ବିଭିନ୍ନ ଶ୍ରମିକ ସଂଘ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସହରର ବିଶ୍ୱକର୍ମା ବଢେଇ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ସଦରା ପଖୋରୀ ନିକଟସ୍ଥ କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ସତ୍ୟନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟକ୍ରମରେ ବହୁ ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ । ସଭାପତି ଶ୍ରୀ ମହାରଣା ନିଜ ବକ୍ତବ୍ୟରେ କହିଥିଲେ ଯେ, ଶ୍ରମିକମାନେ କର୍ମକ୍ଷେତ୍ରରେ ଯେଭଳି ଶୋଷଣ ଓ ନିର୍ଯ୍ୟାତନାର ଶିକାର ନ ହେବେ ସେଥିପାଇଁ ଏକତ୍ରୀତ ହୋଇ ରହିବାକୁ ହେବ ବୋଲି ଆଲୋଚନା ହୋଇଥିଲା । ନିର୍ମାଣ ଶ୍ରମିକ ପାଇଁ ସରକାରଙ୍କ ତରଫରୁ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକର ବାଟମାରଣା ନହୁଏ ସେଥିପ୍ରତି ସଜାଗ ଓ ସତର୍କ ରହିବାକୁ ପଡିବ ବୋଲି ଆଲୋଚନା ହୋଇଥିଲା । ଏହାପରେ ସଂଘର ସଦସ୍ୟ ସଦସ୍ୟାମାନେ ଏକ ପଟୁଆରରେ ନଗରପିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଦେବେନ୍ଦ୍ର ବିଶ୍ୱାଳ, ଉପସଭାପତି କେ.ରାମାରାଓ, କୋଷାଧ୍ୟକ୍ଷ ବିଜୟ କୁମାର ଜେନା, ଆଇନ ଉପଦେଷ୍ଠା ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


