ବିଭାଗୀୟ ଅଧିକାରୀମାନେ ଚାହିଁଲେ ଜିଲାର ସମସ୍ୟା ଦୂର ହୋଇ ପାରିବ:ସୂର୍ଯ୍ୟବଂଶୀ ସୁରଜ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ, ପଞ୍ଝାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କନ୍ଧମାଳ ଗ୍ରସ୍ତରେ ଆସି ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସେମାନଙ୍କ ବିଭାଗର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ ରାଜ୍ୟରେ ଥିବା ମହାବିଦ୍ୟାଳୟ ଗୁଡ଼ିକରୁ ଯୁକ୍ତ ତିନି ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଲଗା କରାଯିବ ମାତ୍ର ସେ ଦୁଇଟି ଶିକ୍ଷାନୁଷ୍ଠାନ ପ୍ରାୟ ପାଖାପାଖି ରହିବ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି। ଜିଲ୍ଲାର ଯେଉଁ ଯେଉଁ ମହାବିଦ୍ୟାଳୟ କିମ୍ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମୁଛନ୍ତି ତା’ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଜିଲାରେ କ୍ରୀଡ଼ା ଓ ସଂସ୍କୃତି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଜିଲା କ୍ରୀଡ଼ା ଅଧିକାରୀ ଓ ଜିଲା ସଂସ୍କୃତି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ପରାମର୍ଶ କ୍ରମେ କନ୍ଧମାଳ ଷ୍ଟାଡିୟମର ଉନ୍ନତିକରଣ, ଆଥ୍ଲେଟିକ ସିନ୍ଥେଟିକ୍ ଗ୍ରାଉଣ୍ଡ ନିର୍ମାଣ, ସୁଇମିଙ୍ଗ୍ ପୁଲ୍ ନିର୍ମାଣ, ବାଲିଗୁଡ଼ାରେ ହକି ଆଷ୍ଟ୍ରୋ ଟର୍ଫ କୋର୍ଟ ନିର୍ମାଣ, କନ୍ଧମାଳ ଷ୍ଟାଡିୟମର ଗ୍ୟାଲେରୀ ନିର୍ମାଣ, ବିଜ୍ଞାପିତ ଅଞ୍ଝଳ ପରିଷଦ ଓ ବ୍ଲକରେ ଥିବା ଖେଳ ପଡ଼ିଆର ଉନ୍ନତିକରଣ ଆଦି ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରସ୍ତାବ ଦେଇଥିବାବେଳେ ଜିଲା ସଂସ୍କୃତି ଅଧିକାରୀ ଜିଲାରେ ୧୫ଶହ ସିଟ୍ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ନୂଆ ସରକାର ଏବଂ ନୂଆ ଅଧିକାରୀ ମିଳିତ ଭାବେ ଏବେଠାରୁ ୨୦୩୬ ମସିହା ପାଇଁ ପ୍ରସ୍ତୁତ ରହିବେ।ଓଡ଼ିଶାର ଜନସାଧାରଣଙ୍କ ଯୋଗୁଁ ଆମେ ସେମାନଙ୍କ ସେବା ପାଇଁ ଆମେ ସୁଯୋଗ ପାଇଛୁ। ଆମେ ସେମାନଙ୍କ ଉନ୍ନତି ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛୁ ଏବଂ କାର୍ଯ୍ୟରେ ଦେଖାଇଦେବୁ। ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ପୂର୍ଣ୍ଣ ସହଯୋଗ ଆଶା କରୁଛୁ। କାରଣ ବିଭାଗୀୟ ଅଧିକାରୀ ମାନେ ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରି ପାରିବେ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କହିଲେ, କିଛି ଅଯୋଗ୍ୟ ବ୍ୟକ୍ତି କଳାକାର ଭତ୍ତା ପାଉଥିବା ବେଳେ କିଛି ଯୋଗ୍ୟ ବ୍ୟକ୍ତି ସେଥିରୁ ବଂଚିତ ହୋଇଛନ୍ତି ବୋଲି ସେ ଅଭିଯୋଗ ପାଇଛନ୍ତି। ସେଥିପାଇଁ ଆବଶ୍ୟକ ପଡ଼ିଲେ ସମୀକ୍ଷା କରାଯିବ। ଏବେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯିବ। ଜିଲ୍ଲାରେ ଅଧିକ ଆଳୁ ଆବଶ୍ୟକ ଥିଲେହେଁ ପ୍ରଥମେ ୩ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ କରିବା ସହିତ ରଖିବା ପାଇଁ ସେହି ଅନୁସାରେ କୋଲ୍ଡ ଷ୍ଟୋର ବ୍ୟବସ୍ଥା କରାଯିବ। ସେହିପରି, ଚାହିଦା ଅନୁଯାୟୀ ହଳଦୀ ଓ ଅଦା ଉତ୍ପାଦନ ବୃଦ୍ଧି କରାଯିବ। ସେଥିପାଇଁ ମଧ୍ୟ ସଂପୃକ୍ତ ବିଭାଗ ଗୁଡ଼ିକର ସମ୍ମିଳିତ ଉଦ୍ୟମ ଆବଶ୍ୟକ। ଫଳରେ ଜିଲ୍ଲାର ଲାଇଫ୍ ଲାଇନରେ ଉନ୍ନତି ଆସିପାରିବ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ। ପଞ୍ଚାୟତରାଜ ମନ୍ତ୍ରୀ କହିଥିଲେ, ଆଗ୍ରହ ଥିବା ଖେଳକୁ ଦୃଷ୍ଟିରେ ରଖି ଖେଳ ପଡ଼ିଆ ନିର୍ମାଣ କରାଯିବା ଆବଶ୍ୟକ। ବିଭାଗୀୟ ଅଧିକାରୀମାନେ ଚାହିଁଲେ ଜିଲ୍ଲାର ଦାଦନ ସମସ୍ୟା ଦୂର କରିପାରିବେ। କନ୍ଧମାଳର ହଳଦୀ, ଅଦା, ବିନ୍ସ, ଆଳୁ, ଶୋରିଷ ଇତ୍ୟାଦିର ଚାହିଦା ରହିଛି। ସେଥିପାଇଁ ମାର୍କେଟ୍ ଆବଶ୍ୟକତା ରହିଛି। ଏହିସବୁ ଜିନିଷ ବାହାରକୁ ରପ୍ତାନୀ ହୋଇପାରିଲେ ଜିଲ୍ଲାର ଚାଷୀମାନେ ବିଶେଷ ଲାଭବାନ ହୋଇପାରିବେ। ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପରୀକ୍ଷାମୂଳକ ଭାବେ ପ୍ରଥମେ ଜିଲ୍ଲାର ୩ଟି ବ୍ଲକରେ ୩୦୦ ଦିନର କାମ ଯୋଗାଇଦେବା ସହିତ ସଠିକ ସମୟରେ ସେମାନଙ୍କର ମଜୁରୀ ଦିଆଯାଉ। ସେମାନଙ୍କୁ ରୋଜଗାର ଦେବା ପାଇଁ ବିଭିନ୍ନ ବିଭାଗ ଦ୍ୱାରା ମାଇକ୍ରୋ ପ୍ଲାନ୍ କରାଯାଉ। ୩ମାସ ପରେ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ନାଏକ କହିଥିଲେ। ଉକ୍ତ ସମୀକ୍ଷା ବୈଠକରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ବାଲିଗୁଡ଼ା ଉପ ଜିଲାପାଳ ଡ଼.ରୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ, କୃପାସିନ୍ଧୁ ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ