ବିଭିନ୍ନ ବ୍ୟାଙ୍କର ସୁରକ୍ଷା ଯାଞ୍ଚ କଲା ଛତ୍ରପୁର ଥାନା ପୋଲିସ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅଧୀନରେ ଥିବା ବିଭିନ୍ନ ବ୍ୟାଙ୍କ ର ସୁରକ୍ଷା ଯାଞ୍ଚ କରିଛନ୍ତି ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ । ବିଭିନ୍ନ ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ଢିଲା ଦେଖି ଶ୍ରୀ ପ୍ରଧାନ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ଉତ୍ତମ ପରିଚାଳନା କରିବା ପାଇଁ ଉକ୍ତ ବ୍ୟାଙ୍କ ଶାଖା ପ୍ରବନ୍ଧକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ,ମଙ୍ଗଳବାର ଥାନାଧିକାରୀ ଶ୍ରୀ ପ୍ରଧାନ ଓ ପୋଲିସ ଟିମ୍ ଛତ୍ରପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା,ବ୍ୟାଙ୍କ ଅଫ ବରୋଦା ଏବଂ ଅନ୍ୟାନ୍ୟ ବ୍ୟାଙ୍କକୁ ନିଜ ଟିମ୍ ସହିତ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ବ୍ୟାଙ୍କ ଗୁଡିକ ରେ ଉପଯୁକ୍ତ ସ୍ଥାନରେ ସିସିଟିଭି ଲାଗିବା, ଠିକ୍ ସମୟରେ ସାଇରନ୍ ବାଜିବା, ସିସିଟିଭି ହାର୍ଡଡିସ୍କ ରହିବା ବ୍ୟବସ୍ଥା ପରଖିବା ସହିତ ବ୍ୟାଙ୍କ ପରିଚାଳକ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ କିଛି ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥାର ବ୍ୟତିକ୍ରମ ହେଉଥିବା ସେ ଲକ୍ଷ୍ୟ କରିଥିଲେ । ତେଣୁ ସେ ଅସନ୍ତୋଷ ବ୍ୟକ୍ତ କରି ତୁରନ୍ତ ସୁରକ୍ଷା ବ୍ୟବସ୍ଥା ସଜାଡ଼ିବା ପାଇଁ ବ୍ୟାଙ୍କ ଗୁଡିକ ର ଶାଖା ପରିଚାଳକ ମାନଙ୍କୁ ସେ ପରାମର୍ଶ ଦେଇଥିଲେ ।ଏଥି ସହିତ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବ୍ୟାଙ୍କ ପରିସରରେ ଦେଖିଲେ ତୁରନ୍ତ ଥାନାକୁ ଖବର ଦେବା ପାଇଁ କହିଥିଲେ ।