ବିଭିନ୍ନ ଦାବି ନେଇ ଗ୍ରାମପଞ୍ଚାୟତ ଉନ୍ନୟନ ପରିଷଦ’ର ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଭିନ୍ନ ଦାବି ନେଇ ‘ନୂଆଗାଁ, ଶେରଗଡ଼ ଓ ବିରୁଆଁ ଗ୍ରାମ ପଞ୍ଚାୟତ ଉନ୍ନୟନ ପରିଷଦ’ ଏବଂ ‘ଗୋଚର ସମ୍ପତ୍ତି ଓ ଜନତା ସ୍ୱାର୍ଥ ସୁରକ୍ଷା ମଞ୍ଚ’ର ମିଳିତ ଗଣଧାରଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅମୂଲ୍ୟ କୁମାର ପରିଡ଼ା, ମହେନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ନାୟକ, କନ୍ଦା ସିଂ, ବୀରେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ରାଉତ, ଚିତ୍ତରଞ୍ଜନ ଜେନା, ଗଣପତି ମଲିକ, ବୈଦ୍ୟନାଥ ମଲିକ, ଶ୍ରୀଧର ମଲିକ ପ୍ରମୁଖ ଏଥିରେ ଯୋଗଦେଇ ପ୍ରଶାସନିକ ଅବହେଳା ଓ ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ଆଦୌ ଜନବସତି ନଥିବା ରେମୁଣା ତହସିଲ ଅନ୍ତର୍ଗତ ପଞ୍ଚାଗଡ଼ର ଉଥୁଳି ମୌଜାରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାହା ସ୍ୱାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହି ପ୍ରକଳ୍ପକୁ ଜନବସତି ଅଞ୍ଚଳରେ ନିର୍ମାଣ ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଦାବି କରାଯାଇଥିଲା । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଗଣଧାରଣା ପାଇଁ ନିଷ୍ପତ୍ତି ନିଆଯାଇଥିବା ପରିଷଦ ଓ ମଞ୍ଚର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ତେବେ ଏହା ପରେ ବି ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।ଏହି ଅବସରରେ ପରିଷଦ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।