ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମାନୁନି ଜିଲ୍ଲା ଶିକ୍ଷାବିଭାଗ : ପୁନର୍ବାସ ଯୋଜନାରେ ନିଯୁକ୍ତି ଦିଆଯାଇ ନଥିବା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମାକୁ ଗଜପତି ଜିଲ୍ଲା ଶିକ୍ଷା ବିଭାଗ ମାନୁନଥିବାର ଅଭିଯୋଗ ହୋଇଛି | ପୁନର୍ବାସ ଯୋଜନା (ରିହାବିଲଟେସନ ସ୍କିମ)ରେ ନିଯୁକ୍ତି ଦେବାପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଜାରୀ ହୋଇଥିବା ସତ୍ତ୍ବେ ଜିଲ୍ଲା ଶିକ୍ଷାଧିକାରୀ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ପୁନର୍ବାସ ଯୋଜନାରେ ଆବେଦନ କରିଥିବା ଆବେଦନକାରୀମାନେ କହିଛନ୍ତି | ଏମାନେ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବାର କ୍ଷୋଭର ସହ ଜଣାଇଛନ୍ତି | ଏମାନେ କହିବା ମୁତାବକ ଏମାନଙ୍କ ପରିଜନ ଶିକ୍ଷାବିଭାଗରେ କାର୍ଯ୍ୟ କରୁଥିଲେ | ହେଲେ କାର୍ଯ୍ୟକାଳ ମଧ୍ୟରେ ଦେହାନ୍ତ ଘଟିଥିବାରୁ ରାଜ୍ୟସରକାରଙ୍କ ନିୟମ ମୁତାବକ ଘରର କାହାରିକୁ ଜଣକୁ ଚାକିରୀ ଦେବାର ନିୟମ ରହିଛି | ନିୟମାନୁଯାୟୀ ଏମାନେ ପୁନର୍ବାସ ଯୋଜନାରେ ଆବେଦନ କରିଥିଲେ | ଏପରି ଭାବରେ ଜିଲ୍ଲାରେ ବିଭିନ୍ନ ସମୟରେ ଗ୍ରେଡ-ସି ଓ ଡି ପଦବୀ ପାଇଁ ମୋଟ ୬୨ଜଣ ଆବେଦନ କରିଥିଲେ | ହେଲେ ୨୦୧୯ ମସିହାରେ ୬୨ରୁ ୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା | ଅବଶିଷ୍ଠ ୪୬ଜଣଙ୍କୁ ନିଯୁକ୍ତି ଦିଆଯାଇ ନଥିବାର ପ୍ରକାଶ କରିଛନ୍ତି | ଆବେଦନକାରୀ ମାନେ ଆହୁରି ଜଣାଇଛନ୍ତି ଯେ, ରାଜ୍ୟ ଉଚ୍ଚକର୍ତ୍ତୃପକ୍ଷଙ୍କ ପକ୍ଷରୁ ୬୨ଜଣଙ୍କ ତାଲିକା ପ୍ରକାଶ କରାଯାଇଥିବା ବେଳେ ୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇ ଅବଶିଷ୍ଠ ୪୬ଜଣଙ୍କ ପ୍ରତି ଜିଲ୍ଲା ଶିକ୍ଷାବିଭାଗ କାହିଁକି ବୈମାତୃକ ମନୋଭାବ ପୋଷଣକରି ଚାଲିଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ | ଆମ୍ଭେ ଗତ ୨୦୧୯ ମସିହାରୁ ନିଯୁକ୍ତି ପତ୍ର ପାଇବା ପାଇଁ ଜିଲ୍ଲା ଶିକ୍ଷା ବିଭାଗକୁ ଦୈଡି ଦୈଡି ନୟାନ୍ତ ହେଲୁଣି ବୋଲି କହିବା ସହ ଏ ସମ୍ପର୍କରେ ପଚାରିଲେ ଆଜି ହେବ କାଲି ହେବ ବୋଲି ସମୟ ବିତାଇ ଚାଲିଛନ୍ତି ବୋଲି କହିଛନ୍ତି | ଅତି ଶୀଘ୍ର ଆମ୍ଭଙ୍କୁ ନିଯୁକ୍ତି ଦିଆନଗଲେ ଆଗାମୀ ଦିନରେ ଜିଲ୍ଲାଶିକ୍ଷା ବିଭାଗ ଆଗରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବା ସହ ଆବଶ୍ୟକ ପଡିଲେ ଆତ୍ମହୁତି ଦେବୁ ବୋଲି ରମେଶ ଚନ୍ଦ୍ର ପାଲକା, ଧର୍ମେନ୍ଦ୍ର କୁମାର ସାହୁ, ହିମାଂଶୁ କରାଡ, ଜଗଦୀଶ ନାୟକ,ଅର୍ଚ୍ଚିତା ବେହେରା, ମିଖାଏଲ ଗମାଙ୍ଗ ପ୍ରମୁଖ ପ୍ରକାଶ କରିଛନ୍ତି |