ବିଭିନ୍ନ ଦାବିନେଇ ଆଶା ଓ ଅଙ୍ଗନୱାଡୀ କର୍ମୀଙ୍କ ଜିଲ୍ଲାପାଳ ଅଫିସ ଘେରାଉ
କୋରାପୁଟ,(ହେମନ୍ତ କୁମାର ପାଣଗ୍ରାହୀ) : ବିଭିନ୍ନ ଦାବିକୁ ନେଇ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଙ୍ଗନୱାଡୀ କର୍ମୀ, ହେଲଫର, ପାଚିକା ଓ ଆଶାକର୍ମୀ ସଂଘର ହଜାର ହଜାର ମହିଳା ମାନଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୩ଟି ଦାବିପତ୍ର ପ୍ରଦାନ କରାଯାଇଛି। ୫୦ ବର୍ଷ ହେଲା ସ୍କ୍ରିମୱାର୍କରସ ନାଁରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀଙ୍କୁ ଶୋଷଣ କରାଯାଉଛି । ତେଣୁ ପ୍ରକଳ୍ପକୁ ଉଚ୍ଛେଦ କରାଯାଉ ଓ ନୂତନ ନିୟମ ପ୍ରଣୟନ କରି ସମସ୍ତ କର୍ମୀ ଓ ସହକର୍ମୀଙ୍କୁ ସ୍ଥାୟୀ କରିବା,ବରିଷ୍ଠତା ଆଧାରରେ କର୍ମୀଙ୍କୁ ସୁପରଭାଇଜର ପଦବୀରେ ଶତ ପ୍ରତିଶତ ପଦୋନ୍ନତି ଦେବା,ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା , ଯେପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ କରା ନ ଯାଇଛି ସେପର୍ଯ୍ୟନ୍ତ ପ୍ରତ୍ୟେକ କର୍ମୀଙ୍କୁ ମାସିକ ୧୮୦୦୦ ଟଙ୍କା ଦେବା, ଅଭିଜ୍ଞତାକୁ ନେଇ ପ୍ରତ୍ୟେକ ବର୍ଷ ଅଙ୍ଗନୱାଡି କର୍ମୀ ପ୍ରତ୍ସାହନ ଭତ୍ତା, ଗତ ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାର ରେ ଉଲେଖ କରିଥିବା ବର୍ଦ୍ଧିତ ସହାୟତା ରାଶିକୁ ସଙ୍ଗଠନ ସହିତ ଆଲୋଚନା କରାଯାଇ ତୁରନ୍ତ ଲାଗୁ କରିବା, ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି ହୋଇ ନାହିଁ ତେଣୁ ତୁରନ୍ତ ଗରମ ରନ୍ଧା ଖାଦ୍ୟର ମୂଲ୍ୟ ସଂଶୋଧିତ କରିବା, ୨୦୨୧ ରୁ ଦେଇ ନ ଥିବା ଅବସରକାଳିନ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା, ମାତୃ ବନ୍ଦନା ଯୋଜନା (ମମତା ଯୋଜନା) ର ପ୍ରତ୍ସାହନ ରାଶି ୮୦୦ଟଙ୍କା କୁ ବୃଦ୍ଧି ,ପୋଷଣ ଟ୍ରେକର ସମସ୍ତ କାର୍ଯ୍ୟକୁ ଠିକ ଭାବରେ କରିବା ପାଇଁ ୫ଜି ମୋବାଇଲ ସହିତ ନେଟପ୍ୟାକ ବାବଦକୁ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ କରିବା ଆଦି ଦାବି ରହିଛି।ସେଭଳି ଜୟପୁର ସେବା ପେପରମିଲକୁ କାର୍ଯ୍ୟକ୍ଷମ କରି ସମସ୍ୟାର ସମାଧାନ କରିବା। ଆଶାକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା, ୧୮ହଜାର ସାଧାରଣ ସର୍ବନିମ୍ନ ମଜୁରୀ ପ୍ରଦାନ, ପେନସେନ ବାବଦକୁ ୫ହଜାର ପ୍ରଦାନ ଆଦି ଦାବି ରହିଛି।ଏହି ଦାବିପତ୍ର ପ୍ରଦାନ ବେଳେ ଅଙ୍ଗନୱାଡ଼ି ସଂଘର ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ସାହୁ, ସମ୍ପାଦିକା ଭବାନୀ ପୂଜାରୀ,ଭାରତୀୟ ମଜଦୂର ସଂଘର ସଭାପତି ବିରଞ୍ଜୀ ନାରାୟଣ ଷଡ଼ଙ୍ଗୀ,ସଂପାଦକ ଏ ଭୀମା ରାଓ ଙ୍କ ସମେତ ଅନ୍ୟ ସଂଘର ନେତ୍ରୀ ମାନେ ଉପସ୍ଥିତ ଥିଲେ।