ବିଭିନ୍ନ ପଂଚାୟତରେ ପ୍ରଭାବିତ ଲୋକଙ୍କ ଅବସ୍ଥା ବୁଝିଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ବାତ୍ୟା ‘ଦାନା’କୁ ନେଇ ବିଗତ ୩ ଦିନ ଧରି ଆଶା ଆଶଙ୍କାରେ ଥିବା ଲୋକଙ୍କ ଦୁଃଖ କଷ୍ଟକୁ ଦ୍ୱିଗୁଣିତ କରିଛି ପାଇଁ ସାମ୍ପ୍ରତିକ ବନ୍ୟା ସ୍ଥିତି । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା, ବିଶେଷ କରି ବୁଢାବଳଙ୍ଗ ନଦୀର ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଏକାଧିକ ପଂଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ବଇଁଚା, ସିନ୍ଧିଆ, ବୁଆଁଳ, ନଗ୍ରମ ପଭୃତି ପଂଚାୟତ ସହ ସହରତଳୀ ଅଂଚଳ ପାଣିଘେରରେ ରହିଛି । ଏହି ପରିପ୍ରେକ୍ଷୀରେ ସଦର ବିଧାୟକ ମାନସ କୁମାର ଦତ୍ତ ବୋଟ ଯୋଗେ ବିଭିନ୍ନ ପଂଚାୟତରେ ପହଂଚି ପାଣିଘେରରେ ଥିବା ଲୋକଙ୍କ ସମସ୍ୟା ବୁଝିବା ସହ ସେଗୁଡିକର ନିରାକରଣ ସମ୍ପର୍କରେ ପଦକ୍ଷେପ ନେଇଛନ୍ତି । ଏପରିକି ପାଣି ଭିତରେ ପଶି ଘରକୁ ଘର ଯାଇ ସେ ଲୋକଙ୍କ ଅସୁବିଧା ସମ୍ପର୍କରେ ଅବଗତ ହୋଇଛନ୍ତି । ବଇଁଚା ଟିଆଖିଆ ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ତେଣୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗୋଟିଏ ବୋଟ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଉଦ୍ଧାର କାର୍ଯ୍ୟ ପରିଚାଳନା ନିମନ୍ତେ ଓଡ୍ରାଫ ପକ୍ଷରୁ ଏକାଧିକ ପାୱାର ବୋଟ ବ୍ୟବସ୍ଥା ହୋଇଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ତେବେ ବନ୍ୟାଂଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ପରିବାରଙ୍କୁ ତୁରନ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ବାତ୍ୟା ପାଇଁ ଆଶ୍ରୟସ୍ଥଳୀ ଗୁଡିକରେ ଚାଲିଥିବା ରିଲିଫ କାର୍ଯ୍ୟକୁ ଅଧିକ ସାତ ଦିନ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସମ୍ପୂର୍ଣ୍ଣ ବନ୍ୟା ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ସୁଷମ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ବିଶେଷ କରି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ବନ୍ୟା ଛାଡିବା ପରେ ଚାଷ କ୍ଷୟକ୍ଷତିର ଆକଳନ ହେବ । ସମସ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଭିତ୍ତିରେ କ୍ଷତିପୂରଣ ପ୍ରଦାନ ହେବ ବୋଲି ସେ କହିଛନ୍ତି । ତେଣୁ ଜନସାଧାରଣଙ୍କୁ ଆଦୌ ଭୟଭୀତ ନହୋଇ ପ୍ରଶାସନ ଦ୍ୱାରା ଜାରି ହେଉଥିବା ବନ୍ୟା ସତର୍କ ସୂଚନା ମାନିବାକୁ ବିଧାୟକ ଶ୍ରୀ ଦତ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।