ବିଭିନ୍ନ ଦାବୀ ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର,(ଦେବଦତ୍ତ ମହାରଣା) : କୃଷି ବିଧ୍ୱଂସକାରୀ କଳା କୃଷି ଆଇନ୍ ବିରୋଧରେ ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କୃଷିଜାତ ସାମଗ୍ରୀ ବିପଣନ ଓ କାରାବାର ଆଇନ ୨୦୨୦ କୁ ରଦ୍ଧ କରିବା , ଚୁକ୍ତିବଦ୍ଧ ଚାଷ ର ଠିକାଚାଷ ଆଇନ ପ୍ରତ୍ୟାହାର କରାଯିବା, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ୍ ପ୍ରତ୍ୟାହାର , ସ୍ୱାମିନାଥନ୍ ଜାତୀୟ କୃଷକ କମିଶନ ସୁପାରିସ୍ କୁ ତୁରନ୍ତ ଲାଗୁ କରାଯିବା, ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା ପ୍ରଦାନ କରିବା ଦାବୀ ନେଇ ଅଖିଳ ଭାରତ କୃଷକ ସଭା ଛତ୍ରପୁର ବ୍ଲକ କମିଟି ପକ୍ଷରୁ ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶଙ୍କ ନେତୃତ୍ୱରେ ସିପିଆଇ ଛତ୍ରପୁର ଜୋନାଲ୍ ସଂପାଦକ ଏସ୍ କ୍ରିଷ୍ଣା ରେଡ୍ଡିଙ୍କ ସଭାପତିତ୍ୱରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହା ସହ ଛତ୍ରପୁର ବ୍ଲକରେ ଧାନ ଅମଳ ସରି କୃଷକ ନିଜ ଘରେ,ଖଳାରେ ଧାନ ମହଜୁତ୍ କରି ରଖିବା ଦ୍ୱାରା ମୁଷା,ବାରହା ପ୍ରଭୃତି ଖାଇଗଲେଣି । ସରକାର ସମସ୍ତ ପଞ୍ଜୀକୃତ ଚାଷୀ / କୃଷକ ମାନଙ୍କ ଠାରୁ ସରକାରୀ ମଣ୍ଡି ମାଧ୍ୟମରେ ଧାନ ଏପର୍ଯ୍ୟନ୍ତ କ୍ରୟ କରୁନାହାନ୍ତି । ଏବଂ ଚାଷୀଙ୍କୁ ଟୋକେନ୍ ଦେବାରେ ବହୁ ବିଳମ୍ବ କରୁଛନ୍ତି । ଯାହା ଫଳରେ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏହାର ତୁରନ୍ତ ସମାଧାନ ପୂର୍ବକ ସମସ୍ତ ଚାଷୀ/ଭାଗ ଚାଷୀ/କୃଷକ ଙ୍କ ଠାରୁ ଧାନ କ୍ରୟ କରିବା ସହ ପଞ୍ଜୀକୃତ ନ ହୋଇଥିବା ଚାଷି / ଭାଗଚାଷିଙ୍କୁ ତୁରନ୍ତ ପଞ୍ଜୀକୃତ କ୍ରୟ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି , ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଅଖିଳ ଭାରତ କୃଷକ ସଭାର ସଂପାଦକ ରାଜୀବ ଲୋଚନ ପଣ୍ଡା, ଚମାଖଣ୍ଡି ଜୋନାଲ୍ ସଂପାଦକ ସିଏଚ୍ . ଜନାର୍ଦ୍ଦନ ରେଡ୍ଡି , ଆଇନଜିବି ଡି . ଆଦି ନାରାୟଣ ରେଡ୍ଡି, ଉତ୍କଳ ମହିଳା ସମିତିର ରାଜ୍ୟ ଉପ ସଭାନେତ୍ରୀ ଏନ୍ ଭାନୁମତି ରେଡ୍ଡି, ମମତା ନାୟକ, ସରସ୍ୱତୀ ପ୍ରଧାନ , ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ପରିଡା, ଦୁର୍ଯ୍ୟୋଧନ ନାହାକ, ମାଗୁଣି ବିଷୋୟୀ, ଶରତ ଚନ୍ଦ୍ର ପଟ୍ଟନାୟକ, ପୁର୍ଣ୍ଣଚନ୍ଦ୍ର ଗୌଡ, ରାଜେନ୍ଦ୍ର ନାହାକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍ ଗିରିଜା ପ୍ରସାଦ ରେଡ୍ଡିଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ହାତରେ ବିଭିନ୍ନ ଦାବୀର ଫ୍ଲାଗକାର୍ଡ ଧରି ସଭାର ନେତା ଓ ଚାଷୀମାନେ ଏକ ଶୋଭାଯାତ୍ରା ମାଧ୍ୟମରେ ଛତ୍ରପୁର ସହର ର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।