ବିବାହ ପୂର୍ବରୁ ବର୍ଷ ବର୍ଷ ଧରି ଲିଭ୍-ଇନ୍ରେ ରହିଥାନ୍ତି
ଆଜିକାଲି ସହରାଞ୍ଚଳରେ ଲିଭ୍-ଇନ୍ ରିଲେସନସିପରେ ରହିବା ଏକ ଟ୍ରେଣ୍ଡ ପାଲଟିଛି । ହେଲେ ଗ୍ରାମାଞ୍ଚଳରେ ମଧ୍ୟ ଏହି ଧାରା କାହିଁ କେତେ ଯୁଗରୁ ଦେଖିବାକୁ ମିଳୁଛି । ତେବେ ପୁଅ-ଝିଅ ଲିଭ୍-ଇନ୍ରେ ରହିବାର କାରଣ ହେଉଛି ଆର୍ଥିକ ସମସ୍ୟା । ବିବାହ ଭୋଜି ପାଇଁ ଅର୍ଥ ଅଭାବ କାରଣରୁ ଦୀର୍ଘ ବର୍ଷ ଧରି ଏକାଠି ରହିବା ପରେ ଟଙ୍କା ଜମା ପରେ ପୁଅ-ଝିଅ ଆନୁଷ୍ଠାନିକ ଭାବେ ସ୍ୱାମୀ-ସ୍ତ୍ରୀର ମାନ୍ୟତା ସମାଜଠାରୁ ପାଉଛନ୍ତି । ଯାହାର ଏକ ଉଦାହରଣ ନିକଟରେ ଗୁଜୁରାଟର ସାୱରକାଣ୍ଠାର ପୋସିନା ତାଲୁକାସ୍ଥିତ ଲମ୍ବଡିଆଁରେ ଦେଖିବାକୁ ମିଳିଥିଲା । ଗତ ମାସରେ ୭୫ ବର୍ଷିୟ ଗମନାଭାଇ ବିବାହ କରିଥିଲେ ୭୨ ବର୍ଷିୟା ବଞ୍ଜରି ଦେବୀଙ୍କୁ । ଧୁମ୍ଧାମରେ ବାହାଘର ଆୟୋଜନ ହୋଇଥିଲାବେଳେ ଏଥିରେ ଗମନାଭାଇ ଓ ବଞ୍ଜରିଙ୍କ ପୁଅ-ଝିଅ, ନାତି-ନାତୁଣୀ ସାମିଲ ହୋଇଥିଲେ । ଗତ ୪୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଗ୍ରାମରେ ଲିଭ୍-ଇନ୍ରେ ରହୁଥିଲେ । ଡୁଙ୍ଗୁରି ଗରସିୟା ଭିଲ ଆଦିବାସୀ ସମୁଦାୟରେ ଏହି ପ୍ରଥା ବହୁ କାଳରୁ ଚାଲିଆସିଛି । ପୁଅ-ଝିଅଙ୍କ ବିବାହ ସ୍ଥିର ହେବା ପରେ ଏହି ସମାଜର ଲୋକେ ସେମାନଙ୍କୁ ଲିଭ୍-ଇନ୍ରେ ରହିବାକୁ ଅନୁମତି ଦେଇଥାନ୍ତି । ଏହି ସମୟରେ ସନ୍ତାନ ଜନ୍ମ କରିବାକୁ ମଧ୍ୟ ଭୁଲ୍ ବୋଲି ଗ୍ରହଣ କରାଯାଏନାହିଁ । ଉଭୟ ପରିବାର ଓ ଗ୍ରାମବାସୀମାନେ ଏହାକୁ ସମ୍ମତି ଦିଅନ୍ତି । ଗମନାଭାଇଙ୍କ କହିବା ଅନୁସାରେ ଆର୍ଥିକ ଅସୁବିଧା କାରଣରୁ ଆମେ ବିବାହ କରିପାରିନଥିଲୁ । ସମାଜକୁ ଭୋଜିଭାତ ଦେବା ପାଇଁ ଅର୍ଥ ପ୍ରତିବନ୍ଧକ ଥିଲା । ତେଣୁ ଆମେ ଲିଭ୍-ଇନ୍ରେ ରହୁଥିଲୁ । ସମୟ ବଦଳିବା ସହ ପରିବାରର ବୋଝ ମଧ୍ୟ ବଢ଼ିଥିଲା । ୪ ପିଲା ଓ ନାତିନାତୁଣୀଙ୍କୁ ନେଇ ସଂସାର ଗଢ଼ିବା ପରେ ବିବାହ ପାଇଁ ଏବେ ନିଷ୍ପତ୍ତି ନେଇଛୁ । ଆମ ସମୁଦାୟରେ ବିବାହ ପୂର୍ବରୁ ବର୍ଷ ବର୍ଷ ଧରି ଲିଭ୍-ଇନ୍ରେ ରହିବାକୁ ସ୍ୱୀକାର କରାଯାଇଛି ।


