ବିଭାଗୀୟ ଦୋଷ ଲୁଚାଇବା ପାଇଁ ଜୋରିମାନା କରିବା ପ୍ରତିବାଦରେ ଆମରଣ ଅନଶନ ଆରମ୍ଭ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆମ୍ବିଳିଗାଁ ଗ୍ରାମର ଟୁନା ମହାରଣା ନାମକ ଜଣେ ନୀରିହ କାଠ ମିସ୍ତ୍ରୀ ଦୀର୍ଘ ୨ବର୍ଷ ଧରି ବିଦ୍ୟୁତ ସଂଯୋଗ ପାଇଁ ସମସ୍ତ ଦେୟ ପ୍ରଦାନ କରି ବିଦ୍ୟୁତ ସଂଯୋଗ ନ ପାଇବା ଏବଂ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ସ୍ବାର୍ଡ ସହାୟତାରେ ଜୋରିମାନା ନୋଟିସ ଜାରି କରିବା ପ୍ରତିବାଦରେ କୋଣାର୍କ ସ୍ଥିତ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ସେସ୍କନ ଅଫିସ ସମ୍ମୁଖରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଶୁକ୍ରବାର ପୂର୍ବାହ୍ନ ୧୧ଘଟିକା ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ଆମ୍ବିଳିଗାଁ ଗ୍ରାମର ଟୁନା ମହାରଣା ଜଣେ ଗରିବ ଓ ଅସହାୟ ସଂପ୍ରଦାୟର ଲୋକ। ସେ ନିଜ ଗାଁ ମୁଣ୍ଡରେ ଏକ ଛୋଟ କାଠ ଅଡା କରି ଛୋଟିଆ ମୋଟିଆ କାଠ କାମ କରି ନିଜ ନିଜ ପରିବାର ପ୍ରତି ପୋଷଣ କରିଥାଏ। ଏହି କାଠ ଅଡାକୁ ବିଦ୍ୟୁତ ସଂଯୋଗ ନେବା ଲାଗି ଗତ ୨୦୨୧ ମସିହା ଜାନୁଆରୀ ମାସରେ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ କୋଣାର୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅର୍ଥ ପୈଠ କରିବା ସହ ବିଭାଗ ପକ୍ଷରୁ ଠିକାଦାର ମାଧ୍ୟମରେ ବିଦ୍ୟୁତ ଖୁଣ୍ଟ ପକା କାମ ମଧ୍ୟ ଶେଷ କରାଯାଇଥିଲା। ମାତ୍ର କୋଣାର୍କ ବିଦ୍ୟୁତ ବିଭାଗର ତତ୍କାଳୀନ ସହକାରୀ ପରିଚାଳକ ଓ କେତେକ ନ୍ଯସ୍ତ ସ୍ବାର୍ଥ କର୍ମଚାରୀ ମାନଙ୍କ ବେପରୁଆ ମନୋଭାବ ଯୋଗୁଁ ସଂପୃକ୍ତ ବ୍ଯକ୍ତି ବିଦ୍ୟୁତ ସଂଯୋଗ ପାଇପାରି ନ ଥିଲା ବୋଲି ଶ୍ରମିକ ନେତା ମନୋରଞ୍ଜନ ପରିଡ଼ା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ବାରମ୍ବାର କୋଣାର୍କ ବିଦ୍ୟୁତ ବିଭାଗ ଓ ଉପରିସ୍ଥ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ଏହି ଘଟଣାକୁ ନେଇ ଟୁନା ମହାରଣା ଶୁକ୍ରବାର ପୂର୍ବାହ୍ନ ସମୟରେ କୋଣାର୍କ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ସେସ୍କନ ଅଫିସ ସମ୍ମୁଖରେ ନ୍ୟାୟ ପାଇବା ପାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏହି ଆମରଣ ଅନଶନ ସ୍ଥଳୀରେ ତାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ତାଙ୍କ ସହିତ ବରିଷ୍ଠ ଶ୍ରମିକ ନେତା ମନୋରଞ୍ଜନ ପରିଡା, ପ୍ରସନ୍ନ କୁମାର ଦାସ, ଚାଷୀ ନେତା ନବଘନ ମୁଦୁଲି, ଆମ୍ବିଳିଗାଁ ଗ୍ରାମର ଗଣେଶ ଚନ୍ଦ୍ର ସ୍ଵାଇଁ, ଶ୍ରମିକ ନେତା ଅମରେଶ୍ବର ମଲ୍ଲିକ, ଲକ୍ଷ୍ମୀଧର ସ୍ବାଇଁ, ଯୁବ ସଂଗଠକ ବିରଂଚି ନାରାୟଣ ପତି, ସୁଶାନ୍ତ କାଣ୍ଡି, ବଟ କାଣ୍ଡି, ରାମଚନ୍ଦ୍ର ମହାରଣା, ହରିହର ବାହିନୀପତି ଓ ବାଳକୃଷ୍ଣ ବସ୍ତିଆ ଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଯୁବ, ଶ୍ରମିକ ଓ ଚାଷୀ ସଂଗଠକ ମାନେ ଉପସ୍ଥିତ ଥିଲେ। ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ କରାଯାଇଥିବା ଜୋରିମାନା ନୋଟିସର ପ୍ରତ୍ଯାହାର ଓ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ ଦେବାର ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆମରଣ ଅନଶନ ଚାଲୁ ରହିବ ବୋଲି ଆମରଣ ଅନଶନ କାରୀ ଆମ୍ବିଳିଗାଁ ଗ୍ରାମର ଟୁନା ମହାରଣା ପ୍ରକାଶ କରିଛନ୍ତି। ଏହି ଧାରଣା ସ୍ଥଳୀରେ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ କୌଣସି ବରିଷ୍ଠ ଅଧିକାରୀ ଆମରଣ ଅନଶନ ସ୍ଥଳୀରେ ପହଞ୍ଚି ନ ଥିବା ବେଳେ ନୂତନ ଭାବେ ଯୋଗଦାନ କରିଥିବା କୋଣାର୍କ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ସେସ୍କନ ଅଫିସର ସହକାରୀ ପରିଚାଳକ, ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ସୁରକ୍ଷା ଅଧିକାରୀ ଓ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଆମରଣ ଅନଶନ କାରୀ ଟୁନା ମହାରଣାଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଆଲୋଚନା ଫଳପ୍ରଦ ହୋଇପାରି ନ ଥିବା ଜଣାପଡ଼ିଛି।


