ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ
ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ । ବିଶେଷକରି ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ । ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ । ଶେଷରେ ଅନେକ ଦମ୍ପତିି ଅଲଗା ହେବାର ନିଷ୍ପତ୍ତି ନେଇଥାନ୍ତି । ମାତ୍ର ବିଚ୍ଛେଦ ଜଣଙ୍କର ଜୀବନରେ ଦୁଃଖ ଆଣିପାରେ । ଫଳରେ ଅନେକେ ଦୁଃଖରେ ରହିବା ସହ ନିଜକୁ ସମୟ ଦେଇ ନଥାନ୍ତିି । ତେବେ ଏହି ମହିଳାମାନଙ୍କୁ ଆଗକୁ ବଢ଼ିବା ପାଇଁ କିଛି ପାଦ ଆଗକୁ ନେବାକୁ ପଡ଼ିଥାଏ । ଏଥିଲାଗି ନିମ୍ନୋକ୍ତ ଦିଗ ପ୍ରତି ଧ୍ୟାନ ଦେଇପାରିବେ । ଭାବପ୍ରବଣତାର ପରିବର୍ତ୍ତନ: ଯଦି ଆପଣ କାହା ସହ ଭାବାତ୍ମକ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି, ସେମାନଙ୍କଠାରୁ ସମ୍ପର୍କ ଶେଷ କରିବା ବହୁ କଷ୍ଟକର ହୋଇଥାଏ । ଛାଡ଼ପତ୍ର ପରେ କେହି ଏହାକୁ ବିଶ୍ୱାସ କରିପାରି ନ ଥାନ୍ତି । ସମ୍ପର୍କ ଶେଷ ହେବା ପରେ କେହି କେହି ନିଜ ଭିତରେ ଦୋଷ ଦୁର୍ବଳତା ଖୋଜିବାରେ ଲାଗିପଡିଥାନ୍ତି । ଯେତେବେଳେ ମନର ରାଗ ଶାନ୍ତ କରିବେ, ସେତେବେଳେ ଆପଣ ଏହାର ସତ୍ୟତାକୁ ଗ୍ରହଣ କରିପାରିବେ । ଧୀରେ ଧୀରେ ଆଗକୁ ବଢ଼ିପାରିବେ । କ୍ୟାରିୟର ଉପରେ ଧ୍ୟାନ: ଯଦି ଛାଡ଼ପତ୍ର ପୂର୍ବରୁ ପାର୍ଟନରଙ୍କ ଉପରେ ନିର୍ଭରଶୀଳ ଥିଲେ, ତେବେ ଅଲଗା ହେବା ପରେ ନିଜ କ୍ୟାରିୟର ଉପରେ ଧ୍ୟାନ ଦିଅନ୍ତୁ । କାହିଁକିନା ଆପଣଙ୍କୁ ଏହା ଆଗକୁ ବଢ଼ାଇବା ସହ ନିଜର ଆବଶ୍ୟକତାକୁ ପୂରଣ କରିବାକୁ ସାହାଯ୍ୟ କରିବ । ଏଥିସହ ନିଜ ହିସାବରେ ବଞ୍ଚିବାକୁ ସୁଯୋଗ ଦେଇଥାଏ । ନିଜ ମନକୁ ଶକ୍ତ କରିବା: ପରମ୍ପରା ଅନୁଯାୟୀ ଛାଡ଼ପତ୍ର ଦେଇଥିବା ମହିଳାଙ୍କୁ ସମାଜ ଭିନ୍ନ ନଜରରେ ଦେଖିଥାଏ । ତେଣୁ ସମାଜରେ ଚଳିବାକୁ ହେଲେ ନିଜକୁ ମାନସିକ ଓ ଶାରୀରିକ ଭାବରେ ଶକ୍ତ କରନ୍ତୁ । ପିଲାର ଖୁସି: ଯଦି ଆପଣଙ୍କର ପିଲା ଅଛି ଏବଂ ଛାଡ଼ପତ୍ର ପରେ ସେ ଆପଣଙ୍କ ପାଖେ ରହୁଛି, ତେବେ ପିଲାର ଖୁସି ପାଇଁ ଖୁସି ହେବାକୁ ଚେଷ୍ଟା କରନ୍ତୁ । ପିଲାଙ୍କୁ କୌଣସି ପ୍ରକାର ସମସ୍ୟା ଭିତରେ ରଖନ୍ତୁନାହିଁ । କାରଣ ସେ ତା’ର କୋମଳ ଶୈଶବକୁ ହରାଇପାରେ । ଏପରିକି ମନରେ ଉଭୟ ମା’ବାପାଙ୍କ ପ୍ରତି ଘୃଣାଭାବ ଆଣିପାରେ ।