପ୍ରାଧାନ୍ୟ ଦିଅନ୍ତୁ । କେଉଁ କାରଣରୁ କଳି ହେଉଛି, ସେ ସମ୍ପର୍କରେ ବସି କଥା ହୁଅନ୍ତୁ । ସମୟ କ୍ରମେ ସେ ସବୁର ସମାଧାନ ଆପେ ଆପେ ହୋଇଯିବ ।ବର୍ତ୍ତମାନ ସମୟରେ ଯାହା ସବୁଠୁ ଜରୁରୀ, ତାହା କରିବାରେ ଆଦୌ ହେଳା କରନ୍ତୁ ନାହିଁ ।