ବିଭିନ୍ନ ଦାବୀ ନେଇ ଗଂଜାମ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପଞ୍ଜିକରଣ ସରଳୀକରଣ କରି ଭାଗଚାଷୀ ସମେତ ସମସ୍ତ ଚାଷୀଙ୍କ ଧାନ କିଣିବା ନିମନ୍ତେ ଶନିବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ପ୍ରଦାନ କରାଯାଇଛି । ସରକାର ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା କରିଥିବାରୁ ଚାଷୀମାନେ ବହୁତ ଖୁସି ଅଛନ୍ତି । ମାତ୍ର ଗଂଜାମ ଜିଲ୍ଲାରେ ୨.୫ଲକ୍ଷରୁ ଅଧିକ ଭାଗଚାଷୀ ଓ ଦେବୋତ୍ତର (ଠାକୁର) ଜମି ଚାଷ କରୁଥିବା ଗରୀବ ଚାଷୀ ମାନେ ମଣ୍ଡିରେ ଧାନ ବିକି ପାରିବେ ନାହିଁ । ଜିଲ୍ଲାରେ ୫୦ ଭାଗରୁ ଅଧିକ ଜମି ଭାଗ ଚାଷୀମାନେ ତାଙ୍କ ପରିବାରର ପରିଶ୍ରମ ଓ ନଗୁତି ଖର୍ଚ୍ଚ କରି ଚାଷ କରିଥାନ୍ତି । ସେମାନେ ହିଁ ଆଣ୍ଠୁପକା ପ୍ରକୃତ ଚାଷୀ । ଏଣୁ ପୂର୍ବରୁ ଗ୍ରାମ୍ୟ ଚାଷୀ କମିଟି ଙ୍କ ପରାମର୍ଶକ୍ରମେ ଭାଗଚାଷୀଙ୍କ ନାମ ପଞ୍ଜିକରଣ କରାଯାଇ ଧାନ କିଣା ଯାଉଥିଲା । ସେହିପରି ଦେବୋତ୍ତର ଜମି ଚାଷ କରୁଥିବା ଚାଷୀ ଟ୍ରଷ୍ଟଠାରୁ ଲେଖିଆଣିଲେ ପଞ୍ଜିକରଣ ହେଉଥିଲା । ମାତ୍ର ଚଳିତ ବର୍ଷ ନୂଆ ନୀୟମ କରିବାରୁ ଧାନ ବିକିବାରୁ ଗରୀବ ଚାଷୀମାନେ ବଞ୍ଚିତ ହେବେ । ସେମାନେ ଶହେ ବର୍ଷ ଧରି ଠାକୁରଙ୍କ ଜମି କୁ ଚାଷ କରି ଆସୁଛନ୍ତି । ଏଣୁ ଭାଗଚାଷୀ ଓ ସେହି ଗରୀବ ଚାଷୀଙ୍କର ନାମ ପଞ୍ଜିକରଣ କରି ତାଙ୍କ ଧାନ ପ୍ରଥମେ ସରକାରଙ୍କ ତରଫ ରୁ କିଣିବା ପାଇଁ ଗୁରୁତ୍ୱ ଦିଆଯାଉ । ଗ୍ରାମ୍ୟ ଚାଷୀ କମିଟିଙ୍କ ପରାମର୍ଶରେ ଚାଷୀ ପଞ୍ଜିକରଣ ଓ ଧାନ କିଣା ବ୍ୟବସ୍ଥା କରାଯାଉ , ଟୋକେନ ବ୍ୟବସ୍ଥା ଯୋଗୁଁ ପ୍ରତି ବର୍ଷ ୨୦ହଜାରରୁ ଅଧିକ ଗରୀବ ଚାଷୀ ପଞ୍ଜିକରଣ କରିଲେ ସୁଦ୍ଧା ଧାନ ବିକି ନପାରି ବେପାରୀଙ୍କୁ ବିକି କରି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି । ଏଣୁ ଟୋକେନ ବ୍ୟବସ୍ଥା ବନ୍ଦ କରାଯାଇ ସବୁ ଚାଷୀଙ୍କ ଧାନ ମାର୍ଚ୍ଚ ୩୧ ସୁଦ୍ଧା କିଣାଯାଉ । ସରକାରଙ୍କ ନୀୟମ ଅନୁଯାୟୀ ପ୍ରତ୍ୟେକ ସୋସାଇଟ୍ / ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦୈନିକ ୫ଶହ କ୍ୱିଣ୍ଟାଲ ଧାନ କିଣିଲେ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ କିଣିବା ରେ ସହାୟକ ହେବ । ପ୍ରତି ବ୍ଲକରେ ଅଭିଯୋଗ ଶୁଣାଣୀ କକ୍ଷ ଖୋଲାଯାଉ ଏବଂ ଟୋଲ ଫି ନମ୍ବର ଜାରି କରାଯାଉ ବୋଲି ମହାସଭା ପକ୍ଷରୁ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକଙ୍କ ସହ ଚାଷୀନେତା ସଂଜୀବ ରେଡ୍ଡୀ, ଏ.ରାଜାରାଓ ରେଡ୍ଡୀ, ଏନ.ଭୀମସେନ ରେଡ୍ଡୀ, ଶୁକ୍ରୁ ବେହେରା, ମିଥୁନ ବେହେରା, ଟୁକୁନା ବେହେରା ,ଦୁର୍ଯ୍ୟୋଧନ ରେଡ୍ଡୀ. ରଂଜନ କୁମାର ବେହେରା, କ୍ରିଷ୍ଣା ରେଡ୍ଡୀ, ମାଗତା ବେହେରା, ଜି.ବୈଷ୍ଣବ ରେଡ୍ଡୀ ଓ ଗଙ୍ଗାଧର ରେଡ୍ଡୀଙ୍କ ସମେତ ଜିଲ୍ଲାର ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।