ବିବାହ ବାର୍ଷିକୀର ଅର୍ଥକୁ ବିଦ୍ୟାର୍ଥୀଙ୍କ ପାଇଁ ଉତ୍ସର୍ଗୀକୃତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ‘ମାନବ ସେବା ହିଁ ମାଧବ ସେବା’ ଏହି ବିଚାର କୁ ପରିବାର ର ସମସ୍ତ ସଦସ୍ୟ ଆପଣାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି । ଗଞ୍ଜାମ ଜିଲ୍ଳା ହିଞ୍ଜିଳିକାଟୁ ନିବାସୀ ତଥା ସାଇସେବକ ନାରାୟଣ ପ୍ରଧାନ ନିଜ ପୁତ୍ର ସଞ୍ଜୟର ବିବାହ ବାର୍ଷିକୀ ଉତ୍ସବକୁ ନିଆରା ଢଙ୍ଗରେ ପାଳିଛନ୍ତି । ଉତ୍ସବରେ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇର ବିଦ୍ୟାର୍ଥୀଙ୍କ ପାଇଁ ଉତ୍ସର୍ଗୀକୃତ କରିଦେଇଛନ୍ତି । ଉକ୍ତ ଅର୍ଥରେ ବିଦ୍ୟାର୍ଥୀଙ୍କ ପାଇଁ ପାଠ୍ୟଉପକରଣ ଯଥା-ଖାତା, କଲମ, ପେନ୍ସିଲ୍, ରବର, ସ୍ଲେଟ ଓ ଚକ୍ଖଡ଼ି ଇତ୍ୟାଦି ସାମଗ୍ରୀ କ୍ରୟ କରି ବିଦ୍ୟାର୍ଥୀଙ୍କ ମଧ୍ୟରେ ବାଣ୍ଟିଦେଇଛନ୍ତି । ଏ ସମ୍ପର୍କରେ ନାରାୟଣ କୁହନ୍ତି ମହାମାରୀ କରୋନା ସବୁ ଫିକା କରିଦେଇଛି । ଲୋକମାନଙ୍କ ରୋଜଗାର ବି କମିଯାଇଛି । ଭୋଜିଭାତ କରି ବାଣ୍ଟିବା ଠାରୁ ଜ୍ଞାନ ରୂପକ ଖାଦ୍ୟ ବାଣ୍ଟିବାରେ ଯଥେଷ୍ଟ ଆନନ୍ଦ ମିଳେ । ପରିବାରର ସର୍ବସମ୍ମତିକ୍ରମେ ଉକ୍ତ ଅର୍ଥକୁ ବିଦ୍ୟାର୍ଥୀଙ୍କ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସଂଗ୍ରାମ କେଶରୀ ସାହୁ, ତ୍ରିଲୋଚନ ବେଉରା, ଗାଁର ମୁଖିଆ ମଦନ ଚାତାର ପ୍ରମୁଖ ଯୋଗଦେଇ ପ୍ରଧାନ ପରିବାରର ଏତାଦୃଶ କାର୍ଯ୍ୟ ଯାହା ଆମ ସମାଜ ପାଇଁ ଏକ ଶିକ୍ଷଣୀୟ ବିଷୟ ବୋଲି ମତପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ନାରାୟଣ ଗୁଜୁରାଟର ସୁରଟ ନିକଟସ୍ଥ ରିଙ୍ଗରୋଡ଼ସ୍ଥିତ ଶ୍ରୀରାମ ମାର୍କେଟରେ ସିକ୍ୟୁରିଟି ଗାର୍ଡ଼ ରୂପେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି ।