ବିଭିନ୍ନ ବ୍ୟାଙ୍କରେ ଅଙ୍ଗନୱାଡି କର୍ମୀ, ଏସ୍.ଏଚ୍.ଜି ମହିଳାଙ୍କ ସହଯୋଗ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀକୁ ରୋକିବା ପାଇଁ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ବିଶେଷକରି ଲୋକ ମାନଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ସେହିଭଳି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ କେତେକ ସ୍ଥାନରେ ଲୋକ ମାନେ ଏହାକୁ ମାନୁ ନାହାନ୍ତି । ବନ୍ତ ବ୍ଲକର ବିଭିନ୍ନ ବ୍ୟାଙ୍କ ପରିସରରେ ଲୋକ ମାନେ ସାମାଜିକ ଦୂରତ୍ୱକୁ ସଂପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଏଭଳି ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ବଜାୟୀ ରଖିବା ପାଇଁ ଜିଲାପାଳ ସମନ୍ୱିତ ଶିଶୁ ବିକାଶ ବିଭାଗକୁ ଦାୟୀତ୍ୱ ଦେଇଛି । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ରେଣୁବାଳା ଦାଶ ବ୍ଲକର ଅଙ୍ଗନୱାଡି କର୍ମୀ, ମହିଳା ମହାସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ବ୍ୟାଙ୍କ ପରିସରରେ ସାମାଜିକ ଦୂରତ୍ୱ ବଜାୟୀ ରଖିବାର ଦାୟୀତ୍ୱ ଅର୍ପଣ କରିଛନ୍ତି । ଏଥିନେଇ ସମସ୍ତ ବ୍ୟାଙ୍କ ପରିଚାଳକ ମାନଙ୍କୁ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ଗୁରବାର ଠାରୁ ଲକ୍ ଡାଉନ୍ ଶେଷ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କରେ ଅଙ୍ଗନୱାଡି କର୍ମୀ, ମହିଳା ମହାସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ସଚେତନତା କାର୍ଯ୍ୟ କରିବେ ବୋଲି ବ୍ଳକ ପ୍ରକଳ୍ପ ସଂଯୋଜକ ଚିରଞ୍ଜୀବ୍ ଦାସ କହିଛନ୍ତି ।


